କୋରମ୍‌ ନ ଥାଇ ଶିକ୍ଷା କମିଟି ଗଠନକୁ ନେଇ ତୀବ୍ର ବିରୋଧ

Oct 17, 2026 - 17:54
କୋରମ୍‌ ନ ଥାଇ ଶିକ୍ଷା କମିଟି ଗଠନକୁ ନେଇ ତୀବ୍ର ବିରୋଧ

କେସିଙ୍ଗା,୧୭ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଲଇତରା ଉଚ୍ଚ ବିଦ୍ୟା ମନ୍ଦିରର କାର୍ଯ୍ୟକାଳ ସମାପ୍ତି ପରେ ନୂତନ କମିଟି ଗଠନ କରିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। କିନ୍ତୁ ଏହି ବୈଠକରେ କେବଳ ମାତ୍ର ୨୩ ଜଣ ଉପସ୍ଥିତ ଥିଲେ । ଯାହାକି ଶିକ୍ଷକ ୫ ଜଣ,ସ୍କୁଲର ପୂର୍ବତନ ଶିକ୍ଷକ ଜଣେ, ଅଣ ଶିକ୍ଷକ ଜଣେ,ଚତୁର୍ଥ ଶ୍ରେଣୀ କର୍ମଚାରୀ ଜଣେ, ଯୋଲକୋ ଗ୍ରାମରୁ ଜଣେ, ଦେଣ୍ଡୋଗୁଡ଼ା ରୁ ଜଣେ, ବାକି ଲଇତରା ଗ୍ରାମରୁ ୧୪ ଜଣ ଏପରି ମୋଟ୍‌ ୨୩ ଜଣ ଉପସ୍ଥିତ ଥିଲେ । ଉକ୍ତ ସ୍କୁଲରେ ୧୧୯ ଜଣ ଛାତ୍ରୀଛାତ୍ରଙ୍କ ଅଭିଭାବକମାନେ ଉପସ୍ଥିତ ରହିବା କଥା। କିନ୍ତୁ ଏଥି ମଧ୍ୟରୁ ମାତ୍ର ଦୁଇ ଜଣ ଅଭିଭାବକ ଯୋଗ ଦେଇଥିଲେ। ପ୍ରଧାନଶିକ୍ଷକଙ୍କ ପ୍ରଚାର ପ୍ରସାର ଅଭାବରୁ ଅଭିଭାବକମାନଙ୍କୁ ନୋଟିସ ଦିଆ ଯାଇ ନ ଥିଲା। କିନ୍ତୁ କମ୍‌ ସଂଖ୍ୟକ ଅଭିଭାବକ ଥାଇ କମିଟି ଗଠନ କରାଯାଇ ଥିବାରୁ ଗ୍ରାମର ଶିକ୍ଷାବିତ୍‌ ଓ ବୁଦ୍ଧିଜୀବୀମାନେ ନା ପସନ୍ଦ କରି ଏହି ନୂତନ କମିଟିକୁ ବାତିଲ କରି ପୁନଃବାର ନୂତନ କମିଟି ଗଠନ କରିବାକୁ ଦୃଢ ଦାବି କରୁଛନ୍ତି।

ପ୍ରକାଶ ଥାଉକି , ଏହି କମିଟି ଗଠନ କରିବାପାଇଁ ପୂର୍ବରୁ ସ୍କୁଲ ତରଫରୁ ପ୍ରତ୍ୟେକ ଗ୍ରାମ,ପଡ଼ା,ଓ ଗ୍ରାମ ପଞ୍ଚାୟତ ଠାରେ ସାତ ଦିନ ପୂର୍ବରୁ ନୋଟିସ୍‌ ଛାପିବା କଥା କିନ୍ତୁ, ତାହା କରା ନ ଯାଇ ଗୁପ୍ତ ଭାବେ ଶିକ୍ଷା କମିଟି ଗଠନ କରା ଯାଇଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି।
ବର୍ତ୍ତମାନ ଯେଉଁ ଶିକ୍ଷା କମିଟି ଗଠନ କରାଯାଇଛି,ତାହା ଉପଯୁକ୍ତ ନୁହେଁ ବୋଲି ଅଭିଭାବକ ତଥା ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ କେସିଙ୍ଗା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମଙ୍ଗରାଜ ବାବୁଙ୍କୁ ପଚାରିବାରୁ ସେ କହିଲେ ଏହି ହାଇସ୍କୁଲ କଥା ଆମ୍ଭେ ଅଧା ବୁଝୁ ବାକି ଡି ଇ ଓ ବୁଝନ୍ତି ତାଙ୍କୁ ବୁଝନ୍ତୁ, କିନ୍ତୁ ସେ କହିଲେ କମ୍‌ ସଂଖ୍ୟକ ଅଭିଭାବକଙ୍କ ଉପସ୍ଥିତରେ କମିଟି କରିବା କଥା ନୁହେଁ , ପୁଣି ଯେଉ ସ୍କୁଲ ରେ ଶିକ୍ଷକ ଅବସର ନେଇଥିବେ ସେହି ସ୍କୁଲରେ ପରିଚାଳନା କମିଟିରେ ସାମିଲ ହୋଇ ପାରିବେ ନାହିଁ ବୋଲି କହିଥିଲେ। ତେଣୁ ବର୍ତ୍ତମାନ ପରିସ୍ଥିତିରେ ଏହି କମିଟିକୁ ଭଙ୍ଗ କରି ଯଥାଶୀଘ୍ର ଆଉ ଗୋଟିଏ ନୂତନ କମିଟି ଗଠନ କରିବା ପାଇଁ ଅଭିଭାବକ ତଥା ବୁଦ୍ଧିଜୀବୀମାନେ ଜିଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।