Nityananda Gand: ତଦନ୍ତ କମିଟି ରିପୋର୍ଟ ଆଧାରରେ କଠୋର କାର୍ଯ୍ୟାନୁଷ୍ଠାନ ହେବ: ନିତ୍ୟାନନ୍ଦ ଗଣ୍ଡ
"ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଲାଗି ପ୍ରସ୍ତୁତ ନୂତନ ପାଠ୍ୟ ପୁସ୍ତକରେ ସହସ୍ରାଧିକ ତ୍ରୁଟି ଚିହ୍ନଟ ହେବା ପରେ ରାଜ୍ୟ ସରକାର ଅଡ଼ୁଆରେ ପଡ଼ିଛନ୍ତି।
ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଦ୍ବାରା ପ୍ରସ୍ତୁତ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ବାରା ପ୍ରକାଶିତ ଏହି ପୁସ୍ତକରେ ଥିବା ତ୍ରୁଟି ଯୋଗୁଁ ସରକାର ସମାଲୋଚିତ ହୋଇଛନ୍ତି।
ଏହାକୁ ନେଇ ବିରୋଧୀ ଦଳ ସିଧାସଳଖ ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଦାୟୀ କରିଛନ୍ତି ଓ ତାଙ୍କର ଇସ୍ତଫା ଦାବି କରିଛନ୍ତି।
ପାଠ୍ୟ ପୁସ୍ତକରେ ତ୍ରୁଟି, ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ଶିକ୍ଷାକ୍ଷେତ୍ରର ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ବିଦ୍ୟାଳୟ, ଗଣଶିକ୍ଷା, ଏସ୍ଟି ଓ ଏସ୍ସି ବିକାଶ ଏବଂ ଭିନ୍ନକ୍ଷମଙ୍କ ସାମାଜିକ ସୁରକ୍ଷା ଓ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସହିତ ଆଲୋଚନା କରିଛନ୍ତି ଆମ ବରିଷ୍ଠ ସାମ୍ବାଦିକ ବିଭୂତି ପତିAdvertisment Weather: ମୌସୁମୀ ଛୁଇଁବାକୁ ଆହୁରି ୪ ଦିନ, ଜଳୁଛି ପଶ୍ଚିମ ଓଡ଼ିଶା ସ୍କୁଲ୍ ଛାତ୍ରଛାତ୍ରୀଙ୍କ ଲାଗି ଉଦ୍ଦିଷ୍ଟ ପାଠ୍ୟପୁସ୍ତକରେ ପ୍ରାୟ ୧୭୦୦ ତ୍ରୁଟି ଚିହ୍ନଟ ହୋଇଛି।
ଏହା ସମଗ୍ର ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଛି ବୋଲି ଅଭିଯୋଗ ହେଉଛି।
ଏହାକୁ ନେଇ ଆପଣଙ୍କ ପ୍ରତିକ୍ରିୟା?ଏହି ମୁଦ୍ରଣଜନିତ ତ୍ରୁଟି ମୋତେ ମର୍ମାହତ କରିବା ସହିତ ଗଭୀର ଆଘାତ ଦେଇଛି।
କିନ୍ତୁ ଏଭଳି ଭୁଲ୍ ବୁଝିବିଚାରି କରାଯାଇଛି ବୋଲି ମୁଁ ଭାବୁନାହିଁ।
ତଥାପି ଏହି ତ୍ରୁଟି କାହିଁକି ରହିଲା ଓ କିପରି ଘଟିଲା, ତାହାର ସତ୍ୟାସତ୍ୟ ଖୋଜିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି।
