Pakistan Naval Ship Collides With Indian Warship: ଭାରତୀୟ ଯୁଦ୍ଧପୋତକୁ ଧକ୍କା ଦେଲା ପାକ୍ ଜାହାଜ, ବଢ଼ିଲା ଉତ୍ତେଜନା

Sep 16, 2026 - 20:27
Pakistan Naval Ship Collides With Indian Warship: ଭାରତୀୟ ଯୁଦ୍ଧପୋତକୁ ଧକ୍କା ଦେଲା ପାକ୍ ଜାହାଜ, ବଢ଼ିଲା ଉତ୍ତେଜନା

ଭାରତୀୟ ନୌସେନାର ଯୁଦ୍ଧପୋତକୁ ଧକ୍କା ଦେଲା ପାକିସ୍ତାନ ଜାହାଜ। ଆରବ ସାଗର ଅନ୍ତର୍ଜାତୀୟ ଜଳସୀମାରେ ଚୁକ୍ତିନାମା ଉଲ୍ଲଂଘନ କରିଛି ପାକିସ୍ତାନ। ନିୟମିତ ପାଟ୍ରୋଲିଂ ଏବଂ ସାମୁଦ୍ରିକ ଅଭ୍ୟାସ ସମୟରେ ଏହି ଦୁର୍ଘଟଣା ଘଟିଛି। ତେବେ ପାକିସ୍ତାନର ଏଭଳି ଅସୁରକ୍ଷିତ ଏବଂ ଦାୟିତ୍ବହୀନତାର ତୀବ୍ର ପ୍ରତିବାଦ ଜଣାଇଛି ନୂଆଦିଲ୍ଲୀ। ଅପରେସନ୍ ସିନ୍ଦୁର ପରେ ପ୍ରଥମ ଥର ପାଇଁ ସାମ୍ନାସାମ୍ନି ହୋଇଛନ୍ତି ଭାରତ ଓ ପାକିସ୍ତାନ।

