ଡେରାବିଶ ବ୍ଲକରେ ୧.୦୬ କୋଟି ଟଙ୍କା ହଡ଼ପ ମାମଲା: କ୍ୟାସିୟର ଶଶିକାନ୍ତ ରଣା ନିଲମ୍ବିତ, ଭିଜିଲାନ୍ସ ତଦନ୍ତ ସହ…

Nov 06, 2026 - 22:26
ଡେରାବିଶ ବ୍ଲକରେ ୧.୦୬ କୋଟି ଟଙ୍କା ହଡ଼ପ ମାମଲା: କ୍ୟାସିୟର ଶଶିକାନ୍ତ ରଣା ନିଲମ୍ବିତ, ଭିଜିଲାନ୍ସ ତଦନ୍ତ ସହ…

ଡେରାବିଶ,୬।୧୧(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ବହୁଚର୍ଚ୍ଚିତ ସରକାରୀ ଅର୍ଥ ହଡ଼ପ ମାମଲାରେ କ୍ୟାସିୟର ଶଶିକାନ୍ତ ରଣାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୧ କୋଟି ୬ ଲକ୍ଷ ୩ ହଜାର ୫୯୫ ଟଙ୍କାର ସରକାରୀ ପାଣ୍ଠି ଆତ୍ମସାତ ଅଭିଯୋଗରେ କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆର ଆୟାର ଚିଠି ନଂ-୨୧୦୨ (ତା ୦୫.୧୧.୨୦୧୬) ଅନୁଯାୟୀ ଅଭିଯୁକ୍ତ କ୍ୟାସିୟରଙ୍କୁ ଚାକିରୀରୁ ନିଲମ୍ବନ କରିଛନ୍ତି। ନିଲମ୍ବନ ସମୟରେ ସେ ଗରଦପୁର ତହସିଲ କାର୍ଯ୍ୟାଳୟରେ ଯୋଗଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ଅନୁଯାୟୀ, କ୍ୟାସିୟର ଶଶିକାନ୍ତ ରଣା ସରକାରୀ ଜମାଖାତାରୁ ୧,୦୬,୦୩,୫୯୫ ଟଙ୍କା ହଡ଼ପ କରି ତିନି ଜଣଙ୍କ ଜମାଖାତାକୁ ଟ୍ରାନ୍ସଫର କରିଥିବା ନେଇ ଜିଲା ଟ୍ରେଜେରୀ ଅଧିକାରୀ ସଚିଦାନନ୍ଦ ବେହେରା ଜିଲାପାଳ ଓ ଡେରାବିଶ ବିଡ଼ିଓଙ୍କୁ ଚିଠି ଲେଖି ଅବଗତ କରାଇଥିଲେ। ଏଥିସହ ଉକ୍ତ ଟଙ୍କା ତୁରନ୍ତ ରିକଭରୀ କରିବାକୁ ଅନୁରୋଧ କରିଥିଲେ।

ଘଟଣା ସମ୍ପର୍କରେ ଖବର ପାଇବା ପରେ, ଗତ ମାସ ୨୮ ତାରିଖରୁ ଛୁଟିରେ ଥିବା ଶଶିକାନ୍ତଙ୍କ କାର୍ଯ୍ୟାଳୟ ରୁମ୍ ବନ୍ଦ ଥିବାରୁ ଗୁରୁବାର ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ତାଲା ଭଙ୍ଗା ଯାଇଥିଲା। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡ଼ା ବ୍ଲକର ୩ ଜଣ କର୍ମଚାରୀ ଆର୍ଥିକ ନଥିପତ୍ରର ଯାଞ୍ଚ କରୁଛନ୍ତି।

ଏଥିସହିତ ଡେରାବିଶ ଓ ମାର୍ଶାଘାଇ ବ୍ଲକର ଫାଇନାନ୍ସ ଅଧିକାରୀମାନେ ଯାଞ୍ଚ ପ୍ରକ୍ରିୟା ଜାରି ରଖିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପେଶାଲ ଅଡିଟ୍ ପାଇଁ ଆସିଥିବା ଦୁଇଜଣ ଅଧିକାରୀ ବ୍ଲକ ଓ ଜିଲା ଟ୍ରେଜେରୀ କାର୍ଯ୍ୟାଳୟରେ ସମସ୍ତ କାଗଜପତ୍ରର ଅନୁଧ୍ୟାନ କରୁଛନ୍ତି। ଆବଶ୍ୟକ ପଡ଼ିଲେ ଏହି ସମ୍ପୂର୍ଣ୍ଣ ମାମଲାର ଭିଜିଲାନ୍ସ ତଦନ୍ତ କରାଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।