ଛତ୍ରପୁର ବ୍ଲକକୁ ମିଳିଲେ ନୂଆ ଅଧ୍ୟକ୍ଷା, ବିଧାୟକଙ୍କ ଉପସ୍ଥିତିରେ ନେଲେ ଦାୟିତ୍ୱ
ଛତ୍ରପୁର,୯ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପଞ୍ଚାୟତ ସମିତିର ଭାରପ୍ରାପ୍ତ ଅଧ୍ୟକ୍ଷା ଭାବେ ଏସ୍. ସାରଦା ରେଡ୍ଡୀ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି।
ଛତ୍ରପୁର ମ୍ୟୁନିସିପାଲିଟି ଗଠନ ହେବା ପରେ ବ୍ଲକର ୫ଟି ପଞ୍ଚାୟତ ଏଥିରେ ସାମିଲ ହୋଇଥିଲା। ପୂର୍ବତନ ଅଧ୍ୟକ୍ଷା କିରଣ କୁମାରୀ ଦାସ ପ୍ରତିନିଧିତ୍ୱ କରୁଥିବା ଅଗସ୍ତି ନୂଆଗାଁ ପଞ୍ଚାୟତ ମଧ୍ୟ ମ୍ୟୁନିସିପାଲିଟି ଅଧୀନକୁ ଚାଲିଯିବାରୁ ଦୀର୍ଘଦିନ ଧରି ଛତ୍ରପୁର ବ୍ଲକ ଅଧ୍ୟକ୍ଷା ପଦବୀ ଖାଲି ପଡ଼ିଥିଲା। ଆଜି ବ୍ଲକ ଉପାଧ୍ୟକ୍ଷା ଏସ୍. ସାରଦା ରେଡ୍ଡୀ ବିଧିବଦ୍ଧ ଭାବେ ଭାରପ୍ରାପ୍ତ ଅଧ୍ୟକ୍ଷା ରୂପେ ଦାୟିତ୍ୱ ଗ୍ରହଣ କରିଛନ୍ତି।
ବ୍ଲକ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମ୍ବିତ ସଂଗ୍ରାମଜିତ୍ ସାହୁଙ୍କ ଉପସ୍ଥିତିରେ ତାଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ବ୍ଲକର ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ/ସଭ୍ୟା ଏବଂ ବହୁ ଜନପ୍ରତିନିଧି ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମ ସହିତ ଆୟୋଜିତ ‘ସେବା ସେତୁ’ ଶିବିରରେ କେତେକ ହିତାଧିକାରୀଙ୍କୁ ଭତ୍ତା ଓ ରାଶନ କାର୍ଡ ବଣ୍ଟନ କରାଯାଇଥିଲା। ଏହାସହ ୬ଟି ମିଶନ ଶକ୍ତି ମହିଳା ଗୋଷ୍ଠୀଙ୍କୁ ମୋଟ ୯ ଲକ୍ଷ ଟଙ୍କାର ଋଣ ସହାୟତା ପ୍ରଦାନ କରାଯାଇଥିଲା।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।