ଦାଦନ ଶ୍ରମିକଙ୍କ ମରଶରୀର ଗାଁକୁ ଆଣିବାକୁ ଉଦ୍ୟମ: ସହାୟତା ମଞ୍ଜୁର
ଦାରିଙ୍ଗବାଡ଼ି,୫।୧୦(ଅରୁଣ ସାହୁ):କେରଳରେ ଦାଦନ ଶ୍ରମିକ ଭାବେ କାମ କରୁଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କାଟିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ଆଡ଼ିବଙ୍ଗା ଗ୍ରାମର ସନ୍ତୋଷ ମଲ୍ଲିକ (୪୬)ଙ୍କ ହଠାତ୍ ମୃତ୍ୟୁ ଘଟିଛି। ତାଙ୍କ ମରଶରୀର କେରଳର କନ୍ନୁର ଜିଲାର ଏକ ସରକାରୀ ହସ୍ପିଟାଲରେ ରହିଥିବା ଜଣାପଡ଼ିଛି।
ପରିବାର ପ୍ରତିପୋଷଣ ପାଇଁ ସନ୍ତୋଷ ଦୀର୍ଘଦିନ ଧରି କେରଳରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ। ତାଙ୍କ ପରିବାରରେ ସ୍ତ୍ରୀ ସ୍ନେହଲତା ମଲ୍ଲିକଙ୍କ ସମେତ ୫ ଜଣ ପୁଅଝିଅ ଅଛନ୍ତି। ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇ ପରିବାର ଏବେ ଗଭୀର ଆର୍ଥିକ ସଙ୍କଟରେ ପଡ଼ିଛି।
ସନ୍ତୋଷଙ୍କ ମରଶରୀରକୁ କେରଳରୁ ନିଜ ଜନ୍ମମାଟି ଆଡ଼ିବଙ୍ଗାକୁ ଆଣିବା ପାଇଁ ଯାତାୟାତ ଓ ଅନ୍ୟାନ୍ୟ ଖର୍ଚ୍ଚ ବହନ କରିବାର ସାମର୍ଥ୍ୟ ପରିବାରର ନଥିବାରୁ ସାମାଜିକ ସଂଗଠନ ସୋସିଆଲ ୱର୍କର୍ସ ଆସୋସିଏସନ ଅଫ କନ୍ଧମାଳ (ସ୍ବାକ) ପକ୍ଷରୁ ଜିଲାପାଳଙ୍କୁ ସହାୟତା ପାଇଁ ନିବେଦନ କରାଯାଇଥିଲା।
ଘଟଣା ସମ୍ପର୍କରେ ସ୍ବାକର ପ୍ରତିନିଧିମାନେ କନ୍ଧମାଳ ଜିଲାପାଳଙ୍କୁ ସାକ୍ଷାତ କରି ମୃତକଙ୍କ ମରଶରୀରକୁ କେରଳରୁ ଗାଁକୁ ଫେରାଇ ଆଣିବା ପାଇଁ ତ୍ୱରିତ ସହାୟତା ଯୋଗାଇଦେବାକୁ ଅନୁରୋଧ କରିଥିଲେ। ଜିଲ୍ଲାପାଳ ଘଟଣାକୁ ଗୁରୁତ୍ୱ ଦେଇ ମାନବିକତାର ସହ ତୁରନ୍ତ ପଦକ୍ଷେପ ନେଇ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୩୦ ହଜାର ଟଙ୍କାର ସହାୟତା ମଞ୍ଜୁର କରିଛନ୍ତି।
