Panchayat: ପଞ୍ଚାୟତକୁ ବର୍ଷକୁ ୩କୋଟି ଯାଏଁ ମିଳିବ: ‘ଗ୍ରାମ ସମ୍ପଦ’ରେ ହେବ ଗାଁର ବିକାଶ
ଭୁବନେଶ୍ବର: ଆସନ୍ତାବର୍ଷ ଏପ୍ରିଲ, ମେ’ ମାସରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବ। ତେଣୁ ଗ୍ରାମପଞ୍ଚାୟତଗୁଡ଼ିକୁ ସମୃଦ୍ଧ କରିବାକୁ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ‘ଗ୍ରାମ ସମ୍ପଦ’ ବା ‘ବହୁମୁଖୀ ପଞ୍ଚାୟତ ସୁବିଧା ଏବଂ ଗ୍ରାମାଞ୍ଚଳ ବିକାଶ ପାଇଁ ସ୍ଥାୟୀ ସମ୍ପଦର ସବୁଜ, ସୁରକ୍ଷିତ ଏବଂ ସୁଗମ ମଡେଲ୍’ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଥିରେ ପଞ୍ଚାୟତସ୍ତରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଯଥା ବିଜିବିଓ, ସିଏଫ୍ସି, ଏସ୍ଏଫ୍ସି, ସିଏସ୍ଆର୍, ଡିଏମ୍ଏଫ୍, ବିଧାୟକ ପାଣ୍ଠି, ଭିବିଜି ରାମ୍ଜି ଆଦିକୁ ସମନ୍ବିତ କରି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଲୋକଙ୍କ ଆବଶ୍ୟକତା ଅନୁଯାୟୀ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେବ ବୋଲି ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବିନାରାୟଣ ନାଏକ କହିଛନ୍ତି।
Neglect: ଦୟନୀୟ ଅବସ୍ଥାରେ ସାରଙ୍ଗଡ଼ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ
ଏ ସମ୍ପର୍କରେ ଅଧିକ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ନାଏକ କହିଛନ୍ତି ଯେ ପଞ୍ଚାୟତର ଜନସଂଖ୍ୟାକୁ ଆଧାର କରି ଗ୍ରାମପଞ୍ଚାୟତଗୁଡ଼ିକୁ ବର୍ଷକୁ ଦେଢ଼ରୁ ତିନି କୋଟି ଟଙ୍କା ପର୍ଯ୍ୟନ୍ତ ଅନୁଦାନ ଦିଆଯିବ। ଆସନ୍ତା ୫ ବର୍ଷକୁ ନଜରରେ ରଖି ଏହା କାର୍ଯ୍ୟକ୍ଷମ ହେବ। ଲୋକ ସେମାନଙ୍କ ଗାଁରେ କ’ଣ କରିବାକୁ ଚାହୁଛନ୍ତି ତାହା ଗ୍ରାମସଭାରେ ଚୂଡ଼ାନ୍ତ କରି ପ୍ରସ୍ତାବ ଦେବେ। ଏଥିରେ ଗାଁଗୁଡ଼ିକରେ ମନୋରଞ୍ଜନ, କ୍ରୀଡ଼ା, ସାମାଜିକ କାର୍ଯ୍ୟ, ସାର୍ବଜନୀନ ସୁବିଧାକୁ ସୁଦୃଢ଼ କରାଯିବ। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଗାଁରେ ଲୋକଙ୍କୁ ସହରାଞ୍ଚଳ ଭଳି ସବୁ ସୁବିଧା ଓ ଆନୁଷଙ୍ଗିକ ଭିତ୍ତିଭୂମି ହାତପାଆନ୍ତାରେ ଉପଲବ୍ଧ କରାଇବା।
‘ଗ୍ରାମ ସମ୍ପଦ’ରେ ହେବ ଗାଁର ବିକାଶ
କଲ୍ୟାଣ ମଣ୍ଡପ, ହାଟ, ଶ୍ମଶାନ, ପାର୍କ, ପୋଖରୀ, ଖେଳପଡ଼ିଆ ଆଦି ନିର୍ମାଣ ହେବ
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାକୁ ସମନ୍ବିତ କରି ପ୍ରକଳ୍ପ ହେବ
