ଆନ୍ତର୍ଜାତୀୟ ମେଡିକାଲ ପ୍ରବେଶିକାରେ କେନ୍ଦୁଝର ପୁଅ ସିଦ୍ଧାର୍ଥଙ୍କ କମାଲ: IMAT-2026ରେ ୪୮ତମ ସ୍ଥାନ, ପାଇବେ…

Oct 29, 2026 - 22:08
ଆନ୍ତର୍ଜାତୀୟ ମେଡିକାଲ ପ୍ରବେଶିକାରେ କେନ୍ଦୁଝର ପୁଅ ସିଦ୍ଧାର୍ଥଙ୍କ କମାଲ: IMAT-2026ରେ ୪୮ତମ ସ୍ଥାନ, ପାଇବେ…

ପାଟଣା, ୨୯।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖୋରୀ ପଞ୍ଚାୟତର ପି.ଡି. ସିଦ୍ଧାର୍ଥ ସାରଥୀ ବେଜ ଆନ୍ତର୍ଜାତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା (IMAT-2026)ରେ ୪୮ତମ ସ୍ଥାନ ହାସଲ କରି ସମଗ୍ର ଅଞ୍ଚଳ ତଥା ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି। ଏହି ନିର୍ଣ୍ଣାୟକ ସଫଳତା ସହ ସେ ଇଟାଲୀ ସରକାରଙ୍କ ପ୍ରତିଷ୍ଠିତ ସ୍କଲାରସିପ୍ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ସିଦ୍ଧାର୍ଥ ମୂଷାଖୋରୀ ପଞ୍ଚାୟତର ଶିକ୍ଷକ ଦମ୍ପତି ପାର୍ଥସାରଥୀ ବେଜ ଓ ଦୀପ୍ତିମୟୀ ବେଜଙ୍କ ପୁଅ। ସେ ଇଟାଲୀର ଐତିହାସିକ ତଥା ବିଶ୍ୱପ୍ରସିଦ୍ଧ ମେସିନା ବିଶ୍ୱବିଦ୍ୟାଳୟରେ ଡାକ୍ତରୀ ଶିକ୍ଷା ଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି। ୧୫୪୮ ମସିହାରେ ପ୍ରତିଷ୍ଠିତ ଏହି ପ୍ରାଚୀନ ବିଶ୍ୱବିଦ୍ୟାଳୟରେ ପଢ଼ିବାର ସୁଯୋଗ ପାଇବା ଏକ ବିରଳ ଓ ସମ୍ମାନଜନକ କୃତିତ୍ୱ।

ପ୍ରକାଶଯୋଗ୍ୟ ଯେ, ଇଟାଲୀରେ ସର୍ବୋଚ୍ଚ ମାନର ଡାକ୍ତରୀ ଶିକ୍ଷା ପାଇଁ ଆନ୍ତର୍ଜାତୀୟ ସ୍ତରରେ ‘ଆଇଏମ୍‌ଏଟି’ (International Medical Admission Test) ପରୀକ୍ଷା ଅନୁଷ୍ଠିତ ହୋଇଥାଏ। ଏଥିରେ ମେଧାବୀ କୃତକାର୍ଯ୍ୟ ଛାତ୍ରଛାତ୍ରୀଙ୍କୁ ଇଟାଲୀ ସରକାରଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ସ୍କଲାରସିପ୍ ପ୍ରଦାନ କରାଯାଏ। ସିଦ୍ଧାର୍ଥଙ୍କ ଏହି ବିରାଟ ସଫଳତା ପାଇଁ ପାଟଣା ଅଞ୍ଚଳ ସମେତ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନାର ସୁଅ ଛୁଟିବାରେ ଲାଗିଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।