ନିଜକୁ ଚିହ୍ନିବା
ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର ଏକ ଅନୁରୂପ ବ୍ୟକ୍ତ। ସତରେ ନିଜକୁ ନିଜେ ଚିହ୍ନିବା ଏକ ଗୁରୁତ୍ୱପୂଣ୍ଣର୍ର୍ ଏବଂ ଅର୍ଥପୂର୍ଣ୍ଣ ଉପଲବଧି। ସାଧାରଣ ଆଇନାରେ ଆମେ ନିଜକୁ ନିଜେ ଦେଖୁ, ମାତ୍ର ମନର ଆଇନାରେ ହିଁ ନିଜକୁ ନିଜେ ଚିହ୍ନୁ। ଆଇନା ଭାଙ୍ଗିଗଲେ ଯେପରି ନିଜ ମୁହଁ ପରିଷ୍କାର ଭାବେ ଦେଖି ହୁଏନାହିଁ, ଠିକ୍ ସେହିପରି ମନର ଦର୍ପଣରେ ଯେତେବେଳେ ତ୍ରୁଟି ଦେଖାଯାଏ, ସେତେବେଳେ ସବୁକିଛି ଓଲଟପାଲଟ ହୋଇଯାଏ। ଆମେ ନିଜକୁ ନିଜେ ଚିହ୍ନିବା କଷ୍ଟ ହୋଇପଡ଼େ। ନିଜ ସ୍ଥିତିରୁ ବାହାରିଯାଇ ଅନ୍ୟର ପ୍ରଲୋଭନରେ ବଡ଼ହବାର ଆଶା କରି ପକେଇବା, ନିଜ କର୍ତ୍ତବ୍ୟକୁ ଭୁଲିଯିବା, ନିଜ ଜୀବନର ବାଟ ଭୁଲି ଅବାଟରେ ଚାଲିଯିବା ଇତ୍ୟାଦି। ଏ ପାର୍ଥତ୍ବ ମଣିଷ ସଦାବେଳେ ସୁଖଶାନ୍ତି ପଛରେ ଧାଇଁଥାଏ। ଦୁଃଖ ଆସିଲେ ବୀତସ୍ପୃହ ହୋଇପଡ଼େ। ନିଜେ କର୍ତ୍ତବ୍ୟଚ୍ୟୁତ ହୋଇ ଦିଗହରା ହୋଇପଡ଼େ। ଏ ମଣିଷ ଯଦି ନିଜକୁ ନିଜେ ଚିହ୍ନି ଯାଆନ୍ତା, ଯଥା ‘ମୁଁ କିଏ ? ମୋର କ’ଣ କରିବାର ଅଛି ? ମୁଁ କାହିଁକି ଏ କାର୍ଯ୍ୟଟି କରିବି ? ଏବଂ ମୁଁ କ’ଣ ନ କରିବା ଉଚିତ ? ଇତ୍ୟାଦିର ଅବଗତ ହୋଇଯାନ୍ତା, ତା ହେଲେ ତାଙ୍କୁ ପାର୍ଥିବ ଭୌତିକ ଦୁଃଖ ଯନ୍ତ୍ରଣା ଭୋଗ କରିବାକୁ ପଡ଼ନ୍ତାନି।
ମଣିଷ ପ୍ରାଚୁର୍ଯ୍ୟ ଓ ଐଶ୍ୱର୍ଯ୍ୟ ପ୍ରଭାବରେ ବନ୍ଧୁତା ବଦଳରେ ଶତ୍ରୁତାର ଆସର ଜନ୍ମାଏ। ହସଖୁସି, ଶାନ୍ତି, ସୁଖ ସବୁ ଉଜୁଡ଼ିଯାଏ। ଏ ସବୁର ମୂଳକାରଣ ହେଉଛି ନିଜକୁ ନିଜେ ନ ଚିହ୍ନିବାର ସ୍ଥିତି, ଯେଉଁ ସ୍ଥିତିରେ ମଣିଷ ତା’ର ନିଜ ସୀମା ଭିତରେ ରହିବାର ପ୍ରବୃତ୍ତିରୁ ଦୂରେଇଯାଏ। ମାତ୍ର ନିଜକୁ ନିଜେ ଚିହ୍ନିଥିବା ଲୋକଟି ନିଜ ସୀମା ଟପିଯାଏନା। ନିଜେ ନିଜର ପରିସୀମା ଭିତରେ ରହି ନିଜକୁ ସଂଯତ କରି ଗଢ଼ିତୋଳେ। ନିଜକୁ ସଂଯତ କରିବା ଫଳରେ କେଉଁ କାର୍ଯ୍ୟ କରିବା ବା ନ କରିବା ନିଷ୍ପତ୍ତି ନିଜେ ନେଇପାରେ। ନିଜକୁ ଚିହ୍ନିଥିବା ଲୋକଟି ଦୃଢ଼ମନା ହୋଇ କାର୍ଯ୍ୟରେ ନିପୁଣତା ପ୍ରଦର୍ଶନ କରିଥାଏ।
