ହୀରାକୁଦ ଜଳଭଣ୍ଡାରର ୨ ସ୍ଲୁଇସ ଗେଟ୍‌ ବନ୍ଦ: ୩ ଗେଟରେ ବନ୍ୟାଜଳ ନିଷ୍କାସନ ଜାରି

Nov 03, 2026 - 09:16
ହୀରାକୁଦ ଜଳଭଣ୍ଡାରର ୨ ସ୍ଲୁଇସ ଗେଟ୍‌ ବନ୍ଦ: ୩ ଗେଟରେ ବନ୍ୟାଜଳ ନିଷ୍କାସନ ଜାରି

ସମ୍ବଲପୁର,୩।୧୧(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ ଜଳଭଣ୍ଡାରର ପୂର୍ବରୁ ଖୋଲାଥିବା ୫ଟି ସ୍ଲୁଇସ ଗେଟ ମଧ୍ୟରୁ ମଙ୍ଗଳବାର ସକାଳେ ୨ଟି ସ୍ଲୁଇସ ଗେଟକୁ ବନ୍ଦ କରି ଦିଆଯାଇଛି। ଫଳରେ ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରୁ ମୋଟ ୩ଟି ସ୍ଲୁଇସ ଗେଟ ଜରିଆରେ ମହାନଦୀକୁ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି। ମଙ୍ଗଳବାର ସକାଳ ସାଢ଼େ ୬ଟାରେ ପ୍ରାପ୍ତ ସୂଚନା ଅନୁସାରେ ଜଳଭଣ୍ଡାରର ଜଳସ୍ତର ୬୨୯ ଫୁଟକୁ ହ୍ରାସ ପାଇଛି। ଏହି ସମୟରେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରାହାରି ୬୭ ହଜାର ୦୧୭ ଘନଫୁଟ ବନ୍ୟା ଜଳ ପ୍ରବେଶ କରୁଥିବାବେଳେ ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ହାରାହାରି ୮୪ ହଜାର ୯୬୮ ଘନଫୁଟ  ବନ୍ୟାଜଳ ନିଷ୍କାସିତ ହେଉଛି। ସେଥିମଧ୍ୟରୁ ବାମ ପାର୍ଶର ୨ଟି ଦକ୍ଷିଣ ପାର୍ଶର ଗୋଟିଏ ମିଶି ମୋଟ ୩ଟି ସ୍ଲୁଇସ ଗେଟ ଜରିଆରେ ୪୯ ହଜାର ୦୮୦ ଘନଫୁଟ, ପାୱାର ଚ୍ୟାନେଲରେ ୩୧,୬୧୧, ବରଗଡ଼ କେନାଲରେ ୩,୭୨୨ ଘନଫୁଟ, ଶାସନ କେନାଲରେ ୩୫୦ ଘନଫୁଟ, ସମ୍ବଲପୁର କେନାଲରେ ୧୦୫ ଓ ଶିଳ୍ପଭିତ୍ତିକ ବ୍ୟବହାର ପାଇଁ ୨୩୭ ଘନଫୁଟ ଜଳ ନିଷ୍କାସିତ ହେଉଛି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।