ଝୁଲନ୍ତା ଅବସ୍ଥାରେ ମିଳିଲା ଗଳିତ ମୃତଦେହ ଠାବ: ଆଧାର କାର୍ଡରୁ ପରିଚୟ
ଦାରିଙ୍ଗବାଡ଼ି, ୫/୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ରେନବୋ ଜଳପ୍ରପାତ ନିକଟରୁ ଝୁଲନ୍ତା ଅବସ୍ଥାରେ ଏକ ଗଳିତ ମୃତଦେହକୁ ପୋଲିସ ଠାବ କରିଛି। ମୃତଦେହ ନିକଟରେ ଥିବା ଏକ ବ୍ୟାଗରୁ ମିଳିଥିବା ଆଧାର କାର୍ଡ ମାଧ୍ୟମରେ ପୁଲିସ ମୃତକଙ୍କ ପରିଚୟ ଜାଣିବା ସହ ପରିବାର ଲୋକଙ୍କୁ ସୂଚନା ଦେଇଛି।
ମୃତକ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଞ୍ଚଳର କିଶୋର ନାୟକଙ୍କ ପୁଅ ଜଗନ୍ନାଥ ନାୟକ ବୋଲି ଆଇଆଇସି ସଂଗ୍ରାମ କେଶରୀ ଜେନା ସୂଚନା ଦେଇଛନ୍ତି।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସୋମବାର ଅପରାହ୍ନରେ ରେନବୋ ଜଳପ୍ରପାତ ନିକଟରେ ଏକ ଗଳିତ ମୃତଦେହ ଦଉଡ଼ିରେ ଝୁଲୁଥିବା ନେଇ ପୁଲିସ ଖବର ପାଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ବେଳେ ନିକଟରେ ଏକ ବ୍ୟାଗ ପଡ଼ିଥିବା ଦେଖିଥିଲା। ବ୍ୟାଗ ଭିତରୁ ମୋବାଇଲ, ହାତଘଣ୍ଟା, ଆଧାର କାର୍ଡ ଆଦି ମିଳିଥିଲା।
ଆଧାର କାର୍ଡରୁ ପୋଲିସ ମୃତକଙ୍କ ପରିଚୟ ଜାଣିବା ସହ ମୋବାଇଲରୁ ତାଙ୍କ ସମ୍ପର୍କୀୟଙ୍କ ନମ୍ବର ସଂଗ୍ରହ କରି ଯୋଗାଯୋଗ କରିଥିଲା। ପ୍ରାଥମିକ ତଦନ୍ତରୁ ମୃତକ କିଛି ଦିନ ପୂର୍ବରୁ ଦାରିଙ୍ଗବାଡ଼ିର ଏକ ହୋଟେଲରେ ରହିଥିବା ଏବଂ ସେଠାରୁ ରେନବୋ ଜଳପ୍ରପାତକୁ ଯାଇଥିବା ପୋଲିସ ଜାଣିପାରିଛି।
ତେବେ ମୃତଦେହଟି ଯେଉଁ ଅବସ୍ଥାରେ ଦଉଡ଼ିରେ ଝୁଲି ରହିଛି, ତାହାକୁ ନେଇ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ କରୁଛି। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନମୁନା ସଂଗ୍ରହ କରିବା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯିବ। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।
ବର୍ତ୍ତମାନ ମୃତଦେହ ଘଟଣାସ୍ଥଳରେ ରହିଛି। ମଙ୍ଗଳବାର ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିବେ। ସାଇଣ୍ଟିଫିକ୍ ଟିମ୍ ଆସିବା ପରେ ମୃତଦେହକୁ ବ୍ରହ୍ମପୁର ନେଇ ବ୍ୟବଚ୍ଛେଦ କରାଯିବ ବୋଲି ଆଇଆଇସି ସଂଗ୍ରାମ କେଶରୀ ଜେନା ସୂଚନା ଦେଇଛନ୍ତି।
ଏନେଇ ଦାରିଙ୍ଗବାଡ଼ି ପୋଲିସ ଏକ ଅପମୃତ୍ୟୁ ମାମଲା (୧୪/୨୬) ରୁଜୁ କରି ଅଧିକ ତଦନ୍ତ ଚଳାଇଛି। ମୃତକ ପର୍ଯ୍ୟଟକ ହୋଇଥିବା ନେଇ ମଧ୍ୟ ପ୍ରାଥମିକ ଭାବେ ଆଶଙ୍କା କରାଯାଉଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।