Over 60 Villages Flooded: ଭୟଙ୍କର ବନ୍ୟା ଦେଖିଲା କୋରାପୁଟର କୋଟପାଡ଼; ଡ୍ୟାମ ପାଣିରେ ବୁଡିଛି ୬୦ରୁ ଅଧିକ ଗାଁ
ଭୟଙ୍କର ବନ୍ୟା ଦେଖିଲା କୋରାପୁଟର କୋଟପାଡ। ଲଗାଣ ବର୍ଷା ପରେ ସୁରୁଳୀ ନଦୀର ଉଛୁଳା ଜଳ ଓ ଇନ୍ଦ୍ରାବତୀ ଡ୍ୟାମ ପାଣିରେ ବୁଡିଛି ୬୦ରୁ ଅଧିକ ଗାଁ। ସହରରେ ବି ଦୟନୀୟ ସ୍ଥିତି। ସେପଟେ ନବରଙ୍ଗପୁର ସହରରେ ବି ପଶିଛି ଇନ୍ଦ୍ରାବତୀର ବନ୍ୟା ଜଳ। ତେବେ ବଡ଼ କଥା ହେଉଛି ଯେ, ବନ୍ୟା ପାଇଁ ସିଧାସଳଖ ପ୍ରଶାସନକୁ ଦାୟୀ କରିଛନ୍ତି ବିପନ୍ନ। ବନ୍ୟା ମନୁଷ୍ୟକୃତ ବୋଲି କହିବା ସହ ଡ୍ୟାମ ପରିଚାଳନାରେ ବିଫଳ ଯୋଗୁଁ ବନ୍ୟା ଉପୁଜିଥିବା ଅଭିଯୋଗ କରିଛନ୍ତି।
ପୂର୍ବରୁ ଏମିତି କେତେ ଲଗାଣ ବର୍ଷା ହୋଇଛି, ଦିନ ଦିନ ବର୍ଷିଛି, ହେଲେ କେବେ ଏଭଳି ପରିସ୍ଥିତି ଉପୁଜିନଥିଲା। ଏଭଳି ବନ୍ୟା କେବେ ଦେଖିନଥିଲା କୋରାପୁଟର କୋଟପାଡ। ଗାଁ ଗାଁ ବୁଡିଛି, ଜଳବନ୍ଦୀ ୧୦ରୁ ଅଧିକ ପଂଚାୟତ। ସହରରେ ବି ବଢିପାଣିର ଯନ୍ତ୍ରଣା। ଛତିଶଗଡ଼ ପଟୁ ଭାଲୁଗୁଡା ଓ ବିଜେପୁଟ ନିକଟରେ ଆନିକଟ ଏବଂ ଇନ୍ଦ୍ରାବତୀ ଡ୍ୟାମର ପାଣି ଘରେ ଘରେ ପଶିଛି।
କୋଟପାଡରେ ଏଭଳି ବିପର୍ଯ୍ୟୟ ପାଇଁ ପ୍ରଶାସନକୁ ଦାୟୀ କରିଛନ୍ତି କ୍ଷତିଗ୍ରସ୍ତ। ଅଭିଯୋଗ କରିଛନ୍ତି, ଇନ୍ଦ୍ରାବତୀ ଡ୍ୟାମ ଜଳ ପରିଚାଳନାରେ ବିଫଳ ହୋଇଛି ପ୍ରଶାସନ। ବିନା କୌଣସି ସୂଚନାରେ ହଠାତ୍ ଏକାସଙ୍ଗେ ଡ୍ୟାମର ୪ଟି ଗେଟ୍ ଖୋଲିଦେବାରୁ ଏଭଳି ସ୍ଥିତି ଉପୁଜିଛି।
ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଭାବିତ ଅଂଚଳ ଯାଇ ସ୍ଥିତି ସମୀକ୍ଷା କରିଥିବା ବେଳେ ଆଜି ଉପର କୋଲାବ ଓ ଇନ୍ଦ୍ରାବତୀ ପ୍ରକଳ୍ପର ଅଧିକାରୀ ଛତିଶଗଡ଼ ବିଜେପୁଟ ଯାଇ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଆନିକଟ ଗେଟ୍ ଖୋଲିଦେଲେ ବନ୍ୟା ସମସ୍ୟା କମିଯିବ ବୋଲି କୁହାଯାଉଛି।
