Editorial: ଗୋ ଏଷଣା
"ଉଚ୍ଚତମ ସେପାନରେ ଆସୀନ ୫-୧୦% ଅମିତ ବିତ୍ତଶାଳୀ ଭାରତୀୟଙ୍କ ବିପୁଳ ଆୟ ଏବଂ ଉଚ୍ଚରେ ଥିବା ୩୦%ଙ୍କ ବ୍ୟୟ ହିଁ ଦେଶର ଜି.ଡି.ପି.
ଓ କ୍ରୟ କ୍ଷମତାର ଚିତ୍ରକୁ ରୂପ ଦେଇଥାଏ; ଯାହା ହୋଇ ନ ଥିଲେ ଭାରତୀୟ ଅର୍ଥନୀତିର ଏକ ବିକଳ ଚିତ୍ର ହୁଏତ ଦୃଶ୍ୟମାନ ହୁଅନ୍ତା।
ସୁତରାଂ, ଜି.ଡି.ପି.ର ସମାନୁପାତିକ ହିତାଧିକାରୀ ହେବାର ସୁଯୋଗ ପାଇ ନ ଥିବା ଅସଂଖ୍ୟ ଭାରତୀୟ, ଦୁବୋର୍ଧ୍ୟ ପରିସଂଖ୍ୟାନର "ଭୁଲ ଭୁଲୈୟାଁ"ରେ ବାଟ ହୁଡ଼ି ଅଗତ୍ୟା ସୁଭାଷ ଗର୍ଗଙ୍କ ପ୍ରମାଦପୂର୍ଣ୍ଣ ହିସାବକୁ ମଧ୍ୟ ବିଶ୍ବାସ କରିଯାଆନ୍ତି।Advertisment Flood in Bihar: ବିହାରରେ ବନ୍ୟା; ୮ ଜିଲ୍ଲାରେ ହାଇଆଲର୍ଟ, ଗଙ୍ଗା-କୋଶୀ ନଦୀ ବିପଦ ସଙ୍କେତ ଟପିଲା ନିକଟରେ, "ନେସନାଲ୍ ଷ୍ଟାଟିଷ୍ଟିକ୍ସ ଅଫିସ" ("ଏନ୍ଏସ୍ଓ") ପକ୍ଷରୁ କୁହାଗଲା ଯେ ୨୦୨୬-୨୭ ବିତ୍ତ ବର୍ଷର ପ୍ରଥମ ଚଉଠ (ଏପ୍ରିଲ-ଜୁନ୍)ରେ ଦେଶର ଅଭିବୃଦ୍ଧି ହାର ୭.୮% ହୋଇଛି; ଯେଉଁ ସକାରାତ୍ମକ ପ୍ରଦର୍ଶନକୁ ନେଇ ଏହି ସ୍ତମ୍ଭରେ "ପୁଷ୍ପିତ ଭାରତ" ଶୀର୍ଷକ ଅାଲୋଚନା ପ୍ରକାଶିତ ହୋଇଥିଲା।
କିନ୍ତୁ, ଠିକ୍ ଏହା ପରେ ଭାରତର ପୂର୍ବତନ ବିତ୍ତ ସଚିବ ସୁଭାଷ ଗର୍ଗଙ୍କ ଏକ ହିସାବ ତୁମୂଳ ବିତର୍କର ସୂତ୍ରପାତ ଘଟାଇଲା, ଯହିଁରେ ସେ ଦର୍ଶାଇଲେ ଯେ ଏହି ଅଭିବୃଦ୍ଧି ହାର ୭.୮% ନୁହେଁ, ବରଂ ମାତ୍ର ୨.୬ ପ୍ରତିଶତ।
କହିବା ବାହୁଲ୍ୟ, ଏହା ପରେ ଜାତୀୟ ଆୟ ଓ ଅଭିବୃଦ୍ଧିକୁ ଘେନି ସୂକ୍ଷ୍ମ-ଜଟିଳ ତାତ୍ତ୍ବିକ ବିମର୍ଶରୁ ଆରମ୍ଭ କରି ସରଳ ବୋଧଗମ୍ୟ ବିଚାର ପର୍ଯ୍ୟନ୍ତ ଚର୍ଚ୍ଚାରେ ଲୋକକ୍ଷେତ୍ର ଭରପୂର; ବିରୋଧୀ ଦଳଗୁଡ଼ିକ ସ୍ବଭାବସୁଲଭ ଢଙ୍ଗରେ ସରକାରଙ୍କ ଦାବିକୁ ଖାରଜ କରିବାରେ ବ୍ୟସ୍ତ ଏବଂ ଦୈନନ୍ଦିନ ଜୀବନରେ ଉପରୋକ୍ତ ଉତ୍ତମ ଅଭିବୃଦ୍ଧିର ଆଭାସ ଖୋଜୁଥିବା ସାଧାରଣ ଭାରତୀୟ ନାଗରିକ ପରିସଂଖ୍ୟାନର ଜାଲରେ ଛନ୍ଦି ହୋଇ କିଂକର୍ତ୍ତବ୍ୟବିମୂଢ଼!
