ନ୍ୟୁଜିଲାଣ୍ଡରେ ପହଞ୍ଚିଲେ କିଙ୍ଗ କୋହଲି: ଘଟିଲା ଏମିତି, ଯାହାକୁ ଦେଖି କାନ୍ଦି ପକାଇଲେ ମହିଳା ଫ୍ୟାନ
ନୂଆଦିଲ୍ଲୀ,୩୦।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ନଭେମ୍ବର ୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ ପାଇଁ ଶୁଭମନ ଗିଲ ଏବଂ ରୋହିତ ଶର୍ମା ପୂର୍ବରୁ ଜଣଙ୍କ ପରେ ଜଣେ ନ୍ୟୁଜିଲାଣ୍ଡରେ ପହଞ୍ଚି ସାରିଛନ୍ତି। ତେବେ ସମସ୍ତଙ୍କ ଅପେକ୍ଷା ଥିଲା ବିରାଟ କୋହଲି କେବେ ନ୍ୟୁଜିଲାଣ୍ଡ ଯିବେ। ଶେଷରେ ବିରାଟ କୋହଲି ଅକଲାଣ୍ଡରେ ପହଞ୍ଚିଛନ୍ତି। ବିମାନବନ୍ଦରରୁ ତାଙ୍କର କିଛି ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି। ନ୍ୟୁଜିଲାଣ୍ଡରେ ପହଞ୍ଚିବା ମାତ୍ରେ ଜଣେ ପ୍ରଶଂସିକାଙ୍କୁ ଅଟୋଗ୍ରାଫ ଦେଇ ବିରାଟ ତାଙ୍କ ହୃଦୟ ଜିତିଛନ୍ତି।
ନଭେମ୍ବର ୪ରୁ ଆରମ୍ଭ ହେବାକୁ ଥିବା ଦିନିକିଆ ସିରିଜକୁ ଆଉ ମାତ୍ର ୫ ଦିନ ବାକି ରହିଛି। ନ୍ୟୁଜିଲାଣ୍ଡର ପରିବେଶ ଓ ପରିସ୍ଥିତି ସହ ଖାପ ଖୁଆଇବା ପାଇଁ ଶୁଭମନ ଗିଲ ଏବଂ ରୋହିତ ଶର୍ମା ପୂର୍ବରୁ ସେଠାରେ ପହଞ୍ଚିଥିଲେ। ଏପରିକି ଗିଲ ଅଭ୍ୟାସ ମଧ୍ୟ ଆରମ୍ଭ କରିଦେଇଛନ୍ତି। ଅନ୍ୟପଟେ ବିରାଟ କୋହଲି ଗତ କିଛି ଦିନ ହେବ ଭାରତରେ ଥିଲେ। ତାଙ୍କ ଅଭ୍ୟାସ ଅଧିବେଶନର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା। ଏବେ କୋହଲି ନ୍ୟୁଜିଲାଣ୍ଡରେ ପହଞ୍ଚିଛନ୍ତି। ଅକଲାଣ୍ଡ ବିମାନବନ୍ଦରରୁ ବାହାରୁଥିବା ସମୟର ତାଙ୍କର କିଛି ଫଟୋ ଓ ଭିଡିଓ ଭାଇରାଲ ହେଉଛି।
ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେଉଛି। ଏଥିରେ ଜଣେ ମହିଳା ପ୍ରଶଂସିକା ବିମାନବନ୍ଦରରେ ବିରାଟ କୋହଲିଙ୍କୁ ଅଟକାଇଥିବା ଦେଖିବାକୁ ମିଳିଛି। ସେ କୋହଲିଙ୍କୁ କହିଥିଲେ ଯେ, ତାଙ୍କର ଗୋଟିଏ ଝଲକ ପାଇବା ଏବଂ ଅଟୋଗ୍ରାଫ ନେବା ପାଇଁ ସେ ଦୁଇ ଦିନ ଧରି ବିମାନବନ୍ଦରରେ ଅପେକ୍ଷା କରିଥିଲେ। ଏହା ଶୁଣିବା ପରେ ବିରାଟ ତାଙ୍କ ପୋଷ୍ଟରରେ ଅଟୋଗ୍ରାଫ ଦେଇଥିଲେ। କୋହଲିଙ୍କ ଏହି ହୃଦୟସ୍ପର୍ଶୀ ବ୍ୟବହାର ଦେଖି ପ୍ରଶଂସିକା ଭାବବିହୱଳ ହୋଇପଡ଼ିଥିଲେ। ବିରାଟଙ୍କଠାରୁ ଅଟୋଗ୍ରାଫ ପାଇବା ପରେ ସେ କାନ୍ଦି ପକାଇଥିଲେ। ରେଭସ୍ପୋର୍ଟଜ ପକ୍ଷରୁ ଏହି ବିଶେଷ ମୁହୂର୍ତ୍ତର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି।
ବିରାଟ କୋହଲି ଗତ କିଛି ସମୟ ଧରି ଜବରଦସ୍ତ ଫର୍ମରେ ରହିଛନ୍ତି। ଗତ ୫ଟି ଇନିଂସରେ ସେ ମୋଟ ୩୦୭ ରନ ସଂଗ୍ରହ କରିଛନ୍ତି। ଏଥିରେ ଗୋଟିଏ ଶତକ ଏବଂ ଦୁଇଟି ଅର୍ଦ୍ଧଶତକ ସାମିଲ ରହିଛି। ସେପ୍ଟେମ୍ବର ୨୭ ତାରିଖରେ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ବିରାଟ ଅପରାଜିତ ୧୩୯ ରନର ଦମ୍ଦାର ଇନିଂସ ଖେଳିଥିଲେ। ଏବେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ମଧ୍ୟ ନିଜର ଏହି ଚମତ୍କାର ଫର୍ମ ବଜାୟ ରଖିବାକୁ ଲକ୍ଷ୍ୟ ରଖିବେ କିଙ୍ଗ କୋହଲି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।