ବୁଝିବା କଷ୍ଟକର
ସ୍କୁଲରେ ପିଲାମାନେ ମକ୍ ପାର୍ଲାମେଣ୍ଟ ବା ଛାୟା ସଂସଦରେ ଭାଗ ନେଇଥାଆନ୍ତି। ସେଥିରେ ବାଚସ୍ପତି, ପ୍ରଧାନମନ୍ତ୍ରୀ, ସ୍ବରାଷ୍ଟ୍ର ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିରୋଧୀ ଦଳ ନେତା ଭୂମିକାରେ ପିଲାମାନେ ଅବତୀର୍ଣ୍ଣ ହୋଇ ସଂସଦ ଚଳାଇଥାଆନ୍ତି। ଏଭଳି ଏକ ଆୟୋଜନ ଛାତ୍ରୀଛାତ୍ରଙ୍କୁ ପରିଚିତ ନିର୍ବାଚିତ ଜନପ୍ରତିନିଧିଙ୍କ ଭଳି ବିଭିନ୍ନ ପ୍ରସଙ୍ଗରେ ଯୁକ୍ତିତର୍କ ଉପସ୍ଥାପନ କରିବାର ଅବସର ସୃଷ୍ଟି କରିଥାଏ। ଖବରରୁ ଜଣାପଡ଼ିଛି ଯେ, ୩୧ ଅକ୍ଟୋବର ୨୦୨୬ରେ ନୂଆଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ବାସଭବନ ପରିସରରେ ଏକ ମକ୍ ପାର୍ଲାମେଣ୍ଟର ଆୟୋଜନ କରାଯାଇଥିଲା। ସେଥିରେ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କୁ ପଦବୀରୁ ହଟାଇବା ସହ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଚଳାଇବା ଉପରେ ବିରୋଧୀ ଗୁରୁତ୍ୱ ଦେଇଛନ୍ତି। ଏହି ପ୍ରତୀକାତ୍ମକ ସଂସଦୀୟ କାର୍ଯ୍ୟକ୍ରମରେ ଲୋକ ସଭାର ପୂର୍ବତନ ବାଚସ୍ପତି ମୈରା କୁମାର ଅଧ୍ୟକ୍ଷତା କରିଥିଲେ। ଏଭଳି ମକ୍ ପାର୍ଲାମେଣ୍ଟ ଆୟୋଜନ ନୂଆ ନୁହେଁ। ଜୁଲାଇ ୨୦୨୧ରେ କୃଷକଙ୍କ ସ୍ବାର୍ଥକୁ ସମ୍ମାନ ଜଣାଇ ବିରୋଧୀ ନେତା ରାହୁଲ ଗାନ୍ଧୀ ‘କିଷାନ ସଂସଦ’ ନାମରେ ଯନ୍ତରମନ୍ତରଠାରେ ଆୟୋଜିତ ମକ୍ ପାର୍ଲାମେଣ୍ଟରେ ଯୋଗ ଦେଇଥିଲେ। ସେତେବେଳେ ସଂସଦର ମୌସୁମୀ ଅଧିବେଶନ ସହ ଏହା ସମାନ୍ତରାଳ ଭାବେ ଚାଲିଥିଲା। ସେହିଭଳି ଅନ୍ୟ ଏକ ଛାୟା ସଂସଦ ଡିସେମ୍ବର ୨୦୨୧ରେ ସଂସଦ ବାହାରେ ବିରୋଧୀ ଦଳର ୨୧ ଜଣ ରାଜ୍ୟ ସଭା ସଦସ୍ୟଙ୍କୁ ନିଲମ୍ବିତ କରାଯିବା ପରେ ଆୟୋଜନ କରାଯାଇଥିଲା। ଲକ୍ଷ୍ମୀପୁର ଖେରି ହିଂସା ଘଟଣାରେ ସରକାର ବିତର୍କ କରିବାକୁ ରାଜି ନ ହେବା ପ୍ରସଙ୍ଗରେ ବିରୋଧୀ ଏଭଳି ପଦକ୍ଷେପ ନେଇଥିଲେ। ଅନୁରୂପ ଭାବେ ୨୦୨୩ ଶୀତକାଳୀନ ଅଧିବେଶନରେ ସଂସଦୀୟ ସୁରକ୍ଷା ଭଙ୍ଗକୁ ପ୍ରସଙ୍ଗ କରିବାରୁ ୧୪୦ ବିରୋଧୀ ସଦସ୍ୟଙ୍କୁ ନିଲମ୍ବିତ କରାଯାଇଥିଲା। ପରେ ସେମାନେ ସଂସଦ ପରିସରରେ ମକ୍ ପାର୍ଲାମେଣ୍ଟ କରିଥିଲେ। ତେବେ ଖାର୍ଗେଙ୍କ ବାସଭବନରେ ଏବର ପ୍ରତୀକାତ୍ମକ ଭାବେ ସଂସଦୀୟ କାର୍ଯ୍ୟକ୍ରମ କରାଯାଇ ଜ୍ଞାନେଶଙ୍କ ଇସ୍ତଫା ଦାବି ପୂର୍ବ ରେକର୍ଡକୁ ଭଙ୍ଗ କରିଛି। କାରଣ ଏହି ଗୋଟିଏ ପ୍ରସଙ୍ଗକୁ ନେଇ ଅନେକ ଆନ୍ଦୋଳନ ହୋଇସାରିଲାଣି। ବିରୋଧୀ ‘ଇଣ୍ଡିଆ ବ୍ଲକ’ ପକ୍ଷରୁ ୧ ନଭେମ୍ବରରେ ଦିଲ୍ଲୀର ରାମଲୀଳା ମଇଦାନରେ ଆୟୋଜିତ ଶୋଭାଯାତ୍ରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ବିରୋଧୀ ୧୦ ଲକ୍ଷ ଲୋକଙ୍କ ସମାବେଶ ହୋଇଥିବା ଦାବି କରୁଥିବା ବେଳେ ଭାଜପା ତାହାକୁ ବେଖାତିର କରିଛି। କିନ୍ତୁ ବିରୋଧୀ ଆଣିଥିବା ଅଭିଯୋଗକୁ ଏପର୍ଯ୍ୟନ୍ତ ଭାଜପା ତରଫରୁ କୌଣସି ଭାବେ ଅସ୍ବୀକାର କରାଯାଇ ନାହିଁ।
ଭାରତୀୟ ଗଣତାନ୍ତ୍ରିକ ଇତିହାସରେ ଭୋଟର ତାଲିକାରେ ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍)କୁ ନେଇ ଜଣେ ସରକାରୀ ଅଧିକାରୀଙ୍କ ଭୁଲ୍ ନିଷ୍ପତ୍ତି ଯୋଗୁ ଏବେ ଅସ୍ବାଭାବିକ ସ୍ଥିତି ସୃଷ୍ଟି ହୋଇଛି ବୋଲି ବିରୋଧୀ କହୁଛନ୍ତି। ଏଥିସହିତ ଏହା ମଧ୍ୟ କୁହାଯାଉଛି ଯେ, ଭାରତର ସବୁ ରାଜ୍ୟରେ ଏସ୍ଆଇଆର୍ କାମ ଆରମ୍ଭ କରିବା ପାଇଁ କୌଣସି ବିଧିବଦ୍ଧ ନିର୍ଦ୍ଦେଶ ନିର୍ବାଚନ ଆୟୋଗ କିମ୍ବା ସରକାରଙ୍କଠାରୁ ଆସିନାହିଁ। ତେଣୁ ବିରୋଧୀଙ୍କ କହିବା ଅନୁଯାୟୀ ଏସ୍ଆଇଆର୍ କରାଇବା ନିଷ୍ପତ୍ତିର ଜନ୍ମଦାତା ନାହାନ୍ତି। ଏହି କାର୍ଯ୍ୟକୁ କେବଳ ଜ୍ଞାନେଶ କୁମାର ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତିରେ ଦେଶବ୍ୟାପୀ କରାଇ ଦେଇଛନ୍ତି। ସରକାରଙ୍କ ସବୁ ପ୍ରକାର ସମର୍ଥନ ରହୁଥିବାରୁ ଜ୍ଞାନେଶଙ୍କୁ ପଦବୀରୁ ହଟାଇବା ସହଜ ହେଉନାହିଁ। କେବଳ ଜନଆନ୍ଦୋଳନଜନିତ ଚାପ କିଛିଟା ଫରକ୍ ଆଣିପାରେ। ମନେପକାଇ ଦିଆଯାଇପାରେ ଯେ, ଜଣେ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ଏଭଳି ଜନଆନ୍ଦୋଳନ ହୋଇଥିଲା। ତାଙ୍କର ଇସ୍ତଫା ପରେ ଆନ୍ଦୋଳନ ବନ୍ଦ ହୋଇଯାଇଥିଲା। ଏବେ ପୁନର୍ବାର ଜଣେ ଅଫିସରଙ୍କ ବିରୋଧରେ ଆନ୍ଦୋଳନ ତେଜୁଛି। କିନ୍ତୁ ସରକାର କେଉଁ କାରଣରୁ ସେହି ବ୍ୟକ୍ତିଙ୍କୁ ଏତେ ସୁରକ୍ଷା ପ୍ରଦାନ କରି ଅଡ଼ୁଆରେ ପଡ଼ୁଛନ୍ତି, ତାହା ବୁଝିବା କଷ୍ଟକର ହେଉଛି।
