ମାର୍ବଲ୍ ମନ୍ଦିରର ଉତ୍ଥାନ

Sep 10, 2026 - 08:02
ମାର୍ବଲ୍ ମନ୍ଦିରର ଉତ୍ଥାନ

ର୍ୱଲ ମନ୍ଦିରଗୁଡ଼ିକୁ ଦେଖିଲେ ପ୍ରଥମେ ଏହା ଚାରିପାଖର ପରିବେଶ ନଜରକୁ ଆସେ। ଭିକ୍ଟୋରିଆନ୍‌ ଶୈଳୀର ଲନ୍‌, ମୋଗଲ ଆମୋଦପ୍ରମୋଦ ବଗିଚାର ଭ୍ରମ ସୃଷ୍ଟି କରୁଥିବା ଝରଣା ଏବଂ ପଦ୍ମଫୁଲ ଆକାରର ପୋଖରୀ ଦେଖିବାକୁ ମିଳେ। କିନ୍ତୁ ପୋଖରୀରେ କୌଣସି ଫୁଲ ଫୁଟି ନ ଥାଏ। ଏଠାରେ ମାଙ୍କଡ଼, ପକ୍ଷୀ ଏବଂ କୀଟପତଙ୍ଗଙ୍କୁ ଆକର୍ଷିତ କରିପାରୁଥିବା କୌଣସି ଫଳପ୍ରଦ ଗଛ ନ ଥାଏ। ଏଠାରେ ସାପମାନଙ୍କୁ ଆକର୍ଷିତ କରିପାରବା ଭଳି କୌଣସି ସୁଗନ୍ଧିତ ଫୁଲଗଛ ନଥାଏ। ବିଂଶ ଶତାବ୍ଦୀରେ, ଧଳା ମାର୍ୱଲ କିମ୍ୱା ଗୋଲାପୀ ବାଲିପଥରର ଏଭଳି ମନ୍ଦିରଗୁଡ଼ିକ କେବଳ ଭାରତରେ ନୁହେଁ; ବରଂ ଲଣ୍ଡନ, ଦୁବାଇ ଏବଂ ଆମେରିକାର ବିଭିନ୍ନ ସହରରେ ମଧ୍ୟ ଗଢ଼ିଉଠିଲା। ଏସବୁ ଉଚ୍ଚାକାଂକ୍ଷୀ ଓ ଆଧୁନିକ ମନୋଭାବସମ୍ପନ୍ନ ହିନ୍ଦୁମାନଙ୍କ ବିଷୟରେ ଏକ ନିର୍ଦ୍ଦିଷ୍ଟ ବାର୍ତ୍ତା ଦିଏ।
ହିନ୍ଦୁ ସ୍ଥାପତ୍ୟ କଳାରେ ମାର୍ୱଲ କେବେହେଲେ ଏକ ପାରମ୍ପରିକ ସାମଗ୍ରୀ ନ ଥିଲା। ତାମିଲନାଡୁରେ, ବୃହତ୍‌ ବହୁତଳ ବିଶିଷ୍ଟ ମନ୍ଦିର ଗ୍ରାନାଇଟ୍‌ ପଥରରେ ନିର୍ମାଣ କରାଯାଇଥିଲା। ଓଡ଼ିଶାରେ ଖୋଣ୍ଡାଲାଇଟ୍‌, କର୍ନାଟକରେ ସୋପଷ୍ଟୋନ୍‌ ଏବଂ ସମଗ୍ର ଉତ୍ତର ଭାରତରେ ଲାଲ ଓ ହଳଦିଆ ବାଲୁକାପଥର ବ୍ୟବହାର କରାଯାଉଥିଲା। ପ୍ରକୃତରେ, ମାର୍ୱଲ ପଶୁମାନଙ୍କର ଅସ୍ଥି ସହିତ ଜଡ଼ିତ ବୋଲି ବିଚାର କରି ପାରମ୍ପରିକ କାରିଗରମାନେ ଏହାକୁ ବର୍ଜନ କରୁଥିଲେ।
