ଧନତେରସ ପୂର୍ବରୁ ସୁନା ଦରକୁ ନେଇ ଆସିଲା ବଡ଼ ଅପଡେଟ୍, ଏକ୍ସପର୍ଟ କହିଲେ ଏବେ ସୁନା କିଣିଲେ…
ନୂଆଦିଲ୍ଲୀ,୫ା୧୧: ସୁନା ଦର ଲଗାତାର ହ୍ରାସ ପାଉଛି। ଗୋଟିଏ ସମୟରେ ସୁନା ଦର ୨ ଲକ୍ଷ ଟଙ୍କା ଟପିବ ବୋଲି ଚର୍ଚ୍ଚା ହେଉଥିଲା। ଜାନୁଆରୀ ମାସରେ ଏହାର ଦାମ ୧.୭୫ ଲକ୍ଷ ଟଙ୍କାରୁ ଅଧିକ ହୋଇଥିଲା। କିନ୍ତୁ ଏବେ ସୁନା ଦର ୧.୫ ଲକ୍ଷ ଟଙ୍କା ତଳକୁ ଖସିଛି। ବିବାହ ଋତୁ ଓ ଧନତେରସ ପର୍ବ ଆସିଥିବା ବେଳେ ସୁନା ଦର କମିବା ଗ୍ରାହକଙ୍କୁ ଖୁସି କରିଛି। ତେବେ ଆଗକୁ ଦର ଆହୁରି କମିବ କି ନାହିଁ, ଏହାକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି।
କାରଣ, ଗତ କିଛି ମାସ ହେଲା ସୁନା ଦର କ୍ରମାଗତ ଭାବେ କମିବାରେ ଲାଗିଛି। ଜାନୁଆରୀ ମାସରେ ସୁନା ଦର ସର୍ବାଧିକ ସ୍ତର ଛୁଇଁ ୧୦ ଗ୍ରାମ ପିଛା ୧.୭୫ ଲକ୍ଷ ଟଙ୍କାରୁ ଅଧିକ ହୋଇଥିଲା। କିନ୍ତୁ ଅକ୍ଟୋବର ଶେଷ ସୁଦ୍ଧା ଏହା ହ୍ରାସ ପାଇ ପ୍ରାୟ ୧.୪୩ ଲକ୍ଷ ଟଙ୍କାରେ ପହଞ୍ଚିଥିଲା। ଅର୍ଥାତ୍ ସୁନା ଦରରେ ପ୍ରାୟ ୨୦ ପ୍ରତିଶତ ହ୍ରାସ ଘଟିଛି। ଏବେ ମଧ୍ୟ ସୁନା ଦରରେ ଛୋଟ ଛୋଟ ପରିବର୍ତ୍ତନ ସହ ହ୍ରାସ ଜାରି ରହିଛି। ଏହାର ଏକ ପ୍ରମୁଖ କାରଣ ହେଉଛି ଆମେରିକା ସରକାରୀ ବଣ୍ଡ୍ରୁ ମିଳୁଥିବା ସୁଧ ହାର ଅଧିକ ରହିବା।
ସୁନା ଦର କମିବା ପଛରେ ଆମେରିକାର ସରକାରୀ ବଣ୍ଡ୍ର ମଧ୍ୟ ଏକ ବଡ଼ ଭୂମିକା ରହିଛି। ଏହି ବଣ୍ଡ୍ଗୁଡ଼ିକୁ ଆମେରିକା ସରକାରଙ୍କ ଗ୍ୟାରେଣ୍ଟି ଥିବାରୁ ଏହାକୁ ଏକ ସୁରକ୍ଷିତ ନିବେଶ ଭାବେ ଧରାଯାଏ। ତେଣୁ ବିଶ୍ୱର ବଡ଼ ବଡ଼ ବ୍ୟାଙ୍କ, କେନ୍ଦ୍ରୀୟ ବ୍ୟାଙ୍କ ଓ ନିବେଶକମାନେ ଏଥିରେ ଟଙ୍କା ଲଗାଇଥାନ୍ତି। ଏହି ବଣ୍ଡ୍ରୁ ମିଳୁଥିବା ସୁଧ ହାରକୁ ‘ୟିଲ୍ଡ’ କୁହାଯାଏ। ପୂର୍ବରୁ ଏହାର ରିଟର୍ଣ୍ଣ ୨ରୁ ୩ ପ୍ରତିଶତ ଥିଲା। କିନ୍ତୁ ଇରାନକୁ ନେଇ ଉତ୍ତେଜନା ବଢ଼ିବା ପରେ ବିଶ୍ୱ ବଜାରରେ ଅଶୋଧିତ ତେଲ ଦର ବଢ଼ିଥିଲା। ଫଳରେ ଆମେରିକାରେ ମୁଦ୍ରାସ୍ଫୀତି ବଢ଼ିବାର ଆଶଙ୍କା ସୃଷ୍ଟି ହୋଇଥିଲା ଏବଂ ସୁଧ ହାର ବଢ଼ାଇବାକୁ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ୍ ରିଜର୍ଭ ଉପରେ ଚାପ ପଡ଼ିଥିଲା। ଏହାର ପ୍ରଭାବରେ ଆମେରିକା ସରକାରୀ ବଣ୍ଡ୍ର ୟିଲ୍ଡ ମଧ୍ୟ ବଢ଼ି ୫ ପ୍ରତିଶତରୁ ଅଧିକ ହୋଇଛି। ଅର୍ଥାତ୍ ଆମେରିକା ସରକାରଙ୍କ ବଣ୍ଡ୍ରେ ଟଙ୍କା ନିବେଶ କଲେ ବର୍ଷକୁ ୫ ପ୍ରତିଶତରୁ ଅଧିକ ରିଟର୍ଣ୍ଣ ମିଳିପାରିବ। ଏଭଳି ସ୍ଥିତିରେ ଅନେକ ବଡ଼ ନିବେଶକ ସୁନା ବଦଳରେ ଆମେରିକା ସରକାରୀ ବଣ୍ଡ୍ରେ ଟଙ୍କା ଲଗାଇବାକୁ ପସନ୍ଦ କରନ୍ତି। ଫଳରେ ସୁନାର ଚାହିଦା ଓ ଦର ଉପରେ ଚାପ ପଡ଼ିପାରେ।
ପାଖେଇ ଆସୁଛି ଧନତେରସ୍। ତେଣୁ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି, ଏହି ପର୍ବରେ ପରମ୍ପରା ପାଇଁ ଅଳ୍ପ ସୁନା କିଣିବେ ନା ଏହାକୁ ଏକ ନିବେଶ ଭାବେ ଦେଖିବେ? ଆଗକୁ ସୁନା ଦର ଆହୁରିତ କମିବାର ସମ୍ଭାବନା ଅଛି କି? ବିଶେଷଜ୍ଞଙ୍କ ମତରେ, ସୁନା ଦରର ଭବିଷ୍ୟତ ଅନେକାଂଶରେ ଇରାନକୁ ନେଇ ଚାଲିଥିବା ଯୁଦ୍ଧ ଓ ଉତ୍ତେଜନା ଉପରେ ନିର୍ଭର କରିବ। ବର୍ତ୍ତମାନର ପରିସ୍ଥିତି ଖୁବ୍ଶୀଘ୍ର ସ୍ୱାଭାବିକ ହେବା ଭଳି ଦେଖାଯାଉନାହିଁ। ଅନେକ ଅର୍ଥନୀତିଜ୍ଞ ଓ ବଜାର ବିଶ୍ଳେଷଣ ଅନୁସାରେ, ଆମେରିକାର ୧୦ ବର୍ଷିଆ ସରକାରୀ ବଣ୍ଡ୍ର ସୁଧ ହାର ଆଗାମୀ ୫ରୁ ୬ ମାସ ପର୍ଯ୍ୟନ୍ତ ୫ ପ୍ରତିଶତରୁ ଅଧିକ ରହିପାରେ। ଆମେରିକାରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣକୁ ନଆସିଲେ, ଏହି ଉଚ୍ଚ ସୁଧ ହାର ଆହୁରି ଅଧିକ ସମୟ ଧରି ରହିପାରେ ବୋଲି କିଛି ବିଶେଷଜ୍ଞ ମତ ଦେଉଛନ୍ତି। ତେଣୁ ଧନତେରସ୍ରେ ସୁନା କିଣିବା ପୂର୍ବରୁ ବଜାରର ସ୍ଥିତି ଓ ନିଜର ଆର୍ଥିକ ଯୋଜନାକୁ ଧ୍ୟାନରେ ରଖିବା ଜରୁରୀ।