ଗ୍ରାମ ସମ୍ପଦରେ ମୁଖ୍ୟତଃ ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳପଡ଼ିଆ ପାଇଁ ୬୫.୭୫ଲକ୍ଷ, ଆଦର୍ଶ କଲ୍ୟାଣ ମଣ୍ଡପ ପାଇଁ ୪୯ ଲକ୍ଷ, ଆଦର୍ଶ ପୋଖରୀ ପାଇଁ ୩୪ ଲକ୍ଷ, ଆଦର୍ଶ ଶ୍ମଶାନ ପାଇଁ ୨୨ ଲକ୍ଷ, ଆଦର୍ଶ ଗ୍ରାମୀଣ ପାର୍କ ପାଇଁ ୨୦ ଲକ୍ଷ, ଆଦର୍ଶ ଗ୍ରାମୀଣ ହାଟ ପାଇଁ ୧୬.୫୦ ଲକ୍ଷ, ଆଦର୍ଶ ପଞ୍ଚାୟତ ପାଠାଗାର ନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଆଦର୍ଶ କଲ୍ୟାଣ ମଣ୍ଡପଗୁଡ଼ିକୁ ଏମିତି ନିର୍ମାଣ କରାଯିବ ଯେପରି ସେଠାରେ କେବଳ ବିବାହ ଓ ବ୍ରତଘର ନୁହେଁ, ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇପାରିବ। ଏଥିରେ ବଡ଼ ହଲ୍ ସହ ପେଣ୍ଡାଲ ଓ ଦୁଇଟି ଗ୍ରିନ୍ ରୁମ୍ ରହିବ। ନାଚଗୀତ, ଡ୍ରାମା ସହ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଏଠାରେ ଆୟୋଜନ କରାଯାଇପାରିବ। ଭୋଜିଭାତ ପାଇଁ ମଧ୍ୟ ସୁବିଧା ରହିବ। ପଞ୍ଚାୟତ ପକ୍ଷରୁ ପାଇପ୍ ପାଣି ଯୋଗାଇ ଦିଆଯିବ। ଆଗାମୀ ଦିନରେ ପ୍ରତିବର୍ଷ ଗୋଟିଏ ପଞ୍ଚାୟତରେ ଗୋଟିଏ କଲ୍ୟାଣ ମଣ୍ଡପ ନିର୍ମାଣ କରିବାକୁ ଯୋଜନା ହୋଇଛି।
Voter ID: ତୁଳସା ସାନ୍ତାଙ୍କ ନାମ ଭୋଟର ତାଲିକାରେ ସାମିଲ ପାଇଁ ପ୍ରକ୍ରିୟା ଆରମ୍ଭ
ସେହିପରି ଆଦର୍ଶ ପୋଖରୀର ଚାରିପଟେ ପଥର ବନ୍ଧେଇ ସହ ପେଭର ବ୍ଲକ୍ ଖଞ୍ଜି ଚଲାପଥ ନିର୍ମାଣ କରାଯିବ। ଏହା ସହ ମୁକ୍ତାକାଶ ବ୍ୟାୟାମଶାଳା ହେବ। ଆଦର୍ଶ ଶ୍ମଶାନରେ ଶବଦାହ ଗୃହ, ଗାଧୋଇବା ବ୍ୟବସ୍ଥା, ପୋଷାକ ବଦଳାଇବା ଗୃହ ଆଦି ରହିବ। ଶ୍ମଶାନ ଯେପରି ଜବରଦଖଲ ହେବନି ସେଥିପାଇଁ ତାର ଚାରିକଡ଼େ ପାଚେରି ନିର୍ମାଣ କରାଯିବ। ଆଦର୍ଶ ଗ୍ରାମୀଣ ପାର୍କରେ ବିଭିନ୍ନ ପ୍ରକାରର ଗଛ ସହ ଆଲୋକୀକରଣ ବ୍ୟବସ୍ଥା ହେବ। ଜିମ୍ ରହିବ, ଲୋକଙ୍କ ବସିବା ପାଇଁ ପିଣ୍ଡି ନିର୍ମାଣ ହେବ। ଆଦର୍ଶ ଗ୍ରାମୀଣ ହାଟରେ ପାନୀୟଜଳ ବ୍ୟବସ୍ଥା ସହ ପ୍ରବେଶ ପାଇଁ ସୁନ୍ଦର ଗେଟ୍ ଓ ଆବଶ୍ୟକ ଭିତ୍ତିଭୂମି ବିକଶିତ କରାଯିବ। ବୃକ୍ଷରୋପଣ କାର୍ଯ୍ୟକ୍ରମ ଅଧୀନରେ ପ୍ରତି ଗ୍ରାମ ପଞ୍ଚାୟତରେ ୭୦୦ଟି ଗଛ ଲଗାଯିବ। ଏହାସହ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ଓ ପାଠକଙ୍କ ପାଇଁ ଆଦର୍ଶ ପାଠାଗାର ନିର୍ମାଣ କରାଯିବ। ଏଠାରେ ସବୁବର୍ଗର ଲୋକଙ୍କ ପାଇଁ ବିଭିନ୍ନ ପ୍ରକାରର ବହି ଉପଲବ୍ଧ ହେବ। ଏହି ସବୁ ଭିତ୍ତିଭୂମିର ଯେପରି ଉପଯୁକ୍ତ ରକ୍ଷଣାବେକ୍ଷଣ ହେବ, ମରାମତି ହେବ, ଅଧିକରୁ ଅଧିକ ଲୋକ ବ୍ୟବହାର କରିବେ, ସେ ନେଇ ବିଭାଗ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।