ଶ୍ୱେତାମ୍ୱର ଜୈନ ବ୍ୟବସାୟୀ ସମ୍ପ୍ରଦାୟ ହିଁ ପ୍ରଥମେ ମାର୍ୱଲରେ ମନ୍ଦିର ନିର୍ମାଣ କରିଥିଲେ। ଗୁଜରାଟର ମାଉଣ୍ଟ ଆବୁ ଓ ଗିରନାରରେ ସୋଲଙ୍କୀ ରାଜାମାନଙ୍କ ଶାସନକାଳରେ ପ୍ରାୟ ୧୦ମ ଶତାବ୍ଦୀରୁ ଏହି ପରମ୍ପରା ଆରମ୍ଭ ହୋଇଥିଲା। ଶ୍ୱେତବସ୍ତ୍ର ପରିଧାନ କରୁଥିବା ତୀର୍ଥଙ୍କରଙ୍କ ଅନୁଗାମୀମାନଙ୍କ ପାଇଁ ଧଳା ମାର୍ୱଲରେ ମନ୍ଦିର ନିର୍ମାଣ କରିବା ଯୁକ୍ତିଯୁକ୍ତ ମନେକରାଯାଉଥିଲା। ଏହି ମନ୍ଦିରଗୁଡ଼ିକ ମଧ୍ୟରେ ଥିବା ମାର୍ୱଲ୍‌ ମୂର୍ତ୍ତିଗୁଡ଼ିକୁ କାରୁକାର୍ଯ୍ୟ, ସୁନା ଏବଂ ରତ୍ନରେ ସଜ୍ଜିତ କରାଯାଇଥିଲା। ଯେତେବେଳେ ଭାରତରେ ଇସ୍‌ଲାମର ଅଭ୍ୟୁଦୟ ହେଲା, ସେତେବେଳେ ମାର୍ୱଲ୍‌ ଏକ ଲୋକପ୍ରିୟ ରପ୍ତାନି ସାମଗ୍ରୀ ପାଲଟିଗଲା। ଏହାକୁ କବର ପଥର ଏବଂ ମସ୍‌ଜିଦରେ ବ୍ୟବହାର କରାଗଲା। ଅନେକ ମୁସ୍‌ଲିମ୍‌ ସୁଲତାନଙ୍କର କୋଷାଧ୍ୟକ୍ଷ ଏବଂ ମୁଦ୍ରା ନିର୍ମାଣ କାର୍ଯ୍ୟର ମୁଖ୍ୟ ଭାବରେ ଜୈନମାନେ ରହୁୁଥିଲେ। ମାର୍ୱଲ୍‌ ରାଜାମାନଙ୍କ ପାଇଁ ଏକ ବିଳାସପୂର୍ଣ୍ଣ ସାମଗ୍ରୀ ପାଲଟିଗଲା। ସୁଫି ସନ୍ଥଙ୍କ ପାଇଁ ଧଳାରଙ୍ଗ ମାର୍ୱଲ ସରଳତା ଏବଂ ପବିତ୍ରତାର ପ୍ରତୀକ ଥିଲା।
ମଧ୍ୟପ୍ରଦେଶର ଓର୍‌ଛାରେ ପୁରାତନ ହିନ୍ଦୁ ମନ୍ଦିରଗୁଡ଼ିକ ବାଲିପଥରରେ ନିର୍ମାଣ କରାଯାଇଥିଲା। ଗତ ଶହେ ବର୍ଷ ମଧ୍ୟରେ ପ୍ରଚୁର ପରିମାଣରେ ମାର୍ୱଲ ଉପଲବ୍ଧ ହେଉଥିବା ଆରାବଳୀ ଅଞ୍ଚଳର ହିନ୍ଦୁ ବ୍ୟବସାୟୀମାନେ ଜୈନ ବ୍ୟବସାୟୀଙ୍କ ମାର୍ୱଲ ମନ୍ଦିର ନିର୍ମାଣ ଶୈଳୀକୁ ଅନୁକରଣ କରିବା ଆରମ୍ଭ କଲେ। ଏଥିରୁ ଜୟପୁର ଶୈଳୀ ଉଦ୍ଭବ ଦେଲା। ପ୍ରଥମେ ବିର୍ଲା ପରିବାର ଏହି ଶୈଳୀକୁ ଲୋକପ୍ରିୟ କରିଥିଲେ। ସୋମପୁରା ସ୍ଥପତିମାନେ ଭାରତ ଓ ବିଶ୍ୱରେ ସ୍ୱାମୀନାରାୟଣ ଏବଂ ଜୈନ ସମ୍ପ୍ରଦାୟ ପାଇଁ କାମ କରି ମନ୍ଦିର ଶୈଳୀକୁ ଆଗକୁ ନେଉଛନ୍ତି। ଏବେ ଅଧିକାଂଶ ଉତ୍ତର ଭାରତୀୟ ସହରଗୁଡ଼ିକରେ ହିନ୍ଦୁ ମନ୍ଦିର ଏବଂ ଜୈନ ମନ୍ଦିର ମଧ୍ୟରେ ପାର୍ଥକ୍ୟ ଦେଖିବା କଷ୍ଟକର। ଏହି ଶୈଳୀରେ ପୂର୍ୱ କିମ୍ୱା ଦକ୍ଷିଣ ଭାରତର କୌଣସି ଛାପ ନାହିଁ। ଏହା ସନାତନ ଧର୍ମ ବା ନବ-ହିନ୍ଦୁବାଦର ଏକ ପରିଭାଷା ପାଲଟିଛି। ଯେଉଁଠାରେ ଏହି ମନ୍ଦିରଗୁଡ଼ିକ ଦେଖାଯାଏ, ସେଠାରେ ବି ଏକ ନିର୍ଦ୍ଦିିଷ୍ଟ ପ୍ରକାର ହିନ୍ଦୁଧର୍ମ ସାମ୍ନାକୁ ଆସିଥାଏ, ଯାହା ଶାକାହାରୀ ଖାଦ୍ୟକୁ ପବିତ୍ର ଏବଂ ଆମିଷ ଭୋଜନକୁ ଅପବିତ୍ର ମନେକରେ। ଇସ୍‌ଲାମିକ ଶାସନରେ ଗୁଜରାଟ ଏବଂ ରାଜସ୍ଥାନରେ ଦେବଦେବୀଙ୍କୁ କିପରି ରାଜପୁତମାନଙ୍କ ହାଭେଲି ବା ପ୍ରାସାଦରେ ଲୁଚାଇ ରଖାଯାଇଥିଲା, ତାହା ଏହିସବୁ ମନ୍ଦିରର ପୃଷ୍ଠପୋଷକମାନେ ମନେ ପକାଇଦିଅନ୍ତି। ପ୍ରାଚୀନ ମନ୍ଦିରଗୁଡ଼ିକ ଭଳି ଏହି ହାବେଳୀଗୁଡ଼ିକ ଭଗବାନଙ୍କ ଉପସ୍ଥିତିର ଜୟଗାନ କରୁନଥିଲେ। ଏହି ରାଜପୁତ୍‌ମାନେ ଏଭଳି ମନ୍ଦିର ନିର୍ମାଣ କରିବାକୁ ବ୍ୟାକୁଳ ଥିଲେ, ଯାହା ଦୃଶ୍ୟ ଏବଂ ପ୍ରତୀକାତ୍ମକ ରୂପରେ ଚର୍ଚ୍ଚର ଶିଖର ଏବଂ ମସ୍‌ଜିଦର ମିନାର ସହ ସମକକ୍ଷ ହୋଇପାରିବ।
