Parking: ରାଜମହଲ ଫ୍ଲାଏଓଭର୍ ତଳେ ହେବ ପାର୍କିଂ ବ୍ୟବସ୍ଥା
ଭୁବନେଶ୍ୱର: ନୂଆ ରୂପ ପାଇବ ଜନପଥର ବ୍ୟସ୍ତବହୁଳ ରାଜମହଲ ଛକ ଫ୍ଲାଏଓଭର। ୫୬୨ ମିଟର ଲମ୍ୱର ଏହି ଫ୍ଲାଏଓଭର ତଳେ ଥିବା ଖାଲି ସ୍ଥାନକୁ ପାର୍କିଂ ଭାବେ ବିକାଶ କରାଯାଇ ଏଜି ଛକରୁ କଳ୍ପନା ଛକ ମଧ୍ୟରେ ଦେଉଥିବା ପାର୍କିଂ ସମସ୍ୟା ଦୂର କରାଯିବ। ଏଥିସହିତ ସାଧାରଣ ଲୋକ ବସିବା ପାଇଁ ଚେୟାର ପଡ଼ିବ। କେବଳ ସେତିକି ନୁହେଁ ଆକର୍ଷଣୀୟ ଆଳଙ୍କରିକ ବୃକ୍ଷ ମଧ୍ୟ ଲାଗିବ। ଏନେଇ ବିଡିଏ ପକ୍ଷରୁ ଅଗଷ୍ଟ ମାସରେ ୧.୫୩ କୋଟି ଟଙ୍କାର ଟେଣ୍ଡର ଡକାଯାଇଥିଲା। ଟେଣ୍ଡର ପ୍ରକ୍ରିୟାକରଣ ସରିଲା ପରେ ଖୁବ୍ଶୀଘ୍ର ଏହାର କାମ ଆରମ୍ଭ ହେବ ବୋଲି ନିର୍ବାହୀ ଯନ୍ତ୍ରୀ ହିମାଂଶୁ ଜେନା କହିଛନ୍ତି।
ପରିଚାଳନା ଅଭାବରୁ ସ୍ମାର୍ଟ ଜନପଥର ସବୁଠୁ ବିଚିତ୍ର ଛକ ପାଲଟିଛି ରାଜମହଲ ଛକ। ସଞ୍ଜ ନଇଁବା ମାତ୍ରେ ଫ୍ଲାଏଓଭର ତଳେ ଖାଲି ପଡ଼ିଥିବା କୋଠରିଗୁଡ଼ିକ ଓ ଖାଲି ସ୍ଥାନରେ ମଦୁଆଙ୍କ ଆସର ଜମୁଛି। ଫଳରେ ଅଧିକାଂଶ ସମୟରେ ଛୋଟବଡ଼ ଦୁର୍ଘଟଣା ମଧ୍ୟ ଘଟୁଛି। ପରିଚାଳନା ଅଭାବରୁ କେବଳ ନିଶା ସେବନ ନୁହେଁ ବରଂ ଏହା ଅସ୍ଥାୟୀ ଡମ୍ପିଂୟାର୍ଡ ଓ ଶୌଚାଳୟ ପାଲଟିଗଲାଣି। ଏପରିକି ଅଧିକାଂଶ ସମୟରେ ଫ୍ଲାଏଓଭର ତଳେ ଥିବା ଫାଟକ ଖୋଲା ରହୁଥିବାରୁ ବୁଲା ଜୀବଜନ୍ତୁଙ୍କଠାରୁ ଆରମ୍ଭ କରି ନିଶାଡ଼ିମାନେ ଫ୍ଲାଏଓଭର ତଳେ ରାଜୁତି କରୁଛନ୍ତି। ଲୋକେ ମନଇଚ୍ଛା ଗାଡ଼ି ପାର୍କିଂ ଓ ଶୌଚ କରୁଛନ୍ତି। ଏତେ ଦୁର୍ଗନ୍ଧ ହେଉଛି ଯେ ଫ୍ଲାଏଓଭର ତଳେ କିଛି ସମୟ ଠିଆ ହେବା ସମ୍ଭବପର ହେଉନାହିଁ। ଏହାକୁ ଦୃଷ୍ଟିରେ ରଖି ରାଜମହଲ ଛକ ଫ୍ଲାଏଓଭର ତଳ ଅଞ୍ଚଳର ବିକାଶ ପାଇଁ ନିଷ୍ପତ୍ତି ହୋଇଛି। ୨୦୦୯ ମସିହାରେ ରାଜମହଲ ଫ୍ଲାଏଓଭର ନିର୍ମାଣ ଯୋଜନା ହୋଇଥିଲା। ପ୍ରାୟ ୫୮କୋଟି ଟଙ୍କାରେ ନିର୍ମାଣ ହୋଇଥିବା ଏହି ଫ୍ଲାଏଓଭରକୁ ୨୦୧୨ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।