Mountain Collapses In Seconds: ମାତ୍ର ୬ ସେକେଣ୍ଡରେ ନଦୀରେ ମିଶିଗଲା ପାହାଡ଼, ଭୟରେ ଚିତ୍କାର କଲେ ଲୋକେ

Sep 28, 2026 - 19:44
Mountain Collapses In Seconds: ମାତ୍ର ୬ ସେକେଣ୍ଡରେ ନଦୀରେ ମିଶିଗଲା ପାହାଡ଼, ଭୟରେ ଚିତ୍କାର କଲେ ଲୋକେ

ନେପାଳରେ ପାହାଡ଼ ଧସିବାର ଦୁଇଟି ଭିଡିଓ ସାମ୍ନାକୁ ଆସିଛି। ଭିନ୍ନ ଦୁଇଟି ସ୍ଥାନରୁ ରେକର୍ଡ ହୋଇଥିବା ଏହି ଭିଡିଓରେ ମାତ୍ର ୬ ସେକେଣ୍ଡ ମଧ୍ୟରେ ପାହାଡ଼ର ଏକ ବଡ଼ ଅଂଶ ଭୁଶୁଡ଼ି ନଦୀରେ ମିଶିଯାଉଥିବା ଦେଖାଯାଇଛି। ଘଟଣା ସମୟରେ ଲୋକଙ୍କ ଚିତ୍କାର ମଧ୍ୟ ଶୁଣିବାକୁ ମିଳୁଛି।

ପ୍ରଥମ ଭିଡିଓଟି ମୁସ୍ତାଙ୍ଗ ଜିଲ୍ଲାର ଲେଟେ ନିକଟରୁ ରେକର୍ଡ କରାଯାଇଛି। ରବିବାର ନୂଆ ବନ୍ୟା ଓ ଭୂସ୍ଖଳନ ପରେ ଚାରି ଧାମ ଯାତ୍ରୀମାନେ ଏହି ଦୃଶ୍ୟ କ୍ୟାମେରାରେ କଏଦ କରିଥିଲେ। ଭିଡିଓରେ ପାହାଡ଼ର ଏକ ବିଶାଳ ଅଂଶ ପ୍ରାୟ ୬ ସେକେଣ୍ଡ ମଧ୍ୟରେ ତଳକୁ ଖସି କାଳୀ ଗଣ୍ଡକୀ ନଦୀରେ ମିଶିଯାଉଛି। ଧସିଥିବା ମାଟି ଓ ପଥର ଯୋଗୁଁ କିଛି ସମୟ ପାଇଁ ନଦୀର ପ୍ରବାହ ମଧ୍ୟ ବନ୍ଦ ହୋଇଥିଲା। ପରେ ପାଣି ଧସିଥିବା ଅଂଶ ମଧ୍ୟରେ ନୂଆ ରାସ୍ତା କରି ପୁଣି ପ୍ରବାହିତ ହୋଇଥିଲା।

ଦ୍ୱିତୀୟ ଭିଡିଓରେ ଏକ ପାହାଡ଼ ଢାଲୁରୁ ମାଟି ଧସି ତଳକୁ ଯାଉଥିବା ଦେଖାଯାଇଛି। ଏହା ସହ ଏକ ପଥର ଓ କାଠର ଘର ଏବଂ ଅନେକ ଗଛ ମଧ୍ୟ ତଳକୁ ଭାସିଯାଉଛି। କ୍ୟାମେରା ଦୃଶ୍ୟରେ ଗାଁ ଲୋକଙ୍କ ଚିତ୍କାର ଶୁଣାଯାଉଛି। କିଛି ଲୋକ ଘର ଆଉ ନାହିଁ କହି ଚିତ୍କାର କରୁଥିଲେ । ଏହି ସମୟରେ ପାହଡରେ ଥିବା ଗୋଟିଏ ଘରର ଜଣେ ମହିଳାଙ୍କୁ ନିରାଶାରେ କାନ୍ଦୁଥିବା ଦେଖାଯାଇଛି।

ନେପାଳର ବିଭିନ୍ନ ଜିଲ୍ଲାରେ ନୂଆ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଏପର୍ଯ୍ୟନ୍ତ ଅତି କମରେ ୨୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୪ ଜଣ ନିଖୋଜ ଅଛନ୍ତି। ଗଣ୍ଡକୀ ପ୍ରଦେଶରେ ଶନିବାରଠାରୁ କାଳୀ ଗଣ୍ଡକୀ ନଦୀର ଜଳସ୍ତର ବଢ଼ିବା ଆରମ୍ଭ ହୋଇଥିଲା। ଲଗାତାର ତିନି ଦିନର ପ୍ରବଳ ବର୍ଷା ପରେ ରବିବାର ସକାଳେ ନଦୀରେ ବଡ଼ ବନ୍ୟା ଆସିଥିଲା।

ରବିବାର ମନାଙ୍ଗ ଜିଲ୍ଲାର ୭,୧୨୬ ମିଟର ଉଚ୍ଚ ହିମଲୁଙ୍ଗ ହିମାଲ ପର୍ବତର ବେସ୍ କ୍ୟାମ୍ପରେ ହିମସ୍ଖଳନ ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ୧୦ ଜଣ ନିଖୋଜ ଅଛନ୍ତି ବୋଲି ପୁଲିସ କହିଛି। ନାର ଫୁ ଅଞ୍ଚଳରେ ଘଟିଥିବା ହିମସ୍ଖଳନରେ ଏକ ଟେଣ୍ଟ ପୋତି ଯାଇଥିଲା। ସେଠାରେ ୯ ଜଣ ପର୍ବତାରୋହୀ ଓ ୧୩ ଜଣ ସହାୟକ କର୍ମଚାରୀ ଆଶ୍ରୟ ନେଇଥିଲେ।

ଏହି ଘଟଣାଗୁଡ଼ିକ ଅଗଷ୍ଟ ୨୬ରେ ନେପାଳରେ ଘଟିଥିବା ଭୋଟେକୋଶୀ ବନ୍ୟାର ପ୍ରାୟ ଏକ ମାସ ପରେ ଘଟିଛି। କର୍ତ୍ତୃପକ୍ଷଙ୍କ ଅନୁସାରେ, ସେହି ବନ୍ୟାରେ ଏପର୍ଯ୍ୟନ୍ତ ୧,୪୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବାବେଳେ ୬,୦୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।