ଏହି କମିଟି ୭ ଦିନ ମଧ୍ୟରେ ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବ।
କିନ୍ତୁ ମୁଁ ସମସ୍ତଙ୍କୁ ଗୋଟିଏ କଥା କହି ରଖିବାକୁ ଚାହେ ଯେ ୨୦୨୦ରେ ଜାତୀୟ ଶିକ୍ଷାନୀତି (ଏନ୍ଇପି) ଲାଗୁ ହେଲା ପରେ ତତ୍କାଳୀନ ବିଜେଡି ସରକାର ଓଡ଼ିଶାରେ ଏହାକୁ କାର୍ଯ୍ୟକାରୀ କରି ନ ଥିଲେ।
ରାଜ୍ୟରେ ଉନ୍ନତମାନର ଶିକ୍ଷା ଦେବାକୁ ଆମ ସରକାର ଯୁଦ୍ଧକାଳୀନ ଭିତ୍ତିରେ ଏନ୍ଇପି ଲାଗୁ କରାଇଥିଲେ।
ଏହି ଆଧାରରେ ପାଠ୍ୟପୁସ୍ତକ ପ୍ରକାଶନ ପାଇଁ ପଦକ୍ଷେପ ଗ୍ରହଣ କରାଗଲା।
ଯେପରି ଏଥିରେ କୌଣସି ତ୍ରୁଟି ନ ରହିବ ସେଥିପାଇଁ ସବୁ ପ୍ରକାର ଉଦ୍ୟମ କରାଯାଇଥିଲା।
ଅତ୍ୟନ୍ତ କମ୍ ସମୟ ମଧ୍ୟରେ ମଧ୍ୟରେ ଏହାକୁ ମୁଦ୍ରଣ କରାଯାଇ ପରୀକ୍ଷାମୂଳକ ଭାବେ ପୁସ୍ତକ ପ୍ରକାଶିତ ହୋଇଥିଲା।
ଆଗାମୀ ଦିନରେ ଏହି ତ୍ରୁଟିର ସଂପୂର୍ଣ୍ଣ ସଂଶୋଧନ କରାଯାଇ ଏହାକୁ ନିର୍ଭୁଲ ଭାବରେ ପ୍ରକାଶନ କରାଯିବ।
ତଥାପି ମୁଁ କହି ରଖିବାକୁ ଚାହେ, ଯଦି ଏଭଳି ଭୁଲ୍ ପାଇଁ କେହି ଷଡ୍ଯନ୍ତ୍ର କରିଥିବ କିମ୍ବା ଦାୟିତ୍ବହୀନ ଭାବେ କାର୍ଯ୍ୟ କରିଥିବା ପ୍ରମାଣିତ ହେବ, ତେବେ ଦୃଷ୍ଟାନ୍ତମୂଳକ କଠୋର କାର୍ଯ୍ୟାନୁଷ୍ଠାନ ଆମେ ଗ୍ରହଣ କରିବୁ।
ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ନେଇ ଆପଣ ପ୍ରଥମେ ଯେଉଁ ମନ୍ତବ୍ୟ ରଖିଥିଲେ, ତାହା ଅତ୍ୟନ୍ତ ଖାମଖିଆଲି ଥିଲା ବୋଲି ବିରୋଧୀ ଦଳ ଅଭିଯୋଗ କରିଥିଲେ।
ଆପଣ ଏହାକୁ ହାଲୁକା ଭାବେ ଗ୍ରହଣ କରିଥିବା କହି ସମାଲୋଚନା ମଧ୍ୟ କରିଥିଲେ।
ଏ ବାବଦରେ ଆପଣ କ"ଣ କହିବେ?ବିରୋଧୀ ଦଳର ନେତାମାନେ ସମାଲୋଚନା ଓ ଅଭିଯୋଗ କରିବେ।
କିନ୍ତୁ ମୁଁ ଏଭଳି ତ୍ରୁଟିକୁ ଆଦୌ ଖାମଖିଆଲ ଭାବେ ଗ୍ରହଣ କରିନି।
ପ୍ରଥମଦିନରୁ ମୁଁ ଏଥିପାଇଁ ଆବଶ୍ୟକ ପଦକ୍ଷେପ ନେଇଛି।
ଯେଉଁମାନେ ଆଜି ସମାଲୋଚନା କରୁଛନ୍ତି ମୁଁ ସେମାନଙ୍କୁ ପଚାରିବାକୁ ଚାହେ, ଦେଶରେ ଏନ୍ଇପି ଲାଗୁ ହେବା ପରେ ମଧ୍ୟ କାହିଁକି ସେମାନେ ଓଡ଼ିଶାରେ ଏହାକୁ କାର୍ଯ୍ୟକ୍ଷମ କରି ନଥିଲେ?
