ମନରେଗା ଜନଶୁଣାଣିରେ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଗାଏବ: ସ୍ୱଚ୍ଛତା ନେଇ ପ୍ରଶ୍ନବାଚୀ
ଥୁଆମୂଳ ରାମପୁର,୫ା୧୦ (ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ମନରେଗା ଯୋଜନାର ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ତେବେ ଧାର୍ଯ୍ୟ ନିୟମ ଅନୁଯାୟୀ ଆଇଟିଡିଏ ପ୍ରକଳ୍ପ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ହେବାର ଥିଲେ ବି କୌଣସି ଉଚ୍ଚାଧିକାରୀ ଉପସ୍ଥିତ ନ ରହିବା ଏବଂ ପ୍ରକୃତ ଶ୍ରମିକଙ୍କ ବଦଳରେ କେବଳ ମେଟ୍, ଠିକାଦାର ଓ ଦଲାଲଙ୍କ ଉପସ୍ଥିତିକୁ ନେଇ କାର୍ଯ୍ୟକ୍ରମର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠିଛି।
ବ୍ଲକ୍ ଅଧ୍ୟକ୍ଷ ଦୟାନିଧି ମାଝୀ, ବିଡିଓ ଧ୍ରୁବ ଚରଣ ମୁଦୁଲିଙ୍କ ସମେତ କିଛି ସରକାରୀ ଅଧିକାରୀ ଶିବିରରେ ଉପସ୍ଥିତ ଥିଲେ। ସାଧାରଣ ଲୋକଙ୍କ ନଗଣ୍ୟ ଉପସ୍ଥିତି ନେଇ ବିଡିଓଙ୍କୁ ପଚାରିବାରୁ, ସେ ପୂଜାପାର୍ବଣ ପାଇଁ ଲୋକେ ଆସି ନ ଥିବା କହିଥିଲେ। ମାତ୍ର ଆଇଟିଡିଏ ଅଧିକାରୀଙ୍କ ଅନୁପସ୍ଥିତି ନେଇ ସେ କୌଣସି ସ୍ପଷ୍ଟ ଉତ୍ତର ଦେଇ ନଥିଲେ। ଆଇଟିଡିଏ ପିଏ ପ୍ରଦ୍ୟୁମ୍ନ କୁମାର ଦାସଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରାଯାଇଥିଲେ ବି ସେ ଫୋନ୍ ଉଠାଇ ନ ଥିଲେ। ପ୍ରକୃତ ହିତାଧିକାରୀଙ୍କ ଅଭାବରୁ ଏହି ଜନଶୁଣାଣି ପ୍ରହସନରେ ପରିଣତ ହୋଇଥିବା ଅଭିଯୋଗ କରି, ବ୍ୟାପକ ସଚେତନତା ସହ ପୁନର୍ବାର ସ୍ୱଚ୍ଛ ଭାବେ ଜନଶୁଣାଣି କରିବାକୁ ସାଧାରଣରେ ଦାବି ହୋଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।