ଏହି ଶୈଳୀର ମନ୍ଦିର ସ୍ଥାପତ୍ୟର ମହତ୍ତ୍ୱକୁ ବୁଝିବା ପାଇଁ ଆମକୁ ପ୍ରଥମେ ଜାଣିବାକୁ ହେବ ଯେ ପ୍ରକୃତରେ ହିନ୍ଦୁ ମନ୍ଦିର ପ୍ରାରମ୍ଭିକ ସମୟରେ କ’ଣ ଥିଲା। ବାସ୍ତବରେ ପ୍ରାଚୀନ ହିନ୍ଦୁ ମନ୍ଦିରଗୁଡ଼ିକ ପ୍ରାକୃତିକ ଥିଲା। ପବିତ୍ର ଉପବନ, ନଦୀର ସଙ୍ଗମସ୍ଥଳ ଏବଂ ଦୂରସ୍ଥ ଗୁମ୍ଫା ଏହା ନିକଟରେ ରହୁଥିଲା। ପ୍ରାୟ ୧,୫୦୦ ବର୍ଷ ପୂର୍ୱେ ଭାରତରେ ପଥର ମନ୍ଦିରମାନ ଦେଖାଦେଇଥିଲା। ଏହାର ଛାତ ହିମାଳୟର ଶୃଙ୍ଗ ସଦୃଶ ଥିଲା, ଦ୍ୱାରବନ୍ଧରେ ଗଙ୍ଗା ଓ ଯମୁନାର ପ୍ରତୀକ ରହୁଥିଲା ଏବଂ କାନ୍ଥଗୁଡ଼ିକରେ ରାମାୟଣ ଓ ମହାଭାରତର କାହାଣୀ ଚିତ୍ରିତ ହୋଇଥିଲ। ଏହି ମହାପୁରାଣର ଘଟଣାଗୁଡ଼ିକ ଆର୍ଯ୍ୟାବର୍ତ୍ତରେ ଘଟିଥିଲା। ଯେତେବେଳେ ବ୍ରାହ୍ମଣମାନେ ଦକ୍ଷିଣକୁ ସ୍ଥାନାନ୍ତରିତ ହେଲେ, ସେମାନେ ସ୍ଥାପତ୍ୟ ମାଧ୍ୟମରେ ଉତ୍ତର ଭାରତୀୟ ଶୈଳୀକୁ ନେଇ ଆସିଥିଲେ। ଯେତେବେଳେ ଆକ୍ରମଣକାରୀମାନେ ମସଜିଦ୍‌ ତିଆରି କରିବା ପାଇଁ ଉତ୍ତର ଭାରତର ମନ୍ଦିରଗୁଡ଼ିକୁ ଭାଙ୍ଗିଦେଲେ, ସେତେବେଳେ ଦକ୍ଷିଣର ରାଜାମାନେ ମନ୍ଦିର ପରିସର ଚାରିପାଖରେ ବିଶାଳ ପ୍ରାଚୀର ନିର୍ମାଣ କରି ଏହାର ଜବାବ ଦେଇଥିଲେ। ମୂଳତଃ, ହିନ୍ଦୁ ମନ୍ଦିର ଏକ ତାନ୍ତ୍ରିକ ପୀଠ ଥିଲା। ଏହା ଭିତରେ ଶିବ ଓ ପାର୍ୱତୀ ଏକ ଅନ୍ତରଙ୍ଗ ପ୍ରତୀକାତ୍ମକ ମିଳନରେ ବିରାଜମାନ ଥିଲେ। ବୈଷ୍ଣବ ମନ୍ଦିର ଏହି କାମୁକ ଅଭିବ୍ୟକ୍ତିକୁ ପ୍ରେମ ଓ ରୋମାଞ୍ଚର ଭିନ୍ନ ରୂପ ଦେଲା। ଭଗବାନ ଏବଂ ଦେବୀଙ୍କ ମନ୍ଦିରକୁ ପୃଥକ୍‌ କରିଦେଲା। ସେମାନଙ୍କୁ ରଥଯାତ୍ରା ଏବଂ ଚାପଖେଳ (ନୌକା ବିହାର) ଉତ୍ସବ ମାଧ୍ୟମରେ ଆନୁଷ୍ଠାନିକ ଭାବେ ପୁନର୍ମିଳନ କରାଯାଉଥିଲା।
