ବରଜ ଗାଁରେ ଦୁଇ ଶହ ବର୍ଷ ଧରି ପୂଜା ପାଉଛନ୍ତି ମା’ ବନଦୁର୍ଗା ,ପ୍ରଭୁ ନୀଳମାଧବ
ମହାକାଳପଡ଼ା, ୧୭।୧୦ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କାହିଁ କେଉଁ ଅନାଦି କାଳରୁ ଜରାଶବର ବଂଶଜମାନେ ମା’ ବନଦୁର୍ଗା ଓ ପ୍ରଭୁ ନୀଳମାଧବଙ୍କୁ ପୂଜା କରି ଆସୁଛନ୍ତି। ଏଥିସହ ଶବରୁଣୀ, ଶବର ଲଳିତା, ବିଦ୍ୟାପତି ଓ ଅନ୍ୟ ପାର୍ଶ୍ୱ ଦେବଦେବୀଙ୍କ ମୃଣ୍ମୟୀ ମୂର୍ତ୍ତି ମଧ୍ୟ ପୂଜା ପାଉଛନ୍ତି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳବର୍ତ୍ତୀ ରାମନଗର ପଞ୍ଚାୟତର ବରଜ ଗାଁରେ ଏହି ପାରମ୍ପରିକ ପୂଜା ଦୀର୍ଘ ଦୁଇ ଶହ ବର୍ଷ ଧରି ଚାଲିଆସୁଛି।
ସ୍ଥାନୀୟ ବରିଷ୍ଠ ମୁରବୀଙ୍କ କହିବା ଅନୁଯାୟୀ, ପ୍ରାୟ ଦୁଇ ଶହ ବର୍ଷ ପୂର୍ବେ କୁଜଙ୍ଗ ରାଜା ଏହି ଅଞ୍ଚଳର ଘଞ୍ଚ ଅରଣ୍ୟରେ ଜରାଶବର (ଲୋଧା ସମ୍ପ୍ରଦାୟ) ପରିବାରଗୁଡ଼ିକୁ ବସବାସ କରାଇଥିଲେ। ମା’ ରାମଚଣ୍ଡୀଙ୍କ ପୀଠରେ ସେବକ ଭାବେ ବଳି ପ୍ରଥା ସହ ଜଡ଼ିତ ଦାୟିତ୍ୱରେ ମଧ୍ୟ ସେମାନଙ୍କୁ ନିୟୋଜିତ କରାଯାଇଥିବା କୁହାଯାଏ। ସେବେଠାରୁ ସେମାନେ ନିଜର ଆରାଧ୍ୟ ଦେବଦେବୀଙ୍କ ପୂଜାପାଠ ପରମ୍ପରାକୁ ବଜାୟ ରଖିଛନ୍ତି।
ପ୍ରତିବର୍ଷ ଆଶ୍ୱିନ ଶୁକ୍ଳ ଷଷ୍ଠୀଠାରୁ ଦଶମୀ ପର୍ଯ୍ୟନ୍ତ ମା’ ବନଦୁର୍ଗା ଓ ପ୍ରଭୁ ନୀଳମାଧବଙ୍କ ମୃଣ୍ମୟୀ ମୂର୍ତ୍ତିଙ୍କୁ ନିଷ୍ଠାର ସହ ପୂଜାର୍ଚ୍ଚନା କରାଯାଏ। ଏହି ଅବସରରେ ଫଳ, ଫୁଲ, ଫୁଲୁରୀ ଓ ଅନ୍ନପ୍ରସାଦ ଭୋଗ ଭାବେ ସମର୍ପଣ କରାଯାଏ। ମାନସିକଧାରୀ ଶ୍ରଦ୍ଧାଳୁମାନେ ଜଗତର ମଙ୍ଗଳ କାମନା କରିବା ସହ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ପାଇଁ ମା’ଙ୍କ ଗଳାରେ ଟଙ୍କା ଓ ଫୁଲମାଳ ଅର୍ପଣ କରିଥାନ୍ତି।
ପୂଜା ଅବସରରେ ପ୍ରତି ସନ୍ଧ୍ୟାରେ ଖଞ୍ଜଣି ବାଦ୍ୟ, ଭଜନ, ଜଣାଣ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଛି ବୋଲି ଆୟୋଜକମାନେ କହିଛନ୍ତି। ନିଜକୁ ଜରାଶବର ବଂଶଜ ବୋଲି ଦାବି କରୁଥିବା ଏହି ସମ୍ପ୍ରଦାୟର ଲୋକେ ପିଢ଼ି ପରେ ପିଢ଼ି ଏହି ପରମ୍ପରାକୁ ଆଗେଇ ନେଉଛନ୍ତି।
ପୂଜା ଆୟୋଜନରେ ଗାଁର ବରିଷ୍ଠ ମୁରବୀ ନୀଳମଣି ସାମଲ, ଧଡ଼ି ସାମଲ, ବେଣୁଧର ସାମଲ, ଅଭିମନ୍ୟୁ ତରାଇ, ପବିତ୍ର ସାମଲ, ବିଷ୍ଣୁ ସାମଲ ଓ ବାଇଧର ସାମଲଙ୍କ ସମେତ ଶହେରୁ ଅଧିକ ପରିବାର ସାମିଲ ହୋଇଛନ୍ତି। ଏହି ପୂଜା ଗାଁର ଧାର୍ମିକ ଆସ୍ଥା, ପରମ୍ପରା ଓ ସାଂସ୍କୃତିକ ଐତିହ୍ୟର ପରିଚୟ ବହନ କରୁଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।