ମଞ୍ଜୁର ହୋଇଥିବା ସହାୟତା ରାଶିର ଚେକ ସୱାକର ସଭାପତି ଆମନ ଚନ୍ଦ୍ର ନାୟକ, କୋଷାଧ୍ୟକ୍ଷ ସାମନ୍ତ ଶେଖର ନାୟକ ଏବଂ ଜିଲା ମିଡିଆ ଫୋରମ ସଭାପତି ସୁନୀଲ ବିଶାଳ ଗ୍ରହଣ କରିଥିଲେ। ପରେ ସେମାନେ ମୃତକଙ୍କ ପରିବାରକୁ ଭେଟି ଚେକ ପ୍ରଦାନ କରିଥିଲେ। ଏହି ସମୟରେ ସୱାକର ସମ୍ପାଦକ ହୃଷିକେଶ ପ୍ରଧାନ ଓ ସନ୍ତୋଷ ଦିଗାଲ ଉପସ୍ଥିତ ଥିଲେ।
ଏହି ଘଟଣା ପୁଣିଥରେ କନ୍ଧମାଳ ଜିଲାର ଦାଦନ ଶ୍ରମିକଙ୍କ ଦୁଃଖଦ ପରିସ୍ଥିତିକୁ ସାମ୍ନାକୁ ଆଣିଛି। ସୂଚନା ଅନୁଯାୟୀ, ଗତ ଦୁଇ ମାସ ମଧ୍ୟରେ କନ୍ଧମାଳ ଜିଲାର ୧୬ ଜଣ ଦାଦନ ଶ୍ରମିକଙ୍କ ଦୁଃଖଦ ମୃତ୍ୟୁ ଘଟିଥିବା ନେଇ ଜଣାପଡ଼ିଛି। ଏହାକୁ ନେଇ ଜିଲାରେ ଚିନ୍ତା ପ୍ରକାଶ ପାଇଛି। ସ୍ଥାନୀୟ ଅଞ୍ଚଳରେ ଅଧିକ ରୋଜଗାର ସୁଯୋଗ ସୃଷ୍ଟି କରାଗଲେ ବାହାର ରାଜ୍ୟକୁ ଦାଦନ ଯାଉଥିବା ଶ୍ରମିକଙ୍କ ସଂଖ୍ୟା କମିପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଏଥିସହ ବାହାର ରାଜ୍ୟକୁ ଯାଉଥିବା ଶ୍ରମିକଙ୍କ ପଞ୍ଜୀକରଣ, ସୁରକ୍ଷା ଓ ଆପତ୍କାଳୀନ ସହାୟତା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାର ଆବଶ୍ୟକତା ରହିଛି।
ଜିଲାପାଳଙ୍କ ତ୍ୱରିତ ମାନବିକ ହସ୍ତକ୍ଷେପ ଯୋଗୁ ସନ୍ତୋଷ ମଲ୍ଲିକଙ୍କ ମରଶରୀରକୁ କେରଳରୁ ତାଙ୍କ ଜନ୍ମମାଟିକୁ ଫେରାଇ ଆଣିବା ପ୍ରକ୍ରିୟାରେ ପରିବାରକୁ ସହାୟତା ମିଳିପାରିଛି। ଏହି ଦୁଃଖଦ ସମୟରେ ସହଯୋଗର ହାତ ବଢ଼ାଇଥିବାରୁ ପରିବାର ପକ୍ଷରୁ ଜିଲାପାଳ ଏବଂ ସୱାକ ପରିବାର ପ୍ରତି କୃତଜ୍ଞତା ଜଣାଯାଇଛି। ଦାଦନ ଶ୍ରମିକଙ୍କ ଦୁଃଖଦ ମୃତ୍ୟୁ ରୋକିବା ସହ ନିଜ ଜିଲ୍ଲାରେ ରୋଜଗାର ସୃଷ୍ଟି, ଶ୍ରମିକଙ୍କ ସୁରକ୍ଷା ଏବଂ ସଙ୍କଟ ସମୟରେ ତୁରନ୍ତ ସରକାରୀ ସହାୟତା ଯୋଗାଇବା ଦିଗରେ ଅଧିକ ପ୍ରଭାବୀ ପଦକ୍ଷେପ ନିଆଯିବା ଆବଶ୍ୟକ ବୋଲି ସାଧାରଣ ମହଲରେ ମତ ପ୍ରକାଶ ପାଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।