ମୁସଲମାନମାନେ କେବଳ ମୂର୍ତ୍ତିପୂଜାର ବିରୋଧୀ ନ ଥିଲେ; ସେମାନେ ଏକେଶ୍ୱରବାଦୀ ଥିଲେ ଏବଂ ପୁରୁଷ-କୈନ୍ଦ୍ରିକ ଧର୍ମୀୟ ପ୍ରତୀକକୁ ପସନ୍ଦ କରୁଥିଲେ। ଏହି ପ୍ରଭାବ ଆଧୁନିକ ହିନ୍ଦୁ ମନ୍ଦିରର ଅନେକ ସ୍ଥାପତ୍ୟ ଓ ଧର୍ମୀୟ ଶବ୍ଦାବଳୀରେ ଦେଖାଯାଏ। ମସ୍‌ଜିଦ ଏକ ପ୍ରାର୍ଥନା ଗୃହ ଥିଲା, ମନ୍ଦିର ଭଳି ଭଗବାନଙ୍କ ନିବାସ ସ୍ଥଳ ନ ଥିଲା। ଆଧୁନିକ ମନ୍ଦିରଗୁଡ଼ିକ କ୍ରମଶଃ ପ୍ରାର୍ଥନା ସଭାଗୃହ ଏବଂ ଦିବ୍ୟ ଦରବାରରେ ପରିଣତ ହୋଇଛି। ଜୟପୁରର ମାର୍ୱଲ ମନ୍ଦିରରେ ଦିବ୍ୟ ଦମ୍ପତିଙ୍କ ସେହି ଅନ୍ତରଙ୍ଗତା ଦେଖିବାକୁ ମିଳେନାହିଁ। ଦେବୀ ଅଲଗା ଭାବରେ, ଔପଚାରିକ ଢଙ୍ଗରେ, ପରସ୍ପରକୁ ପ୍ରାୟ ସ୍ପର୍ଶ ନକରି ଠିଆ ହୋଇଥାନ୍ତି। ସମ୍ପୂର୍ଣ୍ଣ ନାରୀ ରୂପ ପ୍ରାୟତଃ ନାହିଁ। ଏହା ବଦଳରେ ଭଗବାନଙ୍କୁ ଏକକ ବ୍ୟକ୍ତିତ୍ୱ, ବ୍ରହ୍ମଚାରୀ ସନ୍ନ୍ୟାସୀ-ଗୁରୁ କିମ୍ୱା ଅଦୃଶ୍ୟ ମାତାଙ୍କ ପୁତ୍ର ଭାବରେ ଦଣ୍ଡାୟମାନ। ମାର୍ୱଲ ମନ୍ଦିରର ଆଡ଼ମ୍ୱରପୂର୍ଣ୍ଣ ଝାଡ଼ବତି, ରକ୍ଷଣାବେକ୍ଷଣ କର୍ମଚାରୀ ଓ ଶିଳ୍ପାୟିତ କାର୍ଯ୍ୟକ୍ଷମତା କେବଳ ଏକ ସମ୍ପ୍ରଦାୟର ସମ୍ପନ୍ନତା କିମ୍ୱା ସୌନ୍ଦର୍ଯ୍ୟବୋଧକୁ ପ୍ରତିଫଳିତ କରେ ନାହିଁ; ବରଂ ଏହା ଏକ ମତବାଦ ଏବଂ ଏକ ରାଜନୀତିକୁ ଧାରଣ କରେ। ପଚାରିବା ଯୋଗ୍ୟ ପ୍ରଶ୍ନ ଏହା ନୁହେଁ ଯେ, ଏହି ମନ୍ଦିରଗୁଡ଼ିକ ସୁନ୍ଦର କି ନାହିଁ। ସେଗୁଡ଼ିକ ସୁନ୍ଦର। ପ୍ରଶ୍ନ ହେଉଛି ସେଗୁଡ଼ିକ କଣ ସଙ୍କେତ ଦେଉଛନ୍ତି।
-devduttofficial@gmail.com


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।