ଏଭଳି ସ୍ଥଳେ ଏହି ସଂଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।ପ୍ରଥମେ ସୁଭାଷ ଗର୍ଗଙ୍କ ହିସାବକୁ ବୁଝିବାକୁ ଚେଷ୍ଟା କରିବା।
ସେ କହିଥାଆନ୍ତି ଯେ ଗତ ବିତ୍ତବର୍ଷର ପ୍ରଥମ ଚଉଠ (ଏପ୍ରିଲ-ଜୁନ୍)ର ଜି.ଡି.ପି.
ବା ଜାତୀୟ ଆୟ, ୮୬.୭ ଲକ୍ଷ କୋଟି ଟଙ୍କାକୁ ସଂଶୋଧନ କରି ୮୦ ଲକ୍ଷ କୋଟି ଟଙ୍କା ବୋଲି ଦର୍ଶାଇ ତାରି ଆଧାରରେ ଚଳିତ ବିତ୍ତ ବର୍ଷର ଜିଡିପିକୁ ତୁଳନା କରାଯିବା ଫଳରେ ଅଭିବୃଦ୍ଧି ହାର ୭.୮% ବୋଲି ଦୃଶ୍ୟମାନ ହେଉଛି; ଯଦି ଅସଂଶୋଧିତ ଜି.ଡି.ପି.
ଅର୍ଥାତ୍ ୮୬.୭ ଲକ୍ଷ କୋଟି ଟଙ୍କା ଆଧାରରେ ହିସାବ କରାଯାଏ, ତେବେ ଅଭିବୃଦ୍ଧି ହାର ହେବ ମାତ୍ର ୨.୬ ପ୍ରତିଶତ।
ତେବେ, କଥା ହେଲା, ଗର୍ଗଙ୍କ ହିସାବ ପଦ୍ଧତି ସହିତ ଅର୍ଥଶାସ୍ତ୍ରୀମାନେ ଏକମତ ହୁଅନ୍ତି ନାହିଁ; କାରଣ ଗତ ବର୍ଷର ଜି.ଡି.ପି.
ହିସାବରେ ଆଧାର ବର୍ଷ ବା "ବେସ୍ ଇୟର" ଥିଲା ୨୦୧୧-୧୨; ଯେତେବେଳେ କି ଚଳିତ ବର୍ଷଠାରୁ ୨୦୨୨-୨୩କୁ "ଆଧାର ବର୍ଷ" ଭାବେ ଗ୍ରହଣ କରାଯାଇଛି।
ପ୍ରକାଶ ଥାଉ କି ଠିକଣା ଅଭିବୃଦ୍ଧି ହାର ହିସାବ କରିବା ପରିପ୍ରେକ୍ଷୀରେ "୨୦୧୧-୧୨ ବେସ୍ ଇଅର" ଅତି ପୁରୁଣା ଏବଂ ଅଚଳନ୍ତି ବୋଲି ଦର୍ଶାଇ ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଉଥିଲା, ଯେଉଁଥି ଲାଗି ନୂତନ "ବେସ୍ ଇଅର" ସ୍ବାଗତଯୋଗ୍ୟ ହୋଇଥାଏ।
ଅର୍ଥଶାସ୍ତ୍ରୀମାନେ କହନ୍ତି ଯେ ନୂତନ "ବେସ୍ ଇଅର" ଆଧାରିତ ଫଳାଫଳ ସହିତ ପୁରୁଣା "ବେସ୍ ଇଅର" ଆଧାରିତ ଫଳାଫଳର ତୁଳନା ସଂପୂର୍ଣ୍ଣ ଅସଂମଜ, ଠିକ୍ ସେଓ ସହିତ କମଳାର ତୁଳନା ଭଳି ଉଦ୍ଭଟ ହୋଇଥାଏ!