ଏନ୍ଇପି ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ଗୋଟିଏ ବୈପ୍ଳବିକ ପରିବର୍ତ୍ତନ ଆଣିଛି।
ତଥାପି ଏହି ମୁଦ୍ରଣ ଜନିତ ତ୍ରୁଟିକୁ ମୁଁ ସୁଧାରିବାକୁ ବିଭାଗୀୟ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛି।
ସମଗ୍ର ଭାରତରେ ବିଭିନ୍ନ ସରକାର ଅମଳରେ ବିଭିନ୍ନ ରାଜ୍ୟରେ ଏଭଳି ମୁଦ୍ରଣଜନିତ ତ୍ରୁଟି ହୋଇଥାଏ।
ଏହି ପାଠ୍ୟପୁସ୍ତକ ମୁଦ୍ରଣ ପରେ ରାଜ୍ୟର ଶିକ୍ଷାବିତ୍ ଓ ବୁଦ୍ଧିଜୀବୀମାନଙ୍କ ମତାମତ ମଧ୍ୟ ମୁଁ ଆହ୍ବାନ କରିବାକୁ ପଦକ୍ଷେପ ନେଇଛି।
ପ୍ରଥମକରି ବହି ଯେତେବେଳେ ମୁଦ୍ରଣ ହେଉଛି ଏବଂ ଗୋଟିଏ କାର୍ଯ୍ୟକୁ ଯେତେବେଳେ ନୂଆ କରି କରାଯାଉଛି ସେହି ପ୍ରକ୍ରିୟାରେ ତ୍ରୁଟି ରହିଯାଇଥାଏ।
ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ କିଭଳି ଉନ୍ନତ ଶିକ୍ଷା ଦିଆଯିବ ସେଥିପାଇଁ ସବୁବେଳେ ନିରନ୍ତର ପ୍ରୟାସ କରୁଛୁ।
ଏହାକୁ ନେଇ ମୁଁ ସମସ୍ତଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଉଛି।
ପୁସ୍ତକ ପ୍ରସ୍ତୁତି ଓ ମୁଦ୍ରଣ ଲାଗି ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି।
ଏହା ଲୋକଙ୍କ ଟିକସ ଅର୍ଥ।
ଯେଉଁମାନଙ୍କର ଅବହେଳା ଓ ଦାୟିତ୍ବହୀନତା ଯୋଗୁଁ ଏପରି ଘଟିଲା ଏବଂ ଆର୍ଥିକ କ୍ଷତି ହେଲା, ତାହାର ଭରଣା ପାଇଁ ସେମାନଙ୍କ ନିକଟରୁ ଏହି ଅର୍ଥ ଅସୁଲ କରିବାକୁ ପଦକ୍ଷେପ ନେବେ କି?ଭଲ ପ୍ରଶ୍ନଟିଏ ଆପଣ ପଚାରିଛନ୍ତି।
ତେବେ ଆପଣଙ୍କ ମାଧ୍ୟମରେ ମୁଁ ସମସ୍ତଙ୍କୁ ଜଣାଇ ଦେବାକୁ ଚାହେ ଯେ କମିଟିର ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ଏହାକୁ ନେଇ ମୁଁ ଅଧିକ କିଛି କହିପାରିବି ନାହିଁ।
୭ ଦିନ ଅପେକ୍ଷା କରନ୍ତୁ, ତଦନ୍ତ ରିପୋର୍ଟ ଆଧାରରେ କିଭଳି କାର୍ଯ୍ୟାନୁଷ୍ଠାନ ହେବ, ତାହା ସମସ୍ତେ ଦେଖିବେ।
ସେ ଯେତେବଡ଼ ପଦାଧିକାରୀ ହୁଅନ୍ତୁ ନା କାହିଁକି, ଯଦି ତାଙ୍କ ଦାୟିତ୍ବହୀନତା ପାଇଁ କୌଣସି ଗୁରୁତର ତ୍ରୁଟି ହୋଇଥିବ; ତେବେ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପରାମର୍ଶରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଏଥିରେ କୌଣସି ସାଲିସ ହେବନାହିଁ।
