PM Surya Ghar Yojana: ପିଏମ୍ ସୂର୍ଯ୍ୟ ଘର ଆପଣାଇବାରେ ଓଡ଼ିଶା ମଡେଲ ରାଜ୍ୟ
ରୁଫଟପ୍ ସୋଲାର କ୍ଷେତ୍ରରେ ଓଡ଼ିଶାର ବଡ଼ ସଫଳତା। ଦେଶରେ ୧୩ତମ ସ୍ଥାନରୁ ଉଠି ୭ମ ସ୍ଥାନରେ ପହଞ୍ଚିଛି ଓଡ଼ିଶା। ପିଏମ୍ ସୂର୍ଯ୍ୟ ଘର ଯୋଜନାରେ ରାଜ୍ୟରେ ପ୍ରାୟ ୧ ଲକ୍ଷ ୭୪ ହଜାର ରୁଫଟପ୍ ସୋଲାର ସିଷ୍ଟମ୍ ସ୍ଥାପିତ ହୋଇଛି। ମୋଟ ୩ ଲକ୍ଷ ୧୨ ହଜାର ୫୨୭ଟି ଆବେଦନ ହୋଇଥିବା ବେଳେ, ସ୍ଥାପନ ହୋଇଛି ୧ ଲକ୍ଷ ୭୩ ହଜାର ୪୧୩ଟି ସିଷ୍ଟମ୍।
ସବସିଡି ସହ ଡିସକମ୍ଗୁଡ଼ିକର ସହଯୋଗ ଓ ଗ୍ରାମାଞ୍ଚଳରେ ସଚେତନତା ଯୋଗୁଁ ଘରେ ଘରେ ସୋଲାର ପ୍ୟାନେଲ୍ ପହଞ୍ଚୁଛି। ଯୋଗ୍ୟ ଉପଭୋକ୍ତାଙ୍କୁ ୩ କିଲୋୱାଟ୍ ସୋଲାର ସିଷ୍ଟମ୍ ପାଇଁ କେନ୍ଦ୍ର ଓ ରାଜ୍ୟ ସହାୟତା ମିଶି ୧ ଲକ୍ଷ ୩୮ ହଜାର ଟଙ୍କା ପର୍ଯ୍ୟନ୍ତ ମିଳିପାରିବ। ୨୦୨୭ ସୁଦ୍ଧା ୩ ଲକ୍ଷ ସ୍ଥାପନର ଲକ୍ଷ୍ୟ ରଖିଛି ରାଜ୍ୟ।
ବାଲେଶ୍ୱରରେ ସର୍ବାଧିକ ୧୬,୦୬୯, ଗଞ୍ଜାମରେ ୧