ପ୍ରଜ୍ୱଳିତ ପ୍ରଦୀପର ମହାପାର୍ବଣ
ଦୀପାବଳି ହେଉଛି ଶୁଭରାତ୍ରି ଓ ମହାନିଶା। ଦୀପାବଳି ଶବ୍ଦର ଅନେକ ଅର୍ଥ ରହିଥିଲେ ମଧ୍ୟ ଏହାର ଅନ୍ତର୍ନିହିତ ଚିନ୍ତା ଚେତନାଟି ହେଉଛି ଅନ୍ଧକାର ଉପରେ ପ୍ରକାଶ ଏବଂ ଅଜ୍ଞାନ ଉପରେ ଜ୍ଞାନର ବିଜୟ ଉତ୍ସବ । ଏହି ଦିନ ରାତିରେ ଘରେ ଘରେ କେବଳ ସୌନ୍ଦର୍ଯ୍ୟ ପାଇଁ ଆଲୋକମାଳା ସଜା ଯାଏ ନାହିଁ, ଏହା ଜୀବନର ଗଭୀର ସତ୍ୟକୁ ଅଭିବ୍ୟକ୍ତ ମଧ୍ୟ କରେ । ଆଲୋକର ଆବିର୍ଭାବ ଅନ୍ଧାରକୁ ଲିଭାଇ ତା’ର ବିିନାଶ କରିବା ସହିତ ଏହା ଜ୍ଞାନର ଅଜ୍ଞାନରୂପକ ଅନ୍ଧକାରକୁ ଦୂରୀଭୂତ କରିଥାଏ। ଆମମାନଙ୍କ ହୃଦୟ ଭିତରେ ଥିବା ଜ୍ଞାନର ପରିପ୍ରକାଶର ପ୍ରଜ୍ୱଳିତ ପାର୍ବଣ ହେଉଛି ଦୀପାବଳି। ‘ଦୀପାବଳି’ର ଶାବ୍ଦିକ ଅର୍ଥ ହେଉଛି ‘ପ୍ରକାଶର ପଂକ୍ତି’। ପୌରାଣିକ କଥାବସ୍ତୁ ଅନୁଯାୟୀ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ତ୍ରେତୟା ଯୁଗରେ ପ୍ରବଳ ପରାକ୍ରମୀ ରାବଣର ନିଧନ କରି ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିବାର ଶୁଭ ଦିନଟି ଥିଲା ଦୀପାବଳି। ସମଗ୍ର ଅଯୋଧ୍ୟାବାସୀ ଆନନ୍ଦ ଉଲ୍ଲାସ ଭିତରେ ଭଗବାନ୍ ରାମ, ଲକ୍ଷ୍ମଣ ଓ ଦେବୀ ସୀତାଙ୍କୁ ସ୍ବାଗତ କରିଥିଲେ ସେମାନଙ୍କ ଘରେ ପ୍ରଦୀପ ପ୍ରଜ୍ୱଳନ କରି। ସେହିିପରି ଅନ୍ୟ ଏକ ପୌରାଣିକ କଥାବସ୍ତୁ ଅନୁଯାୟୀ ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ନାରକାସୁରକୁ ବଧ କଲା ପରେ ତା’ ପରଦିନ ବ୍ରଜବାସୀ ଦୀପ ଜାଳି ଉତ୍ସବ ପାଳନ କରିଥିଲେ । ସେହିଦିନ ଥିଲା ଦୀପାବଳି । ପୁରାଣରେ ଉଲ୍ଲେଖ ରହିଛି ଦେବୀ ମା’ଦୁର୍ଗା ଅତ୍ୟାଚାରୀ ଅସୁରମାନଙ୍କ ବିନାଶ କରିବା ପାଇଁ ସ୍ବୟଂ ମହାକାଳୀ ରୂପ ଧାରଣ କରି ସେମାନଙ୍କର ଅନ୍ତ ଘଟାଇବା ପରେ ମଧ୍ୟ ତାଙ୍କ ଭିତରେ ଥିବା କ୍ରୋଧ ଶାନ୍ତ ହୋଇ ନ ଥିଲା। ତାଙ୍କ ଭୟାନକ କ୍ରୋଧକୁ ଶାନ୍ତ କରିବା ପାଇଁ ଭଗବାନ୍ ଆଶୁତୋଷ ଶିବ ମହାକାଳୀଙ୍କ ଚରଣ ତଳେ ଶୋଇପଡ଼ିଥିଲେ। ଆମେ ଏହି ଦୃଶ୍ୟର ଅନେକ ଫଟୋ ଦେଖିବାକୁ ପାଇଥାଉ। ଆବହମାନ ସମୟରୁ ବର୍ଷରେ ଥରେ ଅର୍ଥାତ୍ ଏହି ଦୀପାବଳି ଦିନ ରୁଦ୍ରସ୍ବରୂପିଣୀ ମା’ କାଳୀଙ୍କ ପୂଜା ବିଧାନ ରହିଛି।
