ପାଟଣା କଲେଜ ନିର୍ବାଚନ: ସରିଲା ପ୍ରଚାର, ବିରିୟାନି-ଗୁପ୍‌ଚୁପ୍‌ରେ କମ୍ପିଲା କଲେଜ କ୍ୟାମ୍ପସ୍…

Oct 13, 2026 - 22:05
ପାଟଣା କଲେଜ ନିର୍ବାଚନ: ସରିଲା ପ୍ରଚାର, ବିରିୟାନି-ଗୁପ୍‌ଚୁପ୍‌ରେ କମ୍ପିଲା କଲେଜ କ୍ୟାମ୍ପସ୍…

ପାଟଣା, ୧୩।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନୀ ପ୍ରଚାରର ଶେଷ ଦିନରେ କଲେଜ ପରିସର ଚଳଚଞ୍ଚଳ ହୋଇଉଠିଛି। ପ୍ରଚାରର ଶେଷ ସମୟରେ ଉଭୟ ଏବିଭିପି (ABVP) ଓ ବିସିଜେଡି (BCJD) ପକ୍ଷରୁ ବ୍ୟାପକ ପ୍ରଚାର କରାଯାଇ ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରାଯାଇଛି। ପ୍ରାର୍ଥୀମାନଙ୍କର ବିଭିନ୍ନ ପୋଷ୍ଟର, ବ୍ୟାନର ଓ ନିର୍ବାଚନୀ ଇସ୍ତାହାରରେ ସମ୍ପୂର୍ଣ୍ଣ କଲେଜ କ୍ୟାମ୍ପସ ଉତ୍ସବମୁଖର ହୋଇପଡ଼ିଥିଲା।

ଏବିଭିପି ପକ୍ଷରୁ କଲେଜ ପରିସରରୁ ଏକ ବିଶାଳ ରାଲି ବାହାର କରାଯାଇଥିଲା। ସମର୍ଥକ ଛାତ୍ରଛାତ୍ରୀମାନେ ‘ଏବିଭିପି ଯେଉଁଠି, ଭୋଟ ସେଇଠି’, ‘ଭାରତ ମାତା କି ଜୟ’ ଏବଂ ‘ଏବିଭିପି ଜିନ୍ଦାବାଦ’ ଆଦି ସ୍ଲୋଗାନ ଦେଇ ପାଟଣା ବଜାର ପରିକ୍ରମା କରିଥିଲେ। ଏହି ରାଲି ଆନନ୍ଦେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଯିବା ପରେ ସେଠାରୁ ପରିବା ମାର୍କେଟ, ବ୍ଲକ ଛକ ଓ ବ୍ୟାଙ୍କ ଅଫ୍ ଇଣ୍ଡିଆ ହୋଇ ପୁନର୍ବାର କଲେଜ ପରିସରକୁ ଫେରିଥିଲା।

ସେହିପରି ବିସିଜେଡି ଶିବିର ପକ୍ଷରୁ ପ୍ରାର୍ଥୀମାନେ କଲେଜ ପରିସର ଓ ଶ୍ରେଣୀଗୃହଗୁଡ଼ିକରେ ବୁଲି ଛାତ୍ରଛାତ୍ରୀମାନଙ୍କୁ ସାକ୍ଷାତ କରି ନିଜ ସପକ୍ଷରେ ମତଦାନ କରିବାକୁ ନିବେଦନ କରିଥିଲେ।

ସବୁଠାରୁ ମଜାଦାର କଥା ହେଉଛି, ଉଭୟ ଶିବିର ପକ୍ଷରୁ କଲେଜ ବାହାରେ ଛାତ୍ରଛାତ୍ରୀମାନଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ଥଣ୍ଡା ପାନୀୟ, ଆଇସକ୍ରିମ, ଗୁପଚୁପ, ଆଳୁଦମ ଏବଂ ବିରିୟାନି ଆଦି ରୁଚିକର ଖାଦ୍ୟ ପରିବେଷଣ କରାଯାଇଥିଲା।

ଅନ୍ୟପଟେ, ନିର୍ବାଚନକୁ ନଜରରେ ରଖି ଉଭୟ ଭାଜପା ଓ ବିଜେଡିର ଯୁବ ନେତା ଏବଂ ପୂର୍ବତନ ଛାତ୍ରନେତାମାନେ କଲେଜ ବାହାରେ ସକ୍ରିୟ ରହି ନିଜ ନିଜ ଗୋଷ୍ଠୀକୁ ଏକଜୁଟ କରିବାକୁ ସମ୍ପୂର୍ଣ୍ଣ ପ୍ରୟାସ କରିଥିଲେ। ପ୍ରଚାର ଶେଷ ହୋଇଥିବାରୁ ଏବେ ସମସ୍ତଙ୍କ ନଜର ଆଗାମୀ ମତଦାନ ଓ ଫଳାଫଳ ଉପରେ ରହିଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।