ସ୍ମାର୍ଟସିଟି ସ୍କୁଲରେ ଅସଜଡ଼ା ଭିତ୍ତିଭୂମି, ନିମ୍ନମାନର କାର୍ଯ୍ୟ କରି ଟଙ୍କା ହଡ଼ପ
ରାଉରକେଲା,୨୧ା୯(ଦିନେଶ ମିଶ୍ର): ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହାସତ୍ତ୍ୱେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସୁନାହିଁ। ଏହା କୌଣସି ଅପହଞ୍ଚ ଇଲାକା ନୁହେଁ ଖୋଦ୍ ସ୍ମାର୍ଟସିଟି ରାଉରକେଲାରେ ଏଭଳି କେତେକ ବିଦ୍ୟାଳୟ ରହିଛି ଯାହା ବର୍ତ୍ତମାନ ସମ୍ପୂର୍ଣ୍ଣ ଅବହେଳିତ ଅବସ୍ଥାରେ ଅଛି। ରାଉରକେଲା ମହାନଗର ନିଗମ(ଆର୍ଏମ୍ସି) ଅଧୀନ ୱାର୍ଡ ନଂ. ୨୦ର ମାଲଗୋଦାମ ବସ୍ତିର କୁଷ୍ଠ କଲୋନିରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ (ଦୁର୍ଗାପୁର-ଖ) ଏହାର ଉଦାହରଣ। ଭିତ୍ତିଭୂମି ସହ ଶିକ୍ଷକ ଅଭାବ ଏବଂ ଶୌଚାଳୟ ସମସ୍ୟା ଦେଇ ଗତି କରୁଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ସରକାରୀ ପ୍ରାଥମିକ ବିଦ୍ୟାଳୟ (ଦୁର୍ଗାପୁର-ଖ) ୧୯୭୧ରେ ସ୍ଥାପନ କରାଯାଇଥିଲା। ପୂର୍ବରୁ ଏଠାରେ ୭୨ଜଣ ପିଲା ପଢ଼ୁଥିବାବେଳେ ଏବେ ଶିଶୁ ବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୪୬ ଜଣ ଛାତ୍ରୀଛାତ୍ର ପଢୁଛନ୍ତି। ସେମାନଙ୍କ ମଧ୍ୟରେ ୨୬ ବାଳିକା ଓ ୨୦ ବାଳକ ରହିଛନ୍ତି। ପୂର୍ବରୁ ବିଦ୍ୟାଳୟରେ ୨ଜଣ ଶିକ୍ଷକ ଥିଲେ। ୩ ମାସ ତଳେ ଜଣେ ଶିକ୍ଷକ ଅବସର ନେବା ପରେ ଡେପୁଟେଶନରେ ଏଠାକୁ ଅନ୍ୟ ଜଣେ ଶିକ୍ଷକ ଆସିଥିଲେ। ତେବେ ଉକ୍ତ ଶିକ୍ଷକ ମଧ୍ୟ ବିଦ୍ୟାଳୟରେ ଯୋଗ ଦେବା ପରେ ଆଉ ଆସୁନାହାନ୍ତି। ଫଳରେ କେବଳ ପ୍ରଧାନ ଶିକ୍ଷକ ସବୁ ପିଲାଙ୍କୁ ଶିକ୍ଷାଦାନ କରୁଛନ୍ତି। ଜଣେ ଶିକ୍ଷକ ଏତେ ପିଲାଙ୍କୁ ପାଠ ପଢାଇବା କଷ୍ଟକର ହେଉଛି। ସେହିପରି ବିଦ୍ୟାଳୟରେ ଗୋଟିଏ କୋଠରି ରହିଛି। ଶ୍ରେଣୀ ଅନୁଯାୟୀ ସ୍ବତନ୍ତ୍ର ଶ୍ରେଣୀଗୃହ ନାହିଁ। ଫଳରେ ଗୋଟିଏ ଛୋଟ ଶ୍ରେଣୀଗୃହରେ ଶିଶୁ ବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପିଲା ଏକାଠି ବସି ପାଠ ପଢ଼ୁଛନ୍ତି। ପୁଣି ସେହି ଛୋଟ କୋଠରିରେ ଅଫିସ କାର୍ଯ୍ୟ ମଧ୍ୟ ଚାଲୁଛି। ସେହିପରି ବେଞ୍ଚ ଓ ଡେସ୍କ ନ ଥିବାରୁ ସେମାନେ ତଳେ ପାଲ ପକାଇ ପଢ଼ିବାକୁ ବାଧ୍ୟ ହେଉଛନ୍ତି। ବିଦ୍ୟାଳୟକୁ ବିଦ୍ୟୁତ୍ ସଂଯୋଗ ନାହିଁ। ଘର କାନ୍ଥ ଫାଟି ଆଁ କରିଛି। ବିଦ୍ୟାର୍ଥୀମାନଙ୍କ ପାଇଁ ଶୌଚାଳୟ କି ଖେଳ ପଡିଆ ନାହିଁ। ଶୌଚ ଲାଗିଲେ ପିଲାମାନେ ନିକଟସ୍ଥ ଗୋଷ୍ଠୀ ଶୌଚାଳୟକୁ ଯାଉଛନ୍ତି। ସେହିପରି ବିଦ୍ୟାଳୟରେ ପାନୀୟ ଜଳ ବ୍ୟବସ୍ଥା ନାହିଁ। ପିଲାମାନେ ମଧ୍ୟାହ୍ନ ଭୋଜନ ପରେ ନିକଟସ୍ଥ ନଳକୂପକୁ ଯାଇ ହାତମୁହଁ ସଫା କରୁଛନ୍ତି। ପାଚେରି