ଆଶ୍ଚର୍ଯ୍ୟର କଥା ହେଲା ସଂସଦର ମୌସୁମୀ ଅଧିବେଶନ ସ୍ଥଗିତ ହେବାର ୭୯ ଦିନ ପରେ ମଧ୍ୟ ଉକ୍ତ ଅଧିବେଶନକୁ ରାଷ୍ଟ୍ରପତିଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ସମାପ୍ତ ବା ପ୍ରୋରୋଗ କରାଯାଇନାହିଁ। ଏହି ନିଷ୍ପତ୍ତିର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରାଯାଇପାରିବ ନାହିଁ, ତଥାପି ଏହା ସଂସଦର ଆଗାମୀ ଶୀତକାଳୀନ ଅଧିବେଶନ ଠିକ୍ ସମୟରେ ହେବ କି ନାହିଁ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଧାନସଭା ଓ ସଂସଦରେ ମହିଳାମାନଙ୍କ ପାଇଁ ୩୩% ସଂରକ୍ଷଣ ଲାଗୁ କରିବା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍ ଏବଂ ସୀମା ପୁନଃନିର୍ଦ୍ଧାରଣ ବା ଡିଲିମିଟେଶନ ବିଲ୍ ଗୃହୀତ କରାଇବା ସକାଶେ ଏକ ସ୍ବତନ୍ତ୍ର ଅଧିବେଶନ ଡକାଯାଇପାରେ ବୋଲି ଆଲୋଚନା ହେଉଛି। ସଂସଦୀୟ ବ୍ୟବସ୍ଥାକୁ ଦେଖିଲେ ସାଧାରଣତଃ ପ୍ରତିବର୍ଷ ତିନୋଟି ଅଧିବେଶନ ହୋଇଥାଏ। ଏହା ବଜେଟ ଅଧିବେଶନରୁ ଆରମ୍ଭ ହୁଏ, ଯାହା ଜାନୁଆରୀ ଶେଷରେ ଆରମ୍ଭ ହୋଇ ଏପ୍ରିଲ ସୁଦ୍ଧା ସରିଥାଏ। ମୌସୁମୀ ଅଧିବେଶନ ଜୁଲାଇରେ ଆରମ୍ଭ ହୋଇ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବାର ପରମ୍ପରା ଥିବା ବେଳେ ଶୀତକାଳୀନ ଅଧିବେଶନ ନଭେମ୍ବରରେ ଆରମ୍ଭ ହୋଇ ଡିସେମ୍ବରରେ ଶେଷ ହୋଇଥାଏ। ବିଶେଷଜ୍ଞଙ୍କ ମତରେ ଯଦି ସରକାର ଗୃହର ମୌସୁମୀ ଅଧିବେଶନ ସମାପ୍ତ କରିବା ପାଇଁ ରାଷ୍ଟ୍ରପତିଙ୍କୁ ସୁପାରିସ ନ କରନ୍ତି, ତେବେ ଆଗାମୀ ଅଧିବେଶନକୁ ମୌସୁମୀ ଅଧିବେଶନର ଏକ ଅଂଶ ଭାବରେ ବିବେଚନା କରାଯିବ। ସରଳ ଭାଷାରେ କହିଲେ, ଶୀତକାଳୀନ ଅଧିବେଶନ ହେବା ନେଇ ସନ୍ଦେହ ଉପୁଜୁଛି।
ଜ୍ଞାନେଶଙ୍କ ବିରୋଧରେ ସିଜେପିଠାରୁ ଆରମ୍ଭ କରି ବର୍ତ୍ତମାନ ଜାରି ରହିଥିବା ବିକ୍ଷୋଭ ଓ ଆନ୍ଦୋଳନ ସରକାରଙ୍କ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିସାରିଲାଣି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।