ଆପଣମାନେ ଶାସନରେ ନଥିବା ବେଳେ ୫-ଟି ମାଧ୍ୟମରେ ସ୍କୁଲଗୁଡ଼ିକର କାୟାକଳ୍ପକୁ ନେଇ ଆପତ୍ତି ଉଠାଇଥିଲେ।
ଏହା କେବଳ ରଙ୍ଗମରା ଉନ୍ନତି ଓ ଏଥିରେ ବ୍ୟାପକ ଅନିୟମିତତା ହୋଇଛି ବୋଲି ଅଭିଯୋଗ କରୁଥିଲେ।
ବର୍ତ୍ତମାନ ଆପଣଙ୍କ ସରକାର ଅଛି।
ଏହା ବିରୋଧରେ ଆପଣ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ?ଜନସାଧାରଣ ଜାଣିଛନ୍ତି ୫-ଟି ନାମରେ ଓଡ଼ିଶାର ବିଦ୍ୟାଳୟର ଉନ୍ନତି ପାଇଁ କେଉଁ ଭଳି ଦୁର୍ନୀତି ହୋଇଛି।
ରଙ୍ଗବୋଳା କାମରେ ବ୍ୟାପକ ଅନିୟମିତତା ହୋଇଛି।
କେବଳ ଆମେ ନୁହେଁ, ଏହି ଅଭିଯୋଗ ସମସ୍ତେ କରୁଛନ୍ତି।
ବିଜେଡିର କର୍ମକର୍ତ୍ତାଙ୍କୁ ପୋଷିବାକୁ ଏହି କାର୍ଯ୍ୟକ୍ରମ କରାଯାଉଥିଲା।
ଏସବୁ କାର୍ଯ୍ୟରେ ଏମ୍ଏନ୍ଆରଜିଏ ଭଳି ଅନ୍ୟାନ୍ୟ ଯୋଜନାରେ ରହିଥିବା ଉନ୍ନୟନ ଟଙ୍କାକୁ ଲଗାଯାଉଥିଲା।
ଏସବୁର ହିସାବକିତାବ ନାହିଁ।
ବିଜେଡି ସରକାର ଅମଳରେ ବହୁ ଅର୍ଥ ଆତ୍ମସାତ ହୋଇଛି।
ଜନସାଧାରଣଙ୍କର ଆପତ୍ତି ଅଭିଯୋଗକୁ ନେଇ ବିଭିନ୍ନ ସ୍ଥାନର ବିଦ୍ୟାଳୟର ଦୁର୍ନୀତିକୁ ଆମେ ନିଶ୍ଚିତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାର ପ୍ରୟାସ କରିବୁ।
Pranayama: ସୁସ୍ଥ ଜୀବନର ସରଳ ପଥ ପ୍ରାଣାୟାମ ରାଜ୍ୟର ଶିକ୍ଷକ ଶିକ୍ଷୟିତ୍ରୀ ସ୍ଥାୟୀ ନିଯୁକ୍ତି, ଦରମା ଓ ଅନ୍ୟାନ୍ୟ ସମସ୍ୟାରେ ସର୍ବଦା ଘାଣ୍ଟି ହେଉଛନ୍ତି।
ଏହା ଶିକ୍ଷାର ଉନ୍ନତିରେ ବାଧକ ସାଜୁଛି।
ଅନେକ ସମୟରେ ସେମାନେ ମାସ ମାସ ଧରି ଧାରଣାରେ ବସୁଛନ୍ତି ଓ ଆନ୍ଦୋଳନ ଚଳାଉଛନ୍ତି।
ଏ ସମସ୍ୟାର ମୁକାବିଲା ଲାଗି କି ପଦକ୍ଷେପ ଗ୍ରହଣ କରିଛନ୍ତି?ବିଦ୍ୟାଳୟ ଶିକ୍ଷାର ଉନ୍ନତି ପାଇଁ ୪୪ ହଜାର ଶିଶୁସେବିକାଙ୍କୁ ନିଯୁକ୍ତି ଦିଆଯାଇଛି।
୨୬ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦିଆଯିବା ସହିତ ବିଗତ ସରକାର ସମୟରେ ରହିଥିବା ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥାକୁ ମାତ୍ର ଦୁଇ ବର୍ଷ ଭିତରେ ଆମେ ଉଠାଇ ଦେଇ ସମସ୍ତଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିଛୁ।
