ଟାଟା ଗ୍ରୁପ୍‌ର ବଜାର ପୁଞ୍ଜିରେ ୧୦% ହ୍ରାସ, ନିବେଶକଙ୍କୁ ପ୍ରଭାବିତ କରିଛି ବିବାଦ

Oct 02, 2026 - 14:01
ଟାଟା ଗ୍ରୁପ୍‌ର ବଜାର ପୁଞ୍ଜିରେ ୧୦% ହ୍ରାସ, ନିବେଶକଙ୍କୁ ପ୍ରଭାବିତ କରିଛି ବିବାଦ

ମୁମ୍ବାଇ,୨।୧୦: ଟାଟା ଟ୍ରଷ୍ଟ ଏବଂ ଟାଟା ସନ୍ସ ମଧ୍ୟରେ ଚାଲିଥିବା ବିବାଦ ଏବେ ନିବେଶକମାନଙ୍କୁ ପ୍ରଭାବିତ କରିଛି । ଏହି କାରଣରୁ ଟାଟା ଗ୍ରୁପ ଅନ୍ତର୍ଭୁକ୍ତ ଅନେକ କମ୍ପାନୀର ବଜାର ପୁଞ୍ଜି(ଏମ୍‌-କ୍ୟାପ୍‌)ରେ ଅନୂ୍ୟନ ୧୦ ପ୍ରତିଶତ ହ୍ରାସ ପାଇବା ସହିତ ପ୍ରାୟ ୨.୭ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି । ଏ ସମ୍ପର୍କରେ ମିଳିଥିବା ତଥ୍ୟ ଅନୁଯାୟୀ, ଅଗଷ୍ଟ ୧୨ରୁ ସେପ୍ଟେମ୍ବର ୩୦ ମଧ୍ୟରେ ଟାଟା ଗ୍ରୁପର ମୋଟ ୨୬ଟି ତାଲିକାଭୁକ୍ତ ଶେୟାରର ମିଳିତ ବଜାର ପୁଞ୍ଜିରେ ୨,୬୫,୭୪୮ କୋଟି ଟଙ୍କା ହ୍ରାସ ପାଇଥିଲାବେଳେ ମୋଟ ବଜାର ପୁଞ୍ଜି ପରିମାଣ ୨୭,୦୨,୯୧୫ କୋଟି ଟଙ୍କାରୁ ୨୪,୩୭,୧୬୬ କୋଟି ଟଙ୍କାକୁ ଖସି ଆସିଛି। ଟାଟା ଗ୍ରୁପର ୨୬ଟି ଶେୟାର ମଧ୍ୟରୁ ୨୩ଟି ନକାରାତ୍ମକ ରିଟର୍ଣ୍ଣ ଦେଇଥିବା ବେଳେ କମ୍ପାନୀର ଶେୟାର ଦୁଇଅଙ୍କ ବିଶିଷ୍ଟ ହ୍ରାସ ରେକର୍ଡ କରିଛି।
ଅଗଷ୍ଟ ୧୨ରେ ଟାଟା ସନ୍ସର ଚେୟାରମ୍ୟାନ ଭାବେ ଏନ୍‌.ଚନ୍ଦ୍ରଶେଖରନ ପୁନଃ ନିଯୁକ୍ତି ନ ଚାହିଁବା ନିଷ୍ପତ୍ତି, ଟାଟା ସନ୍ସର ଅପର୍‌-ଲେୟାର ଅଣ-ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ ଭାବରେ ପଞ୍ଜୀକରଣ ପ୍ରତ୍ୟାହାର କରିବା ପାଇଁ କରାଯାଇଥିବା ଆବେଦନକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରତ୍ୟାଖ୍ୟାନ କରିବା ଏବଂ ଏହା ପରେ ଟାଟା ସନ୍ସ ବୋର୍ଡ ଦ୍ୱାରା ଚନ୍ଦ୍ରଶେଖରନ୍‌ଙ୍କ ପୁନଃ ନିଯୁକ୍ତି ଓ ଏହାକୁ ନୋଏଲ ଟାଟାଙ୍କ ବିରୋଧ ସମ୍ପ୍ରତି ଟାଟା ଗ୍ରୁପ ଶେୟାରଗୁଡ଼ିକ ଉପରେ ଚାପ ସୃଷ୍ଟି କରିଛି।
ଟାଟା ସନ୍ସ ବୋର୍ଡ ଆଇପିଓ ଇସ୍ୟୁ କରିବା ଲାଗି ଅନୁମୋଦନ ଦେବା ଏବଂ ପରବର୍ତ୍ତୀ ସମୟରେ ଲିଷ୍ଟିଂରୁ ବର୍ତ୍ତିବା ପାଇଁ ଟାଟା ସନ୍ସ ସହିତ ଏହାର ଦୁଇଟି ଅଣ-ସୂଚୀବଦ୍ଧ ସଂସ୍ଥାର ମିଶ୍ରଣ ପାଇଁ ପ୍ରସ୍ତାବ ଦେବା ମଧ୍ୟ ନିବେଶକଙ୍କ ମନୋଭାବ ଉପରେ ପ୍ରଭାବ ପକାଇଛି।
ଟାଟା ଏଲକ୍ସି ଲିମିଟେଡ ଏବଂ ଟାଟା ମୋଟର୍ସ ପାସେଞ୍ଜର ଭେହିକିଲ୍ସର ଶେୟାର ମୂଲ୍ୟ ୧୭% ହାରରେ ହ୍ରାସ ପାଇଥିଲାବେଳେ ଭୋଲଟାସ୍‌ ଲିମିଟେଡ ୧୭ %, ଟାଟା ଟେକ୍ନୋଲୋଜିସ୍‌ ୧୫.୮୬% ଏବଂ ଟିଆରଏଫ୍‌ ଲିମିଟେଡର ଶେୟାର ମୂଲ୍ୟ ୧୩.୯୫ ପ୍ରତିଶତ ହ୍ରାସ ପାଇଛି। ସେହିପରି ପ୍ରମୁଖ କମ୍ପାନୀ ଟାଟା କନସଲଟାନ୍ସି ସର୍ଭିସେସ (ଟିସିଏସ୍‌) ଏବଂ ଟ୍ରେଣ୍ଟ ଲିମିଟେଡର ଶେୟାର ମୂଲ୍ୟ ମଧ୍ୟ ୧୨ ରୁ୧୪ ପ୍ରତିଶତ ହ୍ରାସ ପାଇଥିବା ଜଣାପଡ଼ିଛି ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।