ଲକ୍ଷ୍ମୀ ସରସ୍ବତୀ
ମ ମନରେ ସାଧାରଣତଃ ଧାରଣା- ”ଯେଉଁଠି ଧନ, ସେଇଠି ସୁଖ। ଧନୀ ଲୋକଙ୍କୁ ସୁଖୀ ବୋଲି ଗ୍ରହଣ କରାଯାଏ। ପାଖରେ ପ୍ରଚୁର ଧନ ଅଛି ତ ଆଉ ଚିନ୍ତା କଅଣ? ଟଙ୍କା ପଇସା, ସୁନା ରୁପା, ଜମିବାଡ଼ି, ଘରଦ୍ୱାର ଏସବୁ ସହିତ ସୁଖର ମୂଳ ସୂତ୍ରଟି ଗୁନ୍ଥା ହୋଇ ରହିଛି।“ ବାସ୍ତବରେ ସେମିତି କିଛି ନୁହେଁ। ଧନର ଦେବୀ ଲକ୍ଷ୍ମୀଙ୍କର ଗୋଟିଏ ନାମ ହେଲା ଚଞ୍ଚଳା। ତାଙ୍କର ସ୍ବଭାବ ହେଉଛି ଚଞ୍ଚଳ। ସେ କେବେହେଲେ କେଉଁଠି ସ୍ଥିର ହୋଇ ରହନ୍ତି ନାହିଁ। ଆଜି ଏଇଠି ତ କାଲି ଆଉ କେଉଁଠି। ଯେଉଁ ଧନ ଆଜି ଆମ ହାତରେ ଅଛି, ରାତି ପାହିବା ବେଳକୁ ସେହି ଧନ ଆମ ପାଖରେ ଥିବ ବୋଲି କିଛି ନିଶ୍ଚିତତା ନାହିଁ। ଆଜି ରାଜେନ୍ଦ୍ରାସନରେ ଉପବେଶନ କରୁଥିବା ବ୍ୟକ୍ତି କାଲି ଭିକ୍ଷାଝୁଲି ଧରି ଦ୍ୱାରଦ୍ୱାର ବୁଲି ଭିକ୍ଷା ମାଗିବାରେ ବିଚିତ୍ରତା ନାହିଁ। ସଂସାରରେ ଏପରି ଦୃଶ୍ୟ ଦେଖିବାକୁ ମିଳେ ବହୁତ। ହୁଏତ ଦଶ କୋଡ଼ିଏ ବର୍ଷ ତଳେ ଖବରକାଗଜରେ ଠୁଙ୍ଗା ତିଆରି କରି ବିକ୍ରି କରୁଥିବା, ବାଡ଼ିରୁ ପତ୍ର ଗୋଟାଇ ଜାଲରେ ରଖି ବିକ୍ରି କରି ଉଦର ପୋଷଣ କରୁଥିବା ପରିବାର ଆଜି କୋଟି କୋଟି ଟଙ୍କାର ମାଲିକ। ପଚାଶ ଷାଠିଏ ବର୍ଷ ତଳେ ଜମିଦାର ପରିବାରର ଲୋକମାନେ ଆଜି ସେ କାଳର ସେହି ମହଲମାନଙ୍କର ରକ୍ଷଣାବେକ୍ଷଣ କରିବାକୁ ଅକ୍ଷମ।
