ଗୁଜରାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

Oct 09, 2026 - 19:34
ଗୁଜରାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

କଚ୍ଛ: ଗୁଜରାଟର କଚ୍ଛ ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଅତି କମ୍‌ରେ ୭ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ୨୦ ଜଣ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଖାବଡ଼ାରେ ଏକ ଅକ୍ଷୟଶକ୍ତି (ଆର୍‌ଇ) ପାର୍କ ଭିତରେ ଆଜି ଏହି ଦୁର୍ଘଟଣା ହୋଇଛି। ପାର୍କ ଭିତ‌ରେ ଶ୍ରମିକମାନଙ୍କୁ ନେଉଥିବା ଏକ ‌‌ବୋଲେରୋ ଅନ୍ୟ ଏକ ଗାଡ଼ି ସହ ଧକ୍କା ହୋଇଥିଲା। ଧକ୍କାର ପ୍ରଭାବ ଏତେ ଅଧିକ ଥିଲା ଯେ ବୋଲେରୋ ସମ୍ପୂର୍ଣ୍ଣ ଚେପା ହୋଇଯିବା ସହ ଏହା ଭିତରେ ଥିବା ଶ୍ରମିକମାନେ ମଧ୍ୟ ଚାପି ହୋଇଯାଇଥିଲେ।

ପ୍ରାଥମିକ ସୂଚନା ଅନୁଯାୟୀ, ୭ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ୨୦ ଜଣ ଆହତ ଏବେ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। କିଛି ଆହତ ଶ୍ରମିକଙ୍କ ସ୍ବାସ୍ଥ୍ୟାବସ୍ଥା ତୁରନ୍ତ ଜଣାପଡ଼ିନାହିଁ। ଦୁର୍ଘଟଣା ଖବର ପାଇ ପଶ୍ଚିମ କଚ୍ଛ ପୁଲିସ ଘଟଣାସ୍ଥଳକୁ ଯାଇଥିଲା। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲ୍‌କୁ ଚିକିତ୍ସା ପାଇଁ ନିଆଯାଇଛି। ଚେପା ହୋଇଯାଇଥିବା ଗାଡ଼ିରୁ ଶ୍ରମିକମାନଙ୍କୁ କାଢ଼ିବା ପାଇଁ କ୍ରେନ୍‌ର ସାହାଯ୍ୟ ନିଆଯାଇଛି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମର ଶରୀରକୁ ଖାବଡ଼ାରୁ ଭୁଜକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।