ରୁଷିଆ-ୟୁକ୍ରେନ ଯୁଦ୍ଧ ନେଇ ଟ୍ରମ୍ପଙ୍କ ବଡ଼ ଦାବି, କହିଲେ ସମସ୍ତେ ଖୁସି….
ୱାଶିଂଟନ୍,୬।୧୧: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଦୀର୍ଘଦିନ ଧରି ଜାରି ରହିଥିବା ଯୁଦ୍ଧର ଅନ୍ତ ଘଟାଇବା ପାଇଁ ଖୁବ୍ଶୀଘ୍ର ଏକ ଚୁକ୍ତି ହୋଇପାରେ ବୋଲି ଆଶା ପ୍ରକାଶ କରିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପ୍ରସ୍ତାବିତ ଶାନ୍ତି ଚୁକ୍ତିକୁ ସେ ‘ବଡ଼ ଓ ଚମତ୍କାର ଚୁକ୍ତି’ ବୋଲି ଅଭିହିତ କରିଛନ୍ତି । ଏହା କେବଳ ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ସୀମିତ ନ ରହି ସମଗ୍ର ୟୁରୋପର ଅନ୍ୟ ଦେଶଗୁଡ଼ିକୁ ମଧ୍ୟ ସାମିଲ କରିପାରେ ବୋଲି ସେ ସଙ୍କେତ ଦେଇଛନ୍ତି।
ହ୍ୱାଇଟ୍ ହାଉସ୍ରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଟ୍ରମ୍ପ କହିଛନ୍ତି ଯେ, ଯୁଦ୍ଧ ବନ୍ଦ କରିବା ପାଇଁ ଉଭୟ ଦେଶ ମଧ୍ୟରେ କୂଟନୈତିକ ଆଲୋଚନା ଜାରି ରହିଛି। ଏହି ପ୍ରୟାସରେ ଆଗକୁ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହୋଇପାରେ। ଉଭୟ ଦେଶ ଏକ ଚୁକ୍ତିର ନିକଟତର ହୋଇପାରନ୍ତି ବୋଲି ସେ ଆଶାବାଦୀ ଅଛନ୍ତି।
ଏହି ଅବସରରେ ଟ୍ରମ୍ପ ନିଜ ପତ୍ନୀ ତଥା ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପଙ୍କ ମାନବିକ ପ୍ରୟାସକୁ ମଧ୍ୟ ଖୁବ୍ ପ୍ରଶଂସା କରିଛନ୍ତି। ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଯୋଗାଯୋଗ ଓ ସଂଳାପ ସ୍ଥାପନ କରିବାରେ ମେଲାନିଆ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା ସେ କହିଛନ୍ତି । ଯୁଦ୍ଧ ଶେଷ ହେବାର ସମ୍ଭାବନା ସମ୍ପର୍କରେ ପଚରାଯିବାରୁ ଟ୍ରମ୍ପ କହିଛନ୍ତି, ଉଭୟ ଦେଶ ଚୁକ୍ତିର ଖୁବ୍ ନିକଟରେ ପହଞ୍ଚିପାରନ୍ତି । ଏଥିପାଇଁ ମେଲାନିଆଙ୍କ ଉଦ୍ୟମ ମଧ୍ୟ ପ୍ରଶଂସନୀୟ। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ଦୂତ କିରିଲ୍ ଦିମିତ୍ରିଏଭ୍ଙ୍କ ସହ ହ୍ୱାଇଟ୍ ହାଉସ୍ରେ ସାକ୍ଷାତ ହୋଇଥିବା ଟ୍ରମ୍ପ ସ୍ୱୀକାର କରିଛନ୍ତି । ତେବେ ଏହି ବୈଠକରେ କ’ଣ ଆଲୋଚନା ହୋଇଥିଲା, ସେ ସମ୍ପର୍କରେ ସବିଶେଷ ତଥ୍ୟ ଦେବାକୁ ସେ ମନା କରିଛନ୍ତି। ଆଲୋଚନାର ବିଷୟବସ୍ତୁ ପ୍ରକାଶ କରିପାରିବେ ନାହିଁ, କିନ୍ତୁ ଏହି ସାକ୍ଷାତ ଏକ ବଡ଼ ଚୁକ୍ତିର ରାସ୍ତା ଖୋଲିପାରେ ବୋଲି ଆଶା ରଖିଥିବା ସେ କହିଛନ୍ତି।
ଟ୍ରମ୍ପଙ୍କ ସଙ୍କେତ ଅନୁସାରେ, ପ୍ରସ୍ତାବିତ ଶାନ୍ତି ଚୁକ୍ତିରେ ୟୁକ୍ରେନ୍ ବ୍ୟତୀତ ୟୁରୋପର ଅନ୍ୟ ଦେଶଗୁଡ଼ିକ ମଧ୍ୟ ସାମିଲ ହୋଇପାରନ୍ତି। ଏହା ଏଭଳି ଏକ ଚୁକ୍ତି ହେବ, ଯାହାକୁ ସମସ୍ତ ପକ୍ଷ ଗ୍ରହଣ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ତେବେ ଚୁକ୍ତିର ସମ୍ଭାବ୍ୟ ସର୍ତ୍ତାବଳୀ, ସମୟସୀମା କିମ୍ବା ଏଥିରେ କେଉଁ କେଉଁ ଦେଶ ସାମିଲ ହେବେ, ସେ ସମ୍ପର୍କରେ ଟ୍ରମ୍ପ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।