ଦୀପାବଳିର ଗୂଢ଼ ଅର୍ଥ ରହିଛି। ଦୀପ ବା ପ୍ରଦୀପର ଅର୍ଥ ହେଉଛି ଆଲୋକ। ‘ଆବଳି’ର ଅର୍ଥ ହେଉଛି ନିରନ୍ତର ଆଲୋକ। ଏ ଦୁନିଆରେ ରହିଥିବା ଅନ୍ଧାର ରୂପକ ଅନ୍ୟାୟ, ଦୁଃଖ, କଷ୍ଟ, ଦୁର୍ନୀତି ସବୁକିଛି ଦୂରୀଭୂତ ହୋଇ ଶାନ୍ତି ଓ ଆନନ୍ଦ ସବୁଆଡ଼େ ବିଚ୍ଛୁରିତ ହେଉ ଏହା ହିଁ ହେଉଛି ଦୀପାବଳିର ଅନ୍ତର୍ନିହିତ ଚେତନା। ରାଷ୍ଟ୍ରଭକ୍ତ, ସମାଜସେବୀମାନେ ରାଷ୍ଟ୍ର ତଥା ଦେଶର ଉନ୍ନତି ପାଇଁ ଏବଂ ସମାଜରୁ ଶତ୍ରୁ, ଅସତ୍ୟ, ଅନ୍ୟାୟକୁ ପରାଜିତ କରି ସତ୍ୟର ଆଗମନ ନିମନ୍ତେ ଦୀପ ଜାଳି ଭଗବାନ୍ଙ୍କ ନିକଟରେ ଶୁଭ କାମନା କରିଥାନ୍ତି। ପରିବାରରେ ମଧ୍ୟ ନିଜ ଲୋକମାନଙ୍କ ପାଇଁ ଶୁଭ ସଂକଳ୍ପ ରଖି ମାନସିକ ଦୀପାଳି ପ୍ରଜ୍ୱଳିତ କରାଯାଏ। ଏହି ଦିନଟି ହେଉଛି ଆତ୍ମସାକ୍ଷାତ୍କାରର ଦିନ। ଆମ ଭିତରେ ଥିବା ସୁପ୍ତ ଚେତନାକୁ ଜାଗ୍ରତ କରି ଜୀବନକୁ ଆନନ୍ଦ ଓ ଅନନ୍ୟ କରିବା ପାଇଁ ଦୀପାବଳି ହେଉଛି ଏକ ଅନୁପମ ପର୍ବ। ଏହା ସହିତ ଆମର ଆଭାମଣ୍ଡଳକୁ ବିଶୁଦ୍ଧ ଓ ପରିବେଶ ସ୍ବଚ୍ଛତା ପ୍ରତି ସତର୍କ ହେବା ପାଇଁ ମଧ୍ୟ ସନ୍ଦେଶ ଦେଇଥାଏ ଏହି ପର୍ବ। ଦୀପାବଳି ହେଉଛି ଆମର ପୂର୍ବ ପୁରୁଷଙ୍କୁ ସ୍ମରଣ ପୂର୍ବକ କୃତଜ୍ଞତା ଜ୍ଞାପନ କରିବାର ଓ ସେମାନଙ୍କର ଆତ୍ମାକୁ ଶାନ୍ତି ଦେବାର ଦିନଟି। ଏହି ଦିନ ଆମ ହିନ୍ଦୁ ପରମ୍ପରାରେ ପିଣ୍ଡଦାନ ବିଧାନ ରହିଛି। ହିନ୍ଦୁ ବିଶ୍ୱାସ ଅନୁଯାୟୀ ଆମ ପୂର୍ବଜମାନଙ୍କୁ ଏହି ଦିନରେ ପିଣ୍ଡଦାନ ଅର୍ପଣ କଲାପରେ ସେମାନେ ପିତୃଲୋକକୁ ଯାତ୍ରା କରିଥାନ୍ତି। ପଣ୍ଡଦାନ କାର୍ଯ୍ୟକ୍ରମ ସମୟରେ ପିମ୍ପେଇ ଦରକାର ପଡ଼ିଥାଏ। କାଉଁରିଆ କାଠି, ବେରୁଆ ଓ ଘିଅରେ ପ୍ରସ୍ତୁତି ହୋଇଥାଏ ପିମ୍ପେଇ କାଠି। ଏଥିରେ ଅଗ୍ନି ସଂଯୋଗ କରାଯାଇ ବଡ଼ ବଡ଼ୁଆଙ୍କୁ ଆହ୍ବାନ ଓ ଅର୍ପଣ, ସମର୍ପଣ କରାଯାଇଥାଏ।