ଆମର ବଦ୍ଧମୂଳ ଧାରଣା, ଲକ୍ଷ୍ମୀ ଆଉ ସରସ୍ବତୀ ଏ ଦୁହେଁ ପରସ୍ପରର ବିରୋଧୀ। ଏ ଦୁହେଁ କେହି କାହାକୁ ପସନ୍ଦ କରନ୍ତି ନାହିଁ। ଜଣେ ଯେଉଁଠି ଥାଏ, ଅନ୍ୟ ଜଣେ ସେଠାକୁ ଆସନ୍ତି ନାହିଁ। କିନ୍ତୁ ସେମିତି କିଛି କଥା ନାହିଁ। ମୁଣ୍ଡରେ ବୁଦ୍ଧି ଓ ଜ୍ଞାନ ନାହିଁ ତ କେହି ରୋଜଗାର କରିିବା ପାଇଁ ସକ୍ଷମ ହୋଇ ନଥାଏ। ତା’ର ଅର୍ଥ ହେଲା ମାତା ସରସ୍ବତୀ ହିଁ ମାତା ଲକ୍ଷ୍ମୀଙ୍କର ଆଗମନର ପଥ ଉନ୍ମୁକ୍ତ କରିଦିଅନ୍ତି। ସେ ପୁଣି ଧନର ସମୁଚିତ ଉପଯୋଗ ଦିଗରେ ସହାୟତା କରନ୍ତି। ମା’ ଲକ୍ଷ୍ମୀ ଯେପରି ଧନ, ସମୃଦ୍ଧି, ସୌଭାଗ୍ୟ ଦିଅନ୍ତି, ମା’ ସରସ୍ବତୀ ସେହିପରି ଜ୍ଞାନ, ପ୍ରଜ୍ଞା ଓ ସଦ୍ବୁଦ୍ଧି ଦିଅନ୍ତି। ଜୀବନରେ ଧନ ଓ ଜ୍ଞାନର ମିଳନ ହୋଇପାରିଲେ ଜୀବନ ସାର୍ଥକ ହୋଇଯାଏ। ମା’ ଲକ୍ଷ୍ମୀ ଐଶ୍ୱର୍ଯ୍ୟ ପ୍ରଦାନକାରିଣୀ। ସେହିପରି ମା’ ସରସ୍ବତୀ ମନୁଷ୍ୟ ମନରେ ବିବେକକୁ ଜାଗ୍ରତ କରିରଖନ୍ତି। ତେଣୁ ଯାହା ଉପରେ ଲକ୍ଷ୍ମୀ ଓ ସରସ୍ବତୀ ଉଭୟ ପ୍ରସନ୍ନ, ତା’ର ଜୀବନ ଯେପରି ସୁଦୀର୍ଘ, ସେହିପରି ନିରାମୟ ତଥା ସୁଖ ଓ ଶାନ୍ତିମୟ ହୋଇଥାଏ।
ଦେବୀ ସରସ୍ବତୀ ଓ ଲକ୍ଷ୍ମୀ ଉଭୟେ ଶୁଦ୍ଧତା ଓ ପବିତ୍ରତାର ପ୍ରତୀକ । ଉଭୟ ଦେବୀ ଶ୍ୱେତପଦ୍ମ ଉପରେ ବିରାଜମାନା ହୋଇଥାନ୍ତି। ଉଭୟ ଶ୍ୱେତବସ୍ତ୍ର ପରିହିତା। ଯେଉଁଠି ପବିତ୍ରତା ଓ ଶୁଦ୍ଧତା ରହିଛି, ମହାଲକ୍ଷ୍ମୀ ସେଇଠି ବିରାଜମାନ ହୋଇଯିବେ। ମାର୍ଗଶିର ଗୁରୁବାର ସକାଳୁ ସକାଳୁ ଶ୍ରୀମନ୍ଦିର ଛାଡ଼ି ମହାଲକ୍ଷ୍ମୀ ଚାଣ୍ଡାଳୁଣୀ ଶ୍ରୀୟା ଘରେ ହାଜର! ସେମିତି ଦେଖିବାକୁ ଗଲେ ଲକ୍ଷ୍ମୀ ଆଉ ସରସ୍ବତୀଙ୍କ ମଧ୍ୟରେ କିଛି ଭିନ୍ନତା ନାହିଁ। ଯିଏ ମା’ ଲକ୍ଷ୍ମୀ, ସେ ହିଁ ମା ସରସ୍ବତୀ। ଦୁଇଟି ରୂପରେ ଦୁଇ ଦେବୀଙ୍କର ପରିକଳ୍ପନା। ପେଟ ପୂରିବା ପାଇଁ ଯେମିତି ଧନର ଆବଶ୍ୟକତା