ନବରଙ୍ଗପୁରରେ ବର୍ଷା ଛାଡ଼ିଛି, ବଢ଼ିଛି ଦୁର୍ଦ୍ଦଶା। ବେକେ ପାଣିରେ ବୁଡ଼ିଥିଲା ଘରଦ୍ବାର। ଲୋକେ ଜୀବନ ଭୟରେ ଜିନିଷପତ୍ର ଛାଡ଼ି ଛାତ ଉପରେ ରାତି-ଦିନ କାଟିଲେ। ଲକ୍ଷାଧିକ ଟଙ୍କାର ଜିନିଷପତ୍ର ପାଣିରେ ପଡ଼ିଲା। ଏବେ ୪ ଦିନ ପରେ ବି ପାଣି ସମ୍ପୂର୍ଣ୍ଣ ଛାଡ଼ିନି। ଘର ସଫା କରିବା ବେଳେ ଉଜୁଡା ଜିନିଷ ଦେଖି ଆଖିରୁ ଲୁହ ଝରୁଛି। ଆଉ ପ୍ରଶାସନ ପ୍ରତି କୋହ। ଏଠାରେ ବି କ୍ଷତିଗ୍ରସ୍ତଙ୍କ ସମାନ ଅଭିଯୋଗ, କୃତ୍ରିମ ବନ୍ୟା ପାଇଁ ପ୍ରଶାସନ ଦାୟୀ। ଡ୍ୟାମରୁ ପାଣି ଛଡ଼ାଯିବା ନେଇ ଆଗୁଆ ସୂଚନା ଦିଆଗଲାନି।
କୋଟପାଡ ଓ ନବରଙ୍ଗପୁରରେ ବନ୍ୟା ସତରେ ମନୁଷ୍ୟକୃତ କି? ଡ୍ୟାମ ଜଳ ପରିଚାଳନାରେ ବିଫଳ ହୋଇଛନ୍ତି କି କର୍ତ୍ତୃପକ୍ଷ? ଲଗାଣ ବର୍ଷା ଓ ବନ୍ୟା ସ୍ଥିତି ପାଇଁ ଆଗୁଆ ପ୍ରସ୍ତୁତି କରିନଥିଲା କି ଜିଲ୍ଲା ପ୍ରଶାସନ? ଡ୍ୟାମ ଗେଟ୍ ଖୋଲାଯିବା ନେଇ କାହିଁକି ଦିଆଗଲାନି ପୂର୍ବ ସତର୍କତା? ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ମନୁଷ୍ୟକୃତ ବନ୍ୟା ଅଭିଯୋଗକୁ ଖଣ୍ଡନ କରିଥିବା ବେଳେ ସ୍ବତନ୍ତ୍ର ଟିମ୍ କୋଟପାଡକୁ ପଠାଯିବ ବୋଲି କହିଛନ୍ତି। ସେପଟେ ବନ୍ୟା ସ୍ଥିତି ନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଛନ୍ତି ରାଜସ୍ବ ମନ୍ତ୍ରୀ।
ବନ୍ୟା ପରେ ବିପନ୍ନଙ୍କ କ୍ଷୟକ୍ଷତି ଆକଳନ, ସହାୟତା ଓ ଆଗାମୀ ଦିନରେ ଏଭଳି ସ୍ଥିତିର ପୁନରାବୃତ୍ତି ଯେମିତି ନହେବ, ସେଦିଗରେ ପ୍ରଶାସନ କି ପଦକ୍ଷେପ ନେଉଛି, ତାହା ଉପରେ ନଜର।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।