ଆଗାମୀ କିଛି ଦିନ ପର୍ଯ୍ୟନ୍ତ ସୁନା ଦର କମ୍ ରହିବାର ସମ୍ଭାବନା ରହିଛି। ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ୍ ରିଜର୍ଭ ନିକଟରେ ସୁଧ ହାରରେ କୌଣସି ପରିବର୍ତ୍ତନ କରିନାହିଁ। ତେବେ ଆଗାମୀ ଡିସେମ୍ବର କିମ୍ବା ୨୦୨୭ ମସିହାରେ ସୁଧ ହାର ବଢ଼ିପାରେ ବୋଲି ବଜାରରେ ଆଶା କରାଯାଉଛି। ଅନ୍ୟପଟେ, ଇରାନକୁ ନେଇ ଚାଲିଥିବା ଯୁଦ୍ଧ ଓ ଉତ୍ତେଜନା ଯୋଗୁଁ ଅଶୋଧିତ ତୈଳ ଦର ଅଧିକ ରହିଛି। ଏହା ମୁଦ୍ରାସ୍ଫୀତି ବା ଦରଦାମ୍ ବୃଦ୍ଧି ଚିନ୍ତାକୁ ବଢ଼ାଉଛି। ତୈଳ ଦର ଅଧିକ ରହିବା ଏବଂ ମୁଦ୍ରାସ୍ଫୀତି ନକମିବା ପର୍ଯ୍ୟନ୍ତ ସରକାରୀ ବଣ୍ଡ୍ର ସୁଧ ହାର ମଧ୍ୟ ଉଚ୍ଚ ସ୍ତରରେ ରହିପାରେ। ଏହାର ପ୍ରଭାବ ସୁନା ଦର ଉପରେ ପଡ଼ିପାରେ।
ସୁନା ଦରକୁ ନେଇ ଆଗାମୀ କିଛି ମାସ କିମ୍ବା ଚଳିତ ବର୍ଷରେ ବଡ଼ ଧରଣର ବୃଦ୍ଧି ହେବାର ସମ୍ଭାବନା କମ୍ ରହିଛି। ତେଣୁ ବିବାହ ସିଜିନ କିମ୍ବା ଧନତେରସ୍ ସମୟରେ ସୁନା କିଣିବାକୁ ଯୋଜନା କରୁଥିଲେ କିଛି ବିଷୟ ଉପରେ ନଜର ରଖନ୍ତୁ। ନଭେମ୍ବରରେ ହେବାକୁ ଥିବା ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନ ଫଳାଫଳ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ପଦକ୍ଷେପ ଉପରେ ଧ୍ୟାନ ଦିଅନ୍ତୁ। ଏହା ସହିତ ଅଶୋଧିତ ତୈଳର ଦର ଉପରେ ମଧ୍ୟ ନଜର ରଖନ୍ତୁ। ଏହି ସବୁ କାରଣ ସୁନା ଦରର ପରିବର୍ତ୍ତନକୁ ପ୍ରଭାବିତ କରିପାରେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।