ନ ଥିବା ଯୋଗୁ ବିଦ୍ୟାଳୟ ଚାରିପାଖରେ ଅଳିଆ ଆବର୍ଜନା ପକାଇ ପରିବେଶକୁ ପ୍ରଦୂଷିତ କରାଯାଉଛି। ବିଭିନ୍ନ ସମୟରେ ସ୍ଥାନୀୟ ବୁଲା ପ୍ରାଣୀ ବିଦ୍ୟାଳୟ ପରିସରକୁ ପଶିଆସି ମଳ ମୂତ୍ର ତ୍ୟାଗ କରି ପରିବେଶ ପ୍ରଦୂଷିତ କରୁଛନ୍ତି। ବିଦ୍ୟାଳୟ ସମସ୍ୟାକୁ ନେଇ ଅଭିଭାବକମାନେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ସମସ୍ୟାର ସମାଧାନ ହୋଇପାରି ନାହିଁ।
ବିଦ୍ୟାଳୟ ସମସ୍ୟା ଉପରେ ପରିଚାଳନା କମିଟିର କାର୍ଯ୍ୟକାରୀ ସଭାପତି ଲୋହରା ତିଗାଙ୍କୁ ପଚାରିବାରେ, ବିଦ୍ୟାଳୟରେ ଲାଗିରହିଥିବା ବିଭିନ୍ନ ସମସ୍ୟା ନେଇ ବିଇଓଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଆଜିଯାଏ କୌଣସି ସୁଫଳ ମିଳିନାହିଁ। ତେଣୁ ସ୍କୁଲ ସମସ୍ୟାର ତୁରନ୍ତ ସମାଧାନ ହେବା ଆବଶ୍ୟକ ବୋଲି ତିଗା କହିଛନ୍ତି। ବିଦ୍ୟାଳୟର ଜଣେ ପୂର୍ବତନ ଛାତ୍ର ଦୀପକ ବାର୍ଲା କହିଛନ୍ତି, ସେ ଏହି ବିଦ୍ୟାଳୟର ପ୍ରଥମ ବର୍ଷର ଛାତ୍ର ଥିଲେ। ସେତେବେଳେ ବିଦ୍ୟାଳୟରେ ଆଜବେଷ୍ଟସ୍ ନିର୍ମିତ ୩ ବଖରା ବିଶିଷ୍ଟ ଶ୍ରେଣୀଗୃହ ଥିଲା। ସମ୍ପ୍ରତି ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ଉନ୍ନତି ହେଉଥିବାବେଳେ ଏହି ବିଦ୍ୟାଳୟର ଅବସ୍ଥା ଶୋଚନୀୟ ହେବାରେ ଲାଗିଛି। ବିଦ୍ୟାଳୟରେ ଛାତ୍ରୀଛାତ୍ରମାନଙ୍କ ପାଇଁ ସାମାନ୍ୟ କୌଣସି ମୌଳିକ ସୁବିଧା ନାହିଁ। ଫଳରେ ବିଦ୍ୟାର୍ଥୀମାନେ ଉତ୍ତମ ଶିକ୍ଷା ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଜଣେ ଅଭିଭାବକଙ୍କ କହିବା ହେଲା, ଏହି ବିଦ୍ୟାଳୟର ଭିତ୍ତିଭୂମି କାର୍ଯ୍ୟ ପାଇଁ ଏମ୍ଏଲ୍ଏ ଲ୍ୟାଡ୍ରୁ ୭ରୁ ୧୦ ଲକ୍ଷ ଟଙ୍କା ଆସିଥିଲା। ହେଲେ ଠିକାଦାର ନିମ୍ନମାନର କାର୍ଯ୍ୟ କରି ଟଙ୍କା ହଡ଼ପ୍ କରିନେଇଛନ୍ତି। ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲୀପ କୁମାର ଧଳ କୁହନ୍ତି, ବିଦ୍ୟାଳୟ ଅବ୍ୟବସ୍ଥାକୁ ନେଇ ଆମେ ଶିକ୍ଷା ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରିଛୁ। ଆସନ୍ତା ନଭେମ୍ବର ସୁଦ୍ଧା ବିଦ୍ୟାଳୟର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଥିଲେ। ଏ ସମ୍ପର୍କରେ ସୁନ୍ଦରଗଡ ଜିଲା ଶିକ୍ଷାଧିକାରୀ ମୁରଲୀଧର ବେହେରାଙ୍କୁ ପଚାରିବାରେ, ମାଲଗୋଦାମ ପ୍ରାଥମିକ ବିଦ୍ୟାଳୟର ଅବ୍ୟବସ୍ଥାକୁ ନେଇ ବିଇଓଙ୍କୁ ଅବଗତ କରାଯିବ। ବିଇଓଙ୍କ ଜରିଆରେ ଉକ୍ତ ବିଦ୍ୟାଳୟର ପ୍ରକୃତ ଅବସ୍ଥା କ’ଣ ରହିଛି ତଦନ୍ତ ହେବା ପରେ ଶୀଘ୍ର ଉଚିତ ପଦକ୍ଷେପ ନିଆଯିବ ବୋଲି ବେହେରା କହିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।