୧୫ ସେପଟେମ୍ବର, ଅପରାହ୍ଣ। ଉତ୍ତର ଆରବ ସାଗରର ଅନ୍ତର୍ଜାତୀୟ ଜଳସୀମା। ହଠାତ୍ ଭାରତୀୟ ନୌସେନାର ଯୁଦ୍ଧପୋତ ଆଡକୁ ତୀବ୍ର ଗତିରେ ମାଡି ଆସିଥିଲା ପାକ୍ ଜାହାଜ ପିଏନଏସ୍ ହୁନୈନ୍। ଦେଖୁ ଦେଖୁ ଅତି ପାଖରୁ ଅତ୍ୟନ୍ତ ଅସୁରକ୍ଷିତ ଭାବେ ନେଇଥିଲା ମୋଡ। ଫଳରେ ପାକିସ୍ତାନ ଜାହାଜର ପଛ ଭାଗ ଭାରତୀୟ ଯୁଦ୍ଧପୋତକୁ ଧକ୍କା ଦେଇଥିଲା। ଏହାପରେ ପାକିସ୍ତାନ ଜଳସୀମା ଆଡକୁ ଫେରିଯାଇଥିଲା ଜାହାଜଟି। ବୈଦେଶିକ ମନ୍ତ୍ରାଳୟ ଏହାକୁ ଏକ 'ଧକ୍କା' ବୋଲି କହିଥିବା ବେଳେ କୌଣସି ବଡ଼ କ୍ଷୟକ୍ଷତି ହୋଇନଥିବା ସ୍ପଷ୍ଟ କରାଯାଇଛି। ତେବେ ଘଟଣା ପାଇଁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ଭାରତ। MEA ସ୍ପଷ୍ଟ କରିଛି ଯେ, ଭବିଷ୍ୟତରେ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନହୁଏ, ସେଥିପାଇଁ ପାକିସ୍ତାନର ସମସ୍ତ ସାମରିକ ବିଭାଗ ଉପଯୁକ୍ତ ସତର୍କତା ଅବଲମ୍ବନ କରନ୍ତୁ। ପାକିସ୍ତାନ ଭାରତ ସହ ଦ୍ୱିପାକ୍ଷିକ ଚୁକ୍ତିର ସମସ୍ତ ନିୟମ ପାଳନ କରିବା ଜରୁରୀ। ନୂଆଦିଲ୍ଲୀରେ ଥିବା ପାକିସ୍ତାନ ହାଇକମିଶନର ଚାର୍ଜ ଡି ଆଫେୟାର୍ସଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସମନ କରିଛି। ଏଥିସହ ଇସଲାମାବାଦରେ ଥିବା ଭାରତୀୟ ଚାର୍ଜ ଡି ଆଫେୟାର୍ସଙ୍କୁ ମଧ୍ୟ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ନିକଟରେ ସମାନ ପ୍ରତିବାଦ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ତେବେ ୧୯୯୧ ଭାରତ-ପାକିସ୍ତାନ ଚୁକ୍ତିନାମାରେ କଣ ଉଲ୍ଲେଖ ଅଛି ? ଚୁକ୍ତିନାମାର ଧାରା ୧୦ କହୁଛି କଣ? ୬ ଏପ୍ରିଲ ୧୯୯୧ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ସମୟରେ ନୂଆଦିଲ୍ଲୀରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହି ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ଏହା ୧୯ ଅଗଷ୍ଟ ୧୯୯୨ ରୁ ଲାଗୁ ହୋଇଥିଲା ଏବଂ ଡିସେମ୍ବର ୧୯୯୪ ରେ ଭାରତ ଏହାକୁ ମିଳିତ ଜାତିସଂଘରେ ପଞ୍ଜୀକୃତ କରିଥିଲା। ଚୁକ୍ତିର ମୂଳ ଲକ୍ଷ୍ୟ ହେଉଛି କୌଣସି ଭୁଲ ବୁଝାମଣା ଯୋଗୁଁ ଯେପରି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ନହୁଏ। ଧାରା ୧୦ ବିଶେଷ ଭାବେ ଅନ୍ତର୍ଜାତୀୟ ଜଳସୀମାରେ ନୌସେନାର ସୁରକ୍ଷା ପାଇଁ ଉଦ୍ଦିଷ୍ଟ। ଅନ୍ତର୍ଜାତୀୟ ଜଳଭାଗରେ କାର୍ଯ୍ୟ କରୁଥିବା ସମୟରେ ଦୁଇ ଦେଶର ଯୁଦ୍ଧପୋତ ଏବଂ ବୁଡ଼ା ଜାହାଜଗୁଡ଼ିକ ପରସ୍ପରଠାରୁ ଅତିକମରେ ୩ ନଟିକାଲ୍ ମାଇଲ ଦୂରତା ବଜାୟ ରଖିବେ। ସେହିପରି ଦୁଇ ଦେଶର କୌଣସି ବି ଯୁଦ୍ଧ ବିମାନ ପରସ୍ପରର ଆକାଶ ମାର୍ଗ କିମ୍ବା ଏୟାର ଡିଫେନ୍ସ ଆଇଡେଣ୍ଟିଫିକେସନ୍ ଜୋନ୍ ୧୦ କିଲୋମିଟର ଭିତରକୁ ଆସିପାରିବେ ନାହିଁ। ଅନ୍ତର୍ଜାତୀୟ ଜଳଭାଗରେ କୌଣସି ଦେଶର ବିମାନ ଅନ୍ୟ ଦେଶର ଜାହାଜ ଉପରେ ନିମ୍ନ ଉଡ଼ାଣ କରି ହଇରାଣ କରିପାରିବେ ନାହିଁ।

ମେ ୨୦୨୫ରେ ହୋଇଥିବା 'ଅପରେସନ୍ ସିନ୍ଦୂର' ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହା ହେଉଛି ପ୍ରଥମ ସାମ୍ନାସାମ୍ନି ସ୍ଥିତି। ଏଥର ବି ଚୁକ୍ତିନାମା ଉଲ୍ଲଂଘନ କରିଛି ପାକିସ୍ତାନ। ଯାହା ଉପରେ ଭାରତର କଡ଼ା ନଜର ରହିଥିବା ବେଳେ ଆଗକୁ ବଡ଼ ପଦକ୍ଷେପ ନିଆଯିବା ସମ୍ଭାବନା ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।