ତେଣୁ ତୁଳନାରେ ସଂଗତି ଆଣିବା ଲାଗି ପୁରୁଣା "ବେସ୍ ଇଅର" ଆଧାରିତ ଜି.ଡି.ପି.ରେ ସଂଶୋଧନ ଅପରିହାର୍ଯ୍ୟ ହୋଇପଡ଼େ, ଯାହା ଫଳରେ ପୂର୍ବ ବିତ୍ତ-ବର୍ଷର ପ୍ରଥମ ଚଉଠର ଜି.ଡି.ପି.
୮୬.୭ ଲକ୍ଷ କୋଟି ଟଙ୍କାର ସଂଶୋଧିତ ପରିମାଣ ହେଉଛି ୮୦ ଲକ୍ଷ କୋଟି ଟଙ୍କା।
ତେଣୁ ଏହି ଅର୍ଥ ରାଶି ସହିତ ଚଳିତ ବର୍ଷର ପ୍ରଥମ ଚଉଠର ଜି.ଡି.ପି.ର ତୁଳନାରେ କୌଣସି ପ୍ରମାଦ ନାହିଁ।
ତେବେ, କେତେକ ଅର୍ଥଶାସ୍ତ୍ରୀ କହିଥାଆନ୍ତି ଯେ ସଂଶୋଧିତ ଅର୍ଥରାଶିର ଆକାର ୭.୬ ଲକ୍ଷ କୋଟି ଟଙ୍କା ଭଳି ଅତ୍ୟନ୍ତ ବିଶାଳ ପରିମାଣ ହୋଇଥିବାରୁ ତାହାର ହିସାବ ଓ ନିର୍ଣ୍ଣୟର ସୂତ୍ର ସ୍ବଚ୍ଛତାର ସହିତ ଉପଲବ୍ଧ କରାଯିବା ଆବଶ୍ୟକ।
ଅବଶ୍ୟ, ଏଥିରେ ଦ୍ବିରୁକ୍ତି ନାହିଁ ଯେ ଟ୍ରଂପଙ୍କ ଟାରିଫ ଆକ୍ରମଣ, ପଶ୍ଚିମ ଏସୀୟ ଯୁଦ୍ଧ ଏବଂ ହର୍ମୁଜ ଅବରୋଧ ଭଳି ଅଘଟଣ ଦ୍ବାରା ପୃଥିବୀର ଅନେକ ଦେଶର ଅର୍ଥନୀତି କରୁଣ ଦିଶୁଥିଲେ ହେଁ ଭାରତୀୟ ଅର୍ଥନୀତି ତା"ର ଅନ୍ତର୍ହିତ ଦୃଢ଼ତା ପ୍ରଦର୍ଶନ କରିଛି, ଯାହା ମାନୁଫାକଚରିଂ ବା ନିର୍ମାଣ, ସେବା ଓ ରପ୍ତାନି କ୍ଷେତ୍ରରେ ଘଟିଥିବା ଅଭିବୃଦ୍ଧିରେ ପରିଲକ୍ଷିତ।
କିନ୍ତୁ ଏଭଳି ସ୍ଥଳେ ଏକ ବିତର୍କିତ ପ୍ରଶ୍ନ ମଧ୍ୟ ସୃଷ୍ଟି ହୋଇଥାଏ ଯେ ଏଭଳି ଅଭିବୃଦ୍ଧିର ସୁପ୍ରଭାବ ସାଧାରଣ ଭାରତୀୟଙ୍କ ଜୀବନରେ ପରିଦୃଷ୍ଟ ହେଉନାହିଁ କାହିଁକି?ଚଳିତ ବିତ୍ତବର୍ଷର ପ୍ରଥମ ଚଉଠ ଆମ ଦେଶର ଅର୍ଥନୀତି ସକାଶେ ଏକ କଠିନ ସମୟ ହୋଇଥିଲେ ହେଁ ମାନୁଫାକଚରିଂ କ୍ଷେତ୍ରରେ ୯.୨ ପ୍ରତିଶତ, ସେବା କ୍ଷେତ୍ରରେ ୧୨.୧%, ରପ୍ତାନି କ୍ଷେତ୍ରରେ ୧୨%, ଗ୍ରାହକଙ୍କ ଘରୋଇ କ୍ରୟ କ୍ଷମତାରେ ୭.୧% ଓ ଘରୋଇ ପୁଞ୍ଜି ବିନିଯୋଗରେ ୧୧.୯% ବୃଦ୍ଧି ଘଟିଥିବା ବେଳେ ଏହି ସଂଗୀତକୁ ଆହୁରି ଶ୍ରୁତିମଧୁର କରିଛି ଆମଦାନି କ୍ଷେତ୍ରରେ ୧% ହ୍ରାସ।
ଭାରତ ସକାଶେ ସେବା କ୍ଷେତ୍ର ସର୍ବାଧିକ ଆୟକାରୀ ବୋଲି ବିବେଚିତ ହେଉଥିବା ବେଳେ ତାକୁ ଚଳାଉଥିବା ଇଂଜିନ ହୋଇଥାଏ ଆଇ.ଟି.
