ଅଦ୍ଭୁତ କ୍ୟାଚ୍ ଧରି ଧୋନୀଙ୍କ ରେକର୍ଡ ଭାଙ୍ଗିଲେ କୋହଲି: ନ୍ୟୁଜିଲାଣ୍ଡ ମାଟିରେ କଲେ ଏମିତି କାରନାମା
ନୂଆଦିଲ୍ଲୀ,୪।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍ର ପ୍ରଥମ ମୁକାବିଲା ଅକଲାଣ୍ଡର ଇଡେନ ପାର୍କରେ ଖେଳାଯାଉଛି। ଏହି ମ୍ୟାଚ୍ରେ ଭାରତୀୟ ଦଳର ଅଧିନାୟକ ଶୁବମନ ଗିଲ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତୀୟ ବୋଲରମାନେ ଅଧିନାୟକଙ୍କ ନିଷ୍ପତ୍ତିକୁ ସଠିକ ପ୍ରମାଣିତ କରି ନ୍ୟୁଜିଲାଣ୍ଡ ଦଳକୁ ୧୮୫ ରନ୍ରେ ଅଲଆଉଟ କରିଦେଇଛନ୍ତି।
ଏହି ମ୍ୟାଚ୍ରେ ଭାରତୀୟ ଦଳର ବୋଲିଂ ସହ ଫିଲ୍ଡିଂ ମଧ୍ୟ ଚର୍ଚ୍ଚାରେ ରହିଛି। ରୋହିତ ଶର୍ମା ଏକ ଚମତ୍କାର ରନଆଉଟ କରିଥିବା ବେଳେ ବିରାଟ କୋହଲି ସ୍ଲିପ୍ରେ ଅବିଶ୍ୱସନୀୟ କ୍ୟାଚ ଧରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ଏହି କ୍ୟାଚ ସହ କୋହଲି ଭାରତର ପୂର୍ବତନ ଅଧିନାୟକ ଏମଏସ ଧୋନୀଙ୍କ ଏକ ରେକର୍ଡକୁ ପଛରେ ପକାଇଛନ୍ତି।
ନ୍ୟୁଜିଲାଣ୍ଡ ଇନିଂସ୍ରେ ୨୯ତମ ଓଭରର ତୃତୀୟ ବଲ୍ରେ ଏହି ଚମତ୍କାର ଘଟଣା ଘଟିଥିଲା। ଅଂଶୁଲ କାମ୍ବୋଜଙ୍କ ବଲ୍ରେ ନାଥନ ସ୍ମିଥଙ୍କ ବ୍ୟାଟ୍ର ବାହାର ପାର୍ଶ୍ୱରେ ବଲ ବାଜି ଦ୍ୱିତୀୟ ସ୍ଲିପ ଆଡ଼କୁ ଚାଲିଯାଇଥିଲା। ସେଠାରେ ଫିଲ୍ଡିଂ କରୁଥିବା ବିରାଟ କୋହଲି ଡାହାଣ ପଟକୁ ଡାଇଭ ମାରି ଗୋଟିଏ ହାତରେ ବଲ୍ଟିକୁ ଧରି ନେଇଥିଲେ। କ୍ୟାଚ ଧରିବା ପରେ କୋହଲି ବେଶ ଉତ୍ସାହିତ ହୋଇପଡ଼ିଥିଲେ। ସେ ଖୁସିରେ ଦୌଡ଼ିବା ସହ ବଲ୍ଟିକୁ ଅମ୍ପାୟାରଙ୍କ ଆଡ଼କୁ ଫିଙ୍ଗି ଦେଇଥିଲେ। ତେବେ କ୍ୟାଚ୍କୁ ନେଇ ସାମାନ୍ୟ ସନ୍ଦେହ ଥିବାରୁ ତୃତୀୟ ଅମ୍ପାୟାରଙ୍କ ସହାୟତା ନିଆଯାଇଥିଲା। ରିପ୍ଲେ ଯାଞ୍ଚ ପରେ କୋହଲିଙ୍କ କ୍ୟାଚ୍କୁ ସଠିକ ଘୋଷଣା କରାଯାଇଥିଲା।
ଏହି କ୍ୟାଚ ସହ ବିରାଟ କୋହଲି ନ୍ୟୁଜିଲାଣ୍ଡ ମାଟିରେ କ୍ୟାଚ ଧରିଥିବା ସବୁଠାରୁ ବୟସ୍କ ଭାରତୀୟ ଖେଳାଳି ହୋଇଛନ୍ତି। ସେ ୩୭ ବର୍ଷ ୩୬୪ ଦିନ ବୟସରେ ଏହି ସଫଳତା ହାସଲ କରିଛନ୍ତି। ଏହା ପୂର୍ବରୁ ଏହି ରେକର୍ଡ ଏମଏସ ଧୋନୀଙ୍କ ନାମରେ ଥିଲା। ଧୋନୀ ୩୭ ବର୍ଷ ୨୧୮ ଦିନ ବୟସରେ ନ୍ୟୁଜିଲାଣ୍ଡରେ କ୍ୟାଚ ଧରିଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।