Odisha Farmers Raise Serious Concerns: ସାରର ଗୁଣବତ୍ତାକୁ ନେଇ ପ୍ରଶ୍ନ, ଚିନ୍ତାରେ ଚାଷୀ ଓ କୃଷି ବିଭାଗ
ଖରିଫ ଋତୁ... କ୍ଷେତରେ ଚାଲିଛି ଚାଷ କାମ। ଏଭଳି ସମୟରେ ଚାଷୀ ପାଇଁ ଅତି ଆବଶ୍ୟକ ସାରର ଗୁଣବତ୍ତାକୁ ନେଇ ଚାଷୀଙ୍କ ସଙ୍ଗୀନ ଅଭିଯୋଗ। କ୍ଷେତରେ ସାର ପ୍ରୟୋଗରୁ ଆଶାନୁରୂପ ଫଳ ନମିଳିବାରୁ ଉଠିଲା ପ୍ରଶ୍ନ। ବାଲେଶ୍ବର ଖଇରା ବ୍ଲକ ବର୍ତ୍ତନା ସେବା ସମବାୟ ସମିତିରୁ ଆସିଛି ସାଂଘାତିକ୍ ଅଭିଯୋଗ। ଚାଷୀଙ୍କ ଦାବି, ସାରକୁ ପାଣିରେ ମିଶାଇବା ପରେ ହାତରେ କଳା ରଙ୍ଗ ଲାଗି ରହୁଛି। ପାଣିରେ ମିଶିବା ପରେ ପୋଡ଼ା ମୋବିଲ୍ ଭଳି ଦିଶୁଛି। ଚାଷୀଙ୍କ ଅଭିଯୋଗ ପରେ ସାର ସାମ୍ପୁଲ୍ ଭୁବନେଶ୍ୱର ଲ୍ୟାବକୁ ପଠାଇଛି କୃଷି ବିଭାଗ। ହେଲେ ଏଯାଏ ରିପୋର୍ଟ ଆସି ନଥିବାରୁ ସାର ଅସଲି ନା ନକଲି, ସେହି ଦ୍ୱନ୍ଦ୍ୱରେ ଚାଷୀ। ଅନ୍ୟପଟେ ନୀଳଗିରି ଅଞ୍ଚଳରେ ନକଲି ସାର ପ୍ରମାଣିତ ପରେ ତତ୍ପର ହୋଇଛି କୃଷି ବିଭାଗ। ସମ୍ପୃକ୍ତ ସଂସ୍ଥା ବିରୋଧରେ ଥାନାରେ ଲିଖିତ ଅଭିଯୋଗ ହୋଇଛି।
କେବଳ ବାଲେଶ୍ୱର ନୁହେଁ, ଗଞ୍ଜାମରେ ବି ସାରକୁ ନେଇ ଚାଷୀଙ୍କ ଅସନ୍ତୋଷ। ବିଭିନ୍ନ ବ୍ଲକର ସେବା ସମବାୟ ସମିତିରେ ଆବଶ୍ୟକ ପରିମାଣର ସାର ମିଳୁ ନଥିବା ଅଭିଯୋଗ ଆସିଛି। ପ୍ରାଇଭେଟ୍ ଡିଲରଙ୍କ ନିକଟରେ ସାର ମିଳୁଥିଲେ ବି ଚଢ଼ା ଦରରେ ବିକ୍ରି ହେଉଥିବା ଅଭିଯୋଗ କରିଛନ୍ତି ଚାଷୀ। ସାର ଅଭାବ ଓ ଚଢ଼ା ଦରରେ ବିକ୍ରି ଚାଷୀଙ୍କ ଚିନ୍ତାକୁ ବଢ଼ାଇଛି। ସାର ଉପଲବ୍ଧତା, ଦର ଓ ବିକ୍ରି ବ୍ୟବସ୍ଥାକୁ ନେଇ ନିୟମିତ ଯାଞ୍ଚ ସହ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଚାଷୀ।
ସାରକୁ ନେଇ ଅଭିଯୋଗ ଭିତରେ ଆକ୍ସନ୍ ମୋଡରେ ବୌଦ୍ଧ ଜିଲ୍ଲା ପ୍ରଶାସନ। କଣ୍ଟାମାଳ ବ୍ଲକ ଖଟଖଟିଆରେ ଥିବା ଏକ ସାର ହୋଲସେଲରଙ୍କ ଗୋଦାମରେ ଚଢ଼ାଉ କରିଛି ମନମୁଣ୍ଡା ପୋଲିସ। ସେଠି ପୋଲିସ ମୁତୟନ ଥିବା ବେଳେ କୃଷି ବିଭାଗ ଅଧିକାରୀ, ତହସିଲଦାରଙ୍କ ଉପସ୍ଥିତିରେ ଯାଞ୍ଚ କରାଯାଇଛି। ଷ୍ଟକ୍ ଭେରିଫିକେସନଠାରୁ ଆରମ୍ଭ କରି କାଗଜପତ୍ର, ଷ୍ଟକ୍ ଓ ବିକ୍ରି ସମ୍ପର୍କିତ ବିଭିନ୍ନ ଦିଗକୁ ନେଇ ତନାଘନା କରୁଛି ପ୍ରଶାସନ। ସେପଟେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କହିଛନ୍ତି ସାର ଅଭାବ ନାହିଁ, କୃତ୍ରିମ ଅଭାବ ସୃଷ୍ଟି କରାଯାଇଛି। ଚାଷୀଙ୍କୁ ସୁଲଭ ମୂଲ୍ୟରେ ସାର ଯୋଗାଇ ଦିଆଯାଉଛି।
ଏଠି ପ୍ରଶ୍ନ ଉଠୁଛି ଚାଷୀଙ୍କୁ ମିଳୁଥିବା ସାରର ଗୁଣବତ୍ତା, ଦର ଓ ଉପଲବ୍ଧତା ଉପରେ କେବେ ଲାଗିବ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ? ନକଲି ସାର ହେଉ କି ଚଢ଼ା ଦରରେ ବିକ୍ରି, ଦୋଷୀଙ୍କ ବିରୋଧରେ କେବେ କାର୍ଯ୍ୟନୁଷ୍ଠାନ ? କାରଣ ସାରକୁ ନେଇ ଦ୍ୱନ୍ଦ୍ୱର ସିଧା ପ୍ରଭାବ ପଡ଼ୁଛି ଚାଷୀ ଓ ଚାଷ ଉପରେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।