ଦୀପାବଳି ମହାନ୍ ଭାରତ ବର୍ଷର ଆର୍ଯ୍ୟ ସନାତନ ସଂସ୍କୃତିରେ ରହିଥିବା ଆନନ୍ଦ, ଉଲ୍ଲାସ, ଭାଇଚାରାର ମହାପାର୍ବଣ ରୂପରେ ପରିଚିତ। ଆମ ପ୍ରାଚୀନତମ ସଂସ୍କୃତି ସବୁବେଳେ ଜ୍ଞାନ, ସେବା ଓ କର୍ମମୟ ଆଦର୍ଶଣୀୟ ଜୀବନର ପ୍ରଦୀପକୁ ଆମମାନଙ୍କ ହୃଦୟ ଭିତରେ ଚେତନାସିକ୍ତ କରି ଅହରହ ପ୍ରଦୀପକୁ ପ୍ରଜ୍ୱଳିତ କରୁଥାଏ। ତେବେ ପରବର୍ତ୍ତୀ ସମୟରେ ଏହି ଦୀପାବଳିର ଆକାର ପ୍ରକାର ଓ ବ୍ୟାପକତା ବୃଦ୍ଧି ପାଇଲା, ଶେଷରେ ଏହା ପ୍ରଦୂଷଣର ଏକ ପ୍ରମୁଖ କାରଣ ପାଲଟିଲା। ନିକଟରେ ସୁପ୍ରିମକୋର୍ଟ ସମଗ୍ର ଭାରତରେ ସବୁଜ ବାଣ ପାଇଁ ଅନୁମତି ପ୍ରଦାନ କରି ପ୍ରଦୂଷଣଯୁକ୍ତ ବାଣର ବ୍ୟବହାରକୁ ବନ୍ଦ କରିଛନ୍ତି। ଆଲୋକର ପର୍ବ ଦୀପାବଳିରେ ବାଣ ଫୁଟିଲେ ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ପାଉଛି। ଗତବର୍ଷ ଦୀପାବଳି ପରେ ଦିଲ୍ଲୀ ସହରରେ ପ୍ରଦୂଷଣର ମାତ୍ରା ଏତେ ବଢ଼ିଗଲା ଯେ ଏକ ପ୍ରକାର ବିଷାକ୍ତ ବଳୟ ସୃଷ୍ଟି ହେଲା। ଏହି ଆଲୋକର ପାର୍ବଣରେ ବାଣ ଯେଉଁପରି ରୋଗ ଓ ପ୍ରଦୂଷଣକୁ ବଢ଼ାଇଥାଏ ତାହା ଆମମାନଙ୍କ ପାଇଁ ଯେ କେତେ ବିପଜ୍ଜନକ ତାହା ପରବର୍ତ୍ତୀ ସମୟରେ ଜାଣିଥାଉ। ତେଣୁ ପ୍ରଦୂଷଣଯୁକ୍ତ ବାଣଠାରୁ ଦୂରେଇ ବରଂ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଦୀପାବଳି ଦିନ କିଛି ଅସହାୟ ଓ ଅନାଥ ବ୍ୟକ୍ତି ତଥା ପିଲାମାନଙ୍କୁ ଯଥାସମ୍ଭବ ସାହାଯ୍ୟ ସହଯୋଗର ହାତବଢ଼ାଇବା ଆନ୍ତରିକ ଦୀପାବଳିର ତାତ୍ପର୍ଯ୍ୟର ଗୁରୁତ୍ୱ ବୃଦ୍ଧି କରିବ।
ସୌର ଚନ୍ଦ୍ର ମହାପାତ୍ର
ବରିଷ୍ଠ ଆଇନଜୀବୀ, ଓଡ଼ିଶା ହାଇକୋର୍ଟ, କଟକ ମୋ: ୯୪୩୭୦୦୪୪୬୬
Dharitri – Odisha’s No.1, Most Trusted Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।