ବା ସୂଚନା ପ୍ରଯୁକ୍ତି ଉଦ୍ୟୋଗ।
ଉଲ୍ଲେଖଯୋଗ୍ୟ ଯେ ଏ.ଆଇ.ର ପ୍ରଭାବ ଓ ଟ୍ରଂପଙ୍କ ଏଚ୍୧ବି ଭିସା ନିୟମର ପ୍ରାଦୁର୍ଭାବ କାରଣରୁ ସଂପ୍ରତି ଭାରତୀୟ ଆଇ.ଟି.
କ୍ଷେତ୍ର ଆଂଶିକ ଆକ୍ରାନ୍ତ ହୋଇଥିଲେ ହେଁ ପ୍ରକାଣ୍ଡ ଇ-କମର୍ସ ବା "ଗିଗ୍" କାରବାର ତଥା "ହସପିଟାଲିଟି" (ଆତିଥ୍ୟ ପ୍ରଦାନକାରୀ) କ୍ଷେତ୍ରର ଅବଦାନ ହେତୁ "ସର୍ଭିସ ସେକ୍ଟର"ରେ ଅଭିବୃଦ୍ଧି ଘଟିଛି।
ସେମିତି ଟ୍ରଂପଙ୍କ ଟାରିଫ ସତ୍ତ୍ବେ ରପ୍ତାନିରେ ବୃଦ୍ଧି ଘଟିବା ଅଥବା ବହୁ କାଳ ଧରି ଅର୍ଦ୍ଧମୃତ ଅବସ୍ଥାରେ ଥିବା "ମାନୁଫାକଚରିଂ" କ୍ଷେତ୍ରରେ ନୂତନ ଜୀବନର ସଂଚାର ହେବା ମଧ୍ୟ ଭାରତୀୟ ଅର୍ଥନୀତି ସକାଶେ ଆଶା ଉଦ୍ରେକକାରୀ ହୋଇଥାଏ।
ଭାରତୀୟମାନଙ୍କ କ୍ରୟ କ୍ଷମତାରେ ବୃଦ୍ଧିର ନିଦର୍ଶନ ସ୍ବରୂପ ଦର୍ଶାଯାଇଛି ଯେ ମୋଟର ଗାଡ଼ି ବିକ୍ରୟରେ ୭% ବୃଦ୍ଧି ଦୃଷ୍ଟିଗୋଚର ହୋଇଛି।
ଏନ.ଏସ.ଓ.ର ରିପୋର୍ଟରେ ପ୍ରଦତ୍ତ ଅନେକ ପ୍ରକାର ପରିସଂଖ୍ୟାନର ଜଙ୍ଗଲ ମଧ୍ୟରୁ ଏହା ହାତଗଣତି ମାତ୍ର; ଯହିଁରେ ଭାରତୀୟ ଅର୍ଥନୀତିର ଏକ ମନୋରମ ଦୃଶ୍ୟ ଦିଶିଥାଏ।
କିନ୍ତୁ, ଏହା ସହିତ ବିଡ଼ମ୍ବିତ ପ୍ରଶ୍ନଟିଏ ମଧ୍ୟ ଉଠିଥାଏ ଯେ ତାହା ହେଲେ ସାଧାରଣ ଭାରତୀୟ ପରିବାର କାହିଁକି ବେକାରି, ଆୟ ତୁଳନାରେ ବ୍ୟୟରେ ବୃଦ୍ଧି, ସଂଚୟରେ ସଂକୋଚନ ଓ ସୁଯୋଗହୀନତା ଆଦି ଦ୍ବାରା ଦଂଶିତ?
କେଉଁମାନେ ବାସ୍ତବରେ ଏହି ଉଚ୍ଚା ଅଭିବୃଦ୍ଧିର ହିତାଧିକାରୀ?
କହିବା ବାହୁଲ୍ୟ, ଉଚ୍ଚତମ ସେପାନରେ ଆସୀନ ୫-୧୦% ଅମିତ ବିତ୍ତଶାଳୀ ଭାରତୀୟଙ୍କ ବିପୁଳ ଆୟ ଏବଂ ଉଚ୍ଚରେ ଥିବା ୩୦%ଙ୍କ ବ୍ୟୟ ହିଁ ଦେଶର ଜି.ଡି.ପି.