ରହିଛି, ବଞ୍ଚତ୍ବା ପାଇଁ ସେମିତି ବୁଦ୍ଧି ଟିକିଏ ତ ଦରକାର। ବୁଦ୍ଧି ବିବେକର ସହିତ ଜୀବନର ଉତ୍ତମ ଆଚରଣଭିତ୍ତିକ ପରିଚାଳନା ପାଇଁ ମାତା ସରସ୍ବତୀଙ୍କ କୃପା ଆବଶ୍ୟକ। ଭାରତୀୟ ଚିନ୍ତନରେ ଦେବୀ ଲକ୍ଷ୍ମୀ ଏବଂ ସରସ୍ପତୀ ଉଭୟ ଦୁଇଟି ଶକ୍ତିର ପ୍ରତୀକ। ଲକ୍ଷ୍ମୀ ଧନ, ସମୃଦ୍ଧି ଓ ଐଶ୍ୱର୍ଯ୍ୟର ପ୍ରତୀକ ହୋଇଥିବାବେଳେ ସରସ୍ବତୀ ହେଉଛିନ୍ତି ବିଦ୍ୟା, ଜ୍ଞାନ, ବୁଦ୍ଧି ଓ ବିବେକର ପ୍ରତୀକ। ଧନ ଥାଇ ଜ୍ଞାନ ନଥିଲେ ଧନର ସଦୁପଯୋଗ ହୋଇପାରେ ନାହିଁ। ଜ୍ଞାନ ଥାଇ ଧନ ନଥିଲେ ଜୀବନର କିଛି ଆବଶ୍ୟକତା ଅପୂର୍ଣ୍ଣ ରହିଯାଏ। ତେଣୁ ଜୀବନରେ ଲକ୍ଷ୍ମୀଙ୍କର ସମୃଦ୍ଧି ସହିତ ସରସ୍ବତୀଙ୍କର ବିଦ୍ୟା ଓ ବିବେକ ଆବଶ୍ୟକ ହୋଇଥାଏ।
କେବଳ ଧନକୁ ନେଇ ଧନୀ ବୋଲି ବାହାରକୁ ଦେଖାଯାଉଥିବା ଲୋକମାନେ ସୁଖୀ ବୋଲି ଜଣାପଡ଼ନ୍ତି ସିନା, ବାସ୍ତବରେ ସେମାନେ ସୁଖୀ ହୋଇ ନ ଥାନ୍ତି। ଅନ୍ତରରେ ସର୍ବଦା ଭୟ ବିଜଡ଼ିତ ଅବସ୍ଥାରେ ସେମାନଙ୍କର ଜୀବନ କଟିଥାଏ। ଧନ ସରିଯିବାର ଭୟ ସେମାନଙ୍କର ମନକୁ ସର୍ବଦା ଆଚ୍ଛନ୍ନ କରି ରଖେ। ମୂଳ କଥାଟା ହେଲା, ଧନବୃଦ୍ଧି ସହିତ ତାଳଦେଇ ସମ ପରିମାଣର ଲୋଭ ମଧ୍ୟ ସେମାନଙ୍କ ମନରେ ଜମାଟ ବାନ୍ଧି ରହିଥାଏ। ମାତା ସରସ୍ବତୀଙ୍କର କୃପା ହେଲେ ଏପରି ଅବସ୍ଥା ରହେନାହିଁ। ଧନ ପ୍ରତି ଆସକ୍ତି ନ ରଖି ତା’ର ସୁପରିଚାଳନା ଦିଗରେ ଅଧିତ୍କ ଧ୍ୟାନ ଦେଲେ ଧନ ଚାଲିଯିବାର ଭୟ ଆଉ ରହେନାହିଁ।
ଡ. ବାସୁଦେବ ମିଶ୍ର
ଦଳା, ଯାଜପୁର ରୋଡ଼୍,
ମୋ ୮୯୧୭୨୭୨୭୭୩
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।