Pak Detains UK Councillor: କାଶ୍ମୀର ପ୍ରସଙ୍ଗ ଉଠାଇବା ପଡ଼ିଲା ମହଙ୍ଗା, କାଉନସିଲରଙ୍କୁ ଅଟକ ରଖିଲା ପାକିସ୍ତାନ

Oct 30, 2026 - 13:12
Pak Detains UK Councillor: କାଶ୍ମୀର ପ୍ରସଙ୍ଗ ଉଠାଇବା ପଡ଼ିଲା ମହଙ୍ଗା, କାଉନସିଲରଙ୍କୁ ଅଟକ ରଖିଲା ପାକିସ୍ତାନ

କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ମତ ବିରୋଧରେ ସ୍ୱର ଉତ୍ତୋଳନ କରିଥିବା ବ୍ରିଟିଶ ଲେବର ପାର୍ଟିର କାଉନସିଲର ତଥା କାଶ୍ମୀରୀ କର୍ମୀ ଦାଲାତ୍ ଅଲି ଗସ୍ତ ସମୟରେ ପାକିସ୍ତାନରେ ଅଟକ ହୋଇଥିବା ଖବର ସାମ୍ନାକୁ ଆସିଛି।

ପାକିସ୍ତାନର ଏଭଳି ପଦକ୍ଷେପକୁ ନେଇ ବ୍ରିଟେନ୍ ଏବଂ ଆନ୍ତର୍ଜାତୀୟ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

Advertisment ରଚଡେଲ ବରୋ କାଉନସିଲର ଡେପୁଟି ଲିଡର ତଥା କାଶ୍ମୀରୀ ସମୁଦାୟର ଜଣାଶୁଣା ବ୍ୟକ୍ତିତ୍ୱ ଦାଲାତ୍ ଅଲି ବ୍ରିଟେନର ଏକ ପ୍ରତିନିଧି ଦଳ ସହ ପାକିସ୍ତାନ ଗସ୍ତରେ ଯାଇଥିଲେ।

ରଚଡେଲର ମେୟର ଫୈସଲ ରାନାଙ୍କ ନେତୃତ୍ୱରେ ଯାଇଥିବା ଏହି ଟିମ୍ ପଞ୍ଜାବର ସାହିୱାଲ୍ ସହରକୁ ଯାଇଥିଲା।

ତେବେ ଇସଲାମାବାଦ ବିମାନବନ୍ଦରରେ ପହଞ୍ଚିବା ପରେ ଦାଲାତ୍ ଅଲିଙ୍କୁ ଅଟକ ରଖି କିଛି ସମୟ ଧରି ଜେରା କରାଯାଇଥିଲା।

ବ୍ରିଟିଶ ଏବଂ ପାକିସ୍ତାନୀ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ପରେ ତାଙ୍କୁ ଛାଡ଼ିଦିଆଯାଇଥିଲା।

ମାତ୍ର ଅକ୍ଟୋବର ୨୮ ତାରିଖରେ ଲାହୋର ଏୟାରପୋର୍ଟରୁ ବ୍ରିଟେନ୍ ଫେରିବା ସମୟରେ ତାଙ୍କୁ ପୁଣି ଥରେ ବିମାନରୁ ଓହ୍ଲାଇ ଦିଆଯାଇଥିଲା।

ତାଙ୍କ ନାମ ଫେଡେରାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସି (ଏଫଆଇଏ) ର କଣ୍ଟ୍ରୋଲ୍ ଲିଷ୍ଟରେ ରହିଥିବା ଦର୍ଶାଇ ତାଙ୍କୁ ଦେଶ ଛାଡ଼ିବାକୁ ବାରଣ କରାଯାଇଛି।

Advertisment ମୂଳତଃ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ର କୋଟଲି ଅଞ୍ଚଳର ବାସିନ୍ଦା ଦାଲାତ୍ ଅଲି ବ୍ରିଟେନରେ ରହି କାଶ୍ମୀରୀମାନଙ୍କ ଅଧିକାର ପାଇଁ ଲମ୍ବା ସମୟ ଧରି ସ୍ୱର ଉତ୍ତୋଳନ କରିଆସୁଛନ୍ତି।

ସେ ତାଙ୍କ ଲେଖା ଏବଂ ଭାଷଣରେ ପାକିସ୍ତାନକୁ ପିଓକେରେ ଏକ 'ଦଖଲକାରୀ ଶକ୍ତି' ଭାବରେ ବର୍ଣ୍ଣନା କରିଛନ୍ତି।

ରଚଡେଲ କାଉନସିଲ୍ ଏବଂ ବ୍ରିଟିଶ ଏମ୍‌ପିମାନଙ୍କ ମତରେ, ତାଙ୍କର ଏହି କାଶ୍ମୀରୀ ସମର୍ଥକ କାର୍ଯ୍ୟକଳାପ ଯୋଗୁଁ ହିଁ ପାକିସ୍ତାନ ପ୍ରଶାସନ ତାଙ୍କୁ ଜାଣିଶୁଣି ହଇରାଣ କରୁଛି।

ବ୍ରିଟିଶ ଲେବର ପାର୍ଟିର ଏମ୍‌ପି ଇମ୍ରାନ ହୁସେନ୍ ଏହି ଘଟଣାକୁ ଗ୍ରହଣୀୟ ନୁହେଁ ବୋଲି କହିବା ସହ ଦାଲାତ୍ ଅଲିଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ବ୍ରିଟେନ୍ ମନ୍ତ୍ରୀମାନଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।

ବ୍ରିଟେନର ବୈଦେଶିକ କାର୍ଯ୍ୟାଳୟ (ଏଫସିଡିଓ) କହିଛି ଯେ ସେମାନେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଯୋଗାଯୋଗରେ ଅଛନ୍ତି ଏବଂ ପରିସ୍ଥିତି ଉପରେ ନଜର ରଖିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।