ଆଇପିଏସ୍ ଅଧିକାରୀସ୍ତରରେ ଅଦଳବଦଳ
ଭୁବନେଶ୍ୱର,୨।୧୧(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଭାରତୀୟ ପୋଲିସ ସେବା(ଆଇପିଏସ୍) ଅଧିକାରୀସ୍ତରରେ ବ୍ୟାପକ ଅଦଳବଦଳ କରାଯାଇଛି। ଗୃହବିଭାଗ ପକ୍ଷରୁ ରବିବାର ଜାରି ବିଜ୍ଞପ୍ତି ଅନୁଯାୟୀ, ରାଜ୍ୟ କାରାଗାର ମହାନିର୍ଦ୍ଦେଶକ ପଦରୁ ବରିଷ୍ଠ ଆଇପିଏସ୍ ସୁଶାନ୍ତ କୁମାର ନାଥଙ୍କୁ ବଦଳି କରାଯାଇଛି। ନାଥଙ୍କୁ ଗୃହବିଭାଗର ସ୍ବତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ(ଓଏସ୍ଡି) ଭାବେ ଅବସ୍ଥାପିତ କରାଯାଇଛି। ଏସ୍ଏଫ୍ଏସ୍ଏଲ୍ ନିର୍ଦ୍ଦେଶକ ସନ୍ତୋଷ ବାଲାଙ୍କୁ କାରାଗାର ଅତିରିକ୍ତ ମହାନିର୍ଦ୍ଦେଶକ ଏବଂ କରେକ୍ସନାଲ ସର୍ଭିସ ନିର୍ଦ୍ଦେଶକର ଦୁଇଟି ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି।
ସେହିପରି ପରିବହନ ଆୟୁକ୍ତ ତଥା ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ(କାରଗାର) ଅମିତାଭ ଠାକୁରଙ୍କୁ କେବଳ ପରିବହନ ଆୟୁକ୍ତ ପଦରେ ଅବସ୍ଥାପିତ କରାଯାଇଥିବାବେଳେ ତାଙ୍କଠାରୁ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଦାୟିତ୍ୱ ଅପସାରଣ କରି ନିଆଯାଇଛି। ଅନ୍ୟପକ୍ଷରେ ୧୯୯୮ ବ୍ୟାଚ୍ର ବରିଷ୍ଠ ଆଇପିଏସ୍ ତଥା ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ(ଏସ୍ଏପି)ରାଜେଶ କୁମାରଙ୍କୁ ନିଜ ଦାୟିତ୍ୱ ସହିତ ଗୃହ ବିଭାଗର ସ୍ବତନ୍ତ୍ର ସଚିବ ଦାୟିତ୍ୱ ପ୍ରଦାନ କରାଯାଇଛି।
ସେହିପରି ୨୦୧୦ ବ୍ୟାଚ୍ର ଆଇପିଏସ୍ ସାରା ଶର୍ମାଙ୍କୁ ଭିଜିଲାନ୍ସ ଡିଆଇଜି ଭାବେ ନିଯୁକ୍ତ କରାଯାଇଥିବାବେଳେ ଗୁଣ୍ଡଲା ରେଡ୍ଡୀଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟର ଏଆଇଜି ଭାବେ, ଅମ୍ରିତପାଲ ସିଂହଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟ ଏସ୍ପି, ସୋନାଲି ସିଂହ ପରମାରଙ୍କୁ ଝାରସୁଗୁଡ଼ା ଏସ୍ପି ଏବଂ ତପନ ନାରାୟଣ ରଥଙ୍କୁ ନୂଆପଡ଼ା ଏସ୍ପି ଭାବେ ବଦଳି କରାଯାଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।