ବର୍ଷକୁ ୧୫ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ଦେବାର ନିଶ୍ଚିତ ଯୋଜନା ଆମେ ଆରମ୍ଭ କରିଛୁ।
ସେହିଭଳି ଚୁକ୍ତିଭିତ୍ତିକ ନିଯୁକ୍ତିରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମିଳୁଥିବା ୧୧ ହଜାର ଟଙ୍କାର ମାସିକ ବେତନକୁ ଆମେ ୧୬ ହଜାର ଟଙ୍କାକୁ ବୃଦ୍ଧି କରିଛୁ।
ବିଜେଡି ସରକାର ତୁଳନାରେ ଆମେ ମାତ୍ର ଦୁଇ ବର୍ଷରେ ଏନ୍ଇପି ବ୍ୟବସ୍ଥାରେ ଶିକ୍ଷା ପଦ୍ଧତିକୁ ଲାଗୁ କରି ରାଜ୍ୟରେ ଶିକ୍ଷକ ଶିକ୍ଷୟିତ୍ରୀ, ବିଦ୍ୟାଳୟ ଓ ଛାତ୍ରଛାତ୍ରୀମାନଙ୍କର ଉନ୍ନତି ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛୁ।
ପିଲାମାନଙ୍କର ଶାରୀରିକ, ବୌଦ୍ଧିକ ଓ ମାନସିକ ବିକାଶ ପାଇଁ ଆମ ସରକାର ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି।
ସଂକ୍ଷପରେ ନିତ୍ୟାନନ୍ଦ ୧୯୭୮ ମସିହାରେ ନବରଙ୍ଗପୁର ଜିଲ୍ଲା ଉମରକୋଟର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରୂପେ ପରିଚିତ ତଲାଣପାରା ଗ୍ରାମରେ ନିତ୍ୟାନନ୍ଦ ଗଣ୍ଡଙ୍କର ଜନ୍ମ।
ପିତା ସୀମାରୁ ଗଣ୍ଡ ଓ ମାଆ ସୋମାରି ଗଣ୍ଡଙ୍କର ୬ ସନ୍ତାନଙ୍କ ମଧ୍ୟରେ ନିତ୍ୟାନନ୍ଦଙ୍କ କ୍ରମ ଥିଲା ପାଞ୍ଚ।
କଟୁଗାଁ ଓ ଉମରକୋଟରେ ବିଦ୍ୟାଳୟ ଶିକ୍ଷା ଶେଷ ହେବାପରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଏମ୍.ଏ ଓ ଜୟପୁର ଆଇନ ମହାବିଦ୍ୟାଳୟରେ ଏଲ୍.ଏଲ୍.ବି ଅଧ୍ୟୟନ କରିଥିଲେ ନିତ୍ୟାନନ୍ଦ।
ବିଦ୍ୟାଳୟ ସ୍ତରରୁ ଆଦିବାସୀ ସମାଜର ଅଧିକରୁ ଅଧିକ ପିଲା କିଭଳି ଉଚ୍ଚଶିକ୍ଷିତ ହେବେ, ସେ ଦିଗରେ ସଚେତନତା ଅଭିଯାନ ଆରମ୍ଭ କରିଥିଲେ।
ପରେ ଗୋଟିଏ ସଂଗଠନ ମାଧ୍ୟମରେ ସେ ଆଦିବାସୀ ସମାଜରେ ରହିଥିବା ଅନ୍ଧବିଶ୍ୱାସ ଓ ଶୋଷଣ ବିରୋଧରେ ମଧ୍ୟ ସଂଗ୍ରାମ ଆରମ୍ଭ କରିଥିଲେ।
ଏଥିପାଇଁ ଉମରକୋଟର ଶିକ୍ଷକ ସମାଜରୁ ତାଙ୍କୁ ସମର୍ଥନ ମିଳିଥିଲା।
ସେ ପ୍ରଥମେ ଉମରକୋଟସ୍ଥିତ ବିଦ୍ୟାଳୟର ସଭାପତି ଏବଂ ପରେ ବିଜେପିରେ ଯୋଗ ଦେଇ ପୌରପାଳିକାର ୧୧ ନମ୍ବର ୱାର୍ଡରେ କାଉନସିଲର୍ ହୋଇଥିଲେ।
ଏହାପରେ ସମୟକ୍ରମେ ସେ ସକ୍ରିୟ ରାଜନୀତିରେ ପାଦ ରଖିଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।