ଇତିହାସ ବଦଳାଇବେ ଅଭିଷେକ ଶର୍ମା: କରିବେ ଏହି ବଡ଼ ବିଶ୍ୱ ରେକର୍ଡ
ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଟି-୨୦ ସିରିଜ୍ର ଦ୍ୱିତୀୟ ମ୍ୟାଚ ଆଜି ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍ରେ ଖେଳାଯିବ। ଏହି ମ୍ୟାଚ୍ରେ ଭାରତୀୟ ଦଳର ବିସ୍ଫୋରକ ବ୍ୟାଟର୍ ଅଭିଷେକ ଶର୍ମାଙ୍କ ପାଖରେ ଏକ ବଡ଼ ବିଶ୍ୱ ରେକର୍ଡ ନିଜ ନାମରେ କରିବାର ସୁଯୋଗ ରହିଛି। ମାତ୍ର ୫୩ ରନ କରିପାରିଲେ ସେ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍ରେ ୨୦୦୦ ରନ ପୂରଣ କରିବେ।
ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍ରେ ସବୁଠାରୁ କମ ବଲ୍ରେ ୨୦୦୦ ରନ ପୂରଣ କରିବାର ରେକର୍ଡ ସୂର୍ଯ୍ୟକୁମାର ଯାଦବଙ୍କ ନାମରେ ରହିଛି। ସେ ମାତ୍ର ୧୧୬୪ଟି ବଲ୍ରେ ଏହି ସଫଳତା ହାସଲ କରିଥିଲେ। ଏହି ତାଲିକାରେ ଅଷ୍ଟ୍ରେଲିଆର ଆରୋନ ଫିଞ୍ଚ ୧୨୮୩ଟି ବଲ୍ରେ ୨୦୦୦ ରନ ପୂରଣ କରିଥିଲେ।
ଅନ୍ୟପଟେ, ଅଭିଷେକ ଏପର୍ଯ୍ୟନ୍ତ ୯୯୭ଟି ବଲ୍ରେ ୧୯୪୭ ରନ କରିଛନ୍ତି। ତେଣୁ ତାଙ୍କୁ ଆଉ ୫୩ ରନ ଆବଶ୍ୟକ। ଯଦି ସେ ୧୬୬ଟି କିମ୍ବା ତା’ଠାରୁ କମ ବଲ୍ରେ ଏହି ରନ କରିଦିଅନ୍ତି, ତେବେ ସୂର୍ଯ୍ୟକୁମାରଙ୍କ ରେକର୍ଡ ଭାଙ୍ଗି ନୂଆ ଇତିହାସ ରଚିପାରିବେ। ଅଭିଷେକ ତାଙ୍କର ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ବେଶ ପରିଚିତ। ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍ରେ ତାଙ୍କର ଷ୍ଟ୍ରାଇକ ରେଟ ୧୯୫.୨୯ ରହିଥିବା ବେଳେ ସେ ଏପର୍ଯ୍ୟନ୍ତ ୧୩୫ଟି ଛକା ମାରିଛନ୍ତି।
ପଡ଼ିଆକୁ ଓହ୍ଲାଇବା ମାତ୍ରେ ବଡ଼ ଶଟ ଖେଳିବାର କ୍ଷମତା ତାଙ୍କୁ ଅନ୍ୟ ବ୍ୟାଟରଙ୍କଠାରୁ ସ୍ବତନ୍ତ୍ର କରିଛି। ଏହି କାରଣରୁ ଆଜିର ମ୍ୟାଚ୍ରେ ତାଙ୍କଠାରୁ ଏକ ବଡ଼ ଇନିଂସ୍ର ଆଶା ରଖିଛନ୍ତି କ୍ରିକେଟ ପ୍ରଶଂସକ। ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତୀୟ ଦଳ ୮ ଉଇକେଟ୍ରେ ବିଜୟ ହାସଲ କରି ୧-୦ରେ ଆଗୁଆ ରହିଛି। ଲକ୍ଷ୍ନୌର ଏକାନା କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ ୧୭୨ ରନ୍ର ଲକ୍ଷ୍ୟକୁ ସହଜରେ ହାସଲ କରିଥିଲା।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।