ଓ କ୍ରୟ କ୍ଷମତାର ଚିତ୍ରକୁ ରୂପ ଦେଇଥାଏ; ଯାହା ହୋଇ ନ ଥିଲେ ଭାରତୀୟ ଅର୍ଥନୀତିର ଏକ ବିକଳ ଚିତ୍ର ହୁଏତ ଦୃଶ୍ୟମାନ ହୁଅନ୍ତା।
ସୁତରାଂ, ଜି.ଡି.ପି.ର ସମାନୁପାତିକ ହିତାଧିକାରୀ ହେବାର ସୁଯୋଗ ପାଇ ନ ଥିବା ଅସଂଖ୍ୟ ଭାରତୀୟ, ଦୁବୋର୍ଧ୍ୟ ପରିସଂଖ୍ୟାନର "ଭୁଲ ଭୁଲୈୟାଁ"ରେ ବାଟ ହୁଡ଼ି ଅଗତ୍ୟା ସୁଭାଷ ଗର୍ଗଙ୍କ ପ୍ରମାଦପୂର୍ଣ୍ଣ ହିସାବକୁ ମଧ୍ୟ ବିଶ୍ବାସ କରିଯାଆନ୍ତି।
MoU: ଏମବିଆର୍ ଓ ଏମଏସସିବି ବିଶ୍ୱବିଦ୍ୟାଳୟ ମଧ୍ୟରେ ଐତିହାସିକ ବୁଝାମଣା ପତ୍ର ସ୍ୱାକ୍ଷରିତ ଶେଷରେ ଗୋଟିଏ ଗଳ୍ପ।
ଜଣେ ଦରିଦ୍ର ଚାଷୀ, ହଜି ଯାଇଥିବା ତା"ର ଦୁଧିଆଳୀ ଗାଈକୁ ଖୋଜିବାକୁ ହରବରରେ ଯାଉଥିବା ବେଳେ ଜଣେ ପଣ୍ଡିତପ୍ରବରଙ୍କ ହାବୁଡ଼ରେ ପଡ଼ିଯାଏ।
ପଣ୍ଡିତେ ତାକୁ ପ୍ରବଚନ ଦେବା ସୁଲଭ ଢଙ୍ଗରେ ବୁଝାନ୍ତି ଯେ ସବୁ କିଛି ମାୟାର ବନ୍ଧନ, ଅର୍ଥାତ୍ ଗାଈ ଖୋଜା ଭଳି ତୁଚ୍ଛ କାର୍ଯ୍ୟରେ ସମୟ ନଷ୍ଟ କରିବା ଅନୁଚିତ।
ଚାଷୀ ସବୁ କଥା ଅପଲକ ନୟନରେ ଶୁଣେ।
ଏବଂ କ୍ଷୁଦ୍ର ପ୍ରବଚନଟି ସରିବା ମାତ୍ରକେ ଗାଈ ଖୋଜିବା ଲାଗି ଉଦ୍ୟତ ଚାଷୀ ପଣ୍ଡିତଙ୍କ ଉଦ୍ଦେଶ୍ୟରେ କହିଦେଇ ଯାଏ, "ମହାପ୍ରୁ, ଆପଣଙ୍କ ବାଣୀ ତ ଅମୃତ ଭଳି, କିନ୍ତୁ ସେଥିରେ ପେଟ ପୋଷି ହେବ ନାହିଁ।
ପେଟ ପୋଷିବା ଲାଗି ଗାଈ ଖୋଜିବାକୁ ହେବ!
ସତ କହିଲେ, ଗବେଷଣା ବା ବୌଦ୍ଧିକ "ଗୋ ଏଷଣା"ରୁ ପ୍ରାପ୍ତ ପରିସଂଖ୍ୟାନ ଓ ତତ୍ତ୍ବ ଆଦି ହେଉଛି ଅର୍ଥଶାସ୍ତ୍ରୀମାନଙ୍କ କ୍ରୀଡ଼ାର ବ୍ୟାପାର, ଯାହା ପ୍ରକାର ଭେଦରେ ସରକାରଙ୍କୁ ମୁଗ୍ଧ ବା ରୁଷ୍ଟ କରିପାରେ।
କିନ୍ତୁ ତହିଁରେ ସାଧାରଣ ନାଗରିକର ଯାଏଆସେ ନ ଥାଏ।
ତା" ଲାଗି ଜରୁରି ହୋଇଥାଏ ତା"ର ବଞ୍ଚିବାର ସାଧନ ଗାଈଟିକୁ ଖୋଜିବା ଏବଂ ତାକୁ ପାଇବା।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।