ଏଠାରେ ପ୍ରସଙ୍ଗଟିକୁ ନେଇ ଏକ ଗଳ୍ପଟିଏ ଅବତାରଣ କରିବାକୁ ମନେକରେ। ଗୋଟିଏ ଦେଶରେ ରାଜା ଥିଲେ। ରାଜା ପ୍ରଜାମାନଙ୍କୁ ଖୁସିରେ ରଖିଥିଲେ। ରାଜା ଏକ ବିଷ୍ଣୁଙ୍କ ମନ୍ଦିର ତୋଳିଲେ। ମନ୍ଦିରରେ ଠିକ୍ ଭାବେ ପୂଜାର୍ଚ୍ଚନା ଚାଲିଲା। ଜଣେ ସାଧୁ ଆସି ମନ୍ଦିରରେ ଆଶ୍ରୟ ନେଲେ। ସାଧୁ ଜଣକ ଦିନରେ ଭିକ୍ଷାବୃତ୍ତି କରି ରାତିରେ ଆସି ମନ୍ଦିରରେ ଠାକୁରଙ୍କ ଆଶ୍ରୟରେ ପଡ଼ିରହନ୍ତି। ଦୈବାତ୍ ଦିନେ ମନ୍ଦିରରେ ଥିବା ଠାକୁରଙ୍କ ସୁନାଗହଣା ଚୋରି ହୋଇଗଲା। ରାଜା ବିବ୍ରତ ହୋଇପଡ଼ିଲେ। ଗ୍ରାମର ଲୋକେ ସାଧୁ ଚୋରି କରିଥିବା ସନ୍ଦେହ କଲେ। ରାଜା ମଧ୍ୟ ସାଧୁକୁ ସନ୍ଦେହ କଲେ। ଏହାପରେ ରାଜା ଓ ପ୍ରଜା ମିଶିକରି ସାଧୁକୁ ଭର୍ତ୍ସନା କରି ମନ୍ଦିର ତଥା ଗ୍ରାମରୁ ତଡ଼ିଦେଲେ। ସାଧୁ ଚୋରି ଘଟଣାକୁ ଅସ୍ବୀକାର କରି ମନ୍ଦିର ତଥା ଗାଁ ଛାଡ଼ି ଦୂରକୁ ପଳେଇ ଆସିଲେ। ସାଧୁଜଣକ ଅପବାଦ ସହି ମଧ୍ୟ କିଛି ଅସ୍ଥିର ହୋଇ ନ ଥିଲେ, କାରଣ ସେ ନିଜକୁ ନିଜେ ଚିହ୍ନି ପାରିଥିଲେ ଯେ, ସେ ଚୋରି କରିନାହାନ୍ତି। ମନ୍ଦିର ଦୂରରେ ଥିବା ଏକ ପାହାଡ଼ ଉପରେ କୁଡ଼ିଆଟିଏ କରି ସାଧୁଜଣକ ରହିଲେ। ରାଜ୍ୟକୁ ଭୀଷଣ ବନ୍ୟା ଆସିଲା। ବନ୍ୟା ସ୍ଥିତିରେ ଗାଁ ଛାଡ଼ି ସମସ୍ତେ ପଳାଇବାକୁ ଉଦ୍ୟମ କଲେ। ରାଜା ମଧ୍ୟ ନିଜର ଏକ ଘୋଡ଼ା ଉପରେ ବସି ସେଇ ପାହାଡ଼ ଉପରକୁ ଉଠିଗଲେ। ପାହାଡ଼ ଉପରେ କିଛି ଆଶ୍ରୟ ନ ପାଇ ଶେଷରେ ସାଧୁଙ୍କ କୁଡ଼ିଆରେ ପହଞ୍ଚିଲେ। ରାଜା ସାଧୁଙ୍କୁ ଦେଖି ତାଟସ୍ଥ ହୋଇଗଲେ। ରାଜା ସାଧୁଙ୍କୁ କ୍ଷମା ମାଗି କହିଲେ ଯେ, ‘ମୁଁ ଆପଣଙ୍କୁ ଭୁଲ୍ରେ ଗାଁରୁ ତଡ଼ି ଦେଇଥିଲି, ଆପଣ ପ୍ରକୃତରେ ମନ୍ଦିରର ଗହଣା ଚୋରି କରିନାହାନ୍ତି।’ ସାଧୁ କହିଲେ, ‘ମୁଁ ନିଜକୁ ନିଜେ ଚିହ୍ନେ ଏବଂ ଜାଣେ ଯେ ମୁଁ ଚୋରି କରିନାହିଁ। ତେଣୁ ମୁଁ ଗାଁ ଛାଡ଼ି ପଳାଇ ଆସିଲି।’ ଶେଷରେ ସାଧୁ କହିଲେ, ନିଜକୁ ଚିହ୍ନିବା ସହ ନିଜକୁ ନିଜେ ବିଶ୍ୱାସ କରିବା ହେଉଛି ମଣିଷର ବଡ଼ ଧର୍ମ। ମୁଁ ସେହିଧର୍ମ ପାଳନ କରିଛି। ମୁଁ ନିଜକୁ ନିଜେ ଚିହ୍ନି ଆମତ୍ବିଶ୍ୱାସୀ ଥିଲି ଯେ, ମୁଁ ଚୋରି କରିନାହିଁ। ଉପରୋକ୍ତ ଗଳ୍ପଟିରୁ ଆମେ ଏଇ ଶିକ୍ଷା ଉପଲବ୍ଧି କଲେ ଯେ, ସମସ୍ତେ ନିଜକୁ ନିଜେ ଚିହ୍ନିବା ଏବଂ ଏକ ସକାରାତ୍ମକ ଚିନ୍ତାଧାରା ନେଇ ସମାଜରେ ବଞ୍ଚତ୍ ରହିବା।
ଯଚିଦାନନ୍ଦ ଦାଶ
ସିଡିଏ, କଟକ
ମୋ : ୭୦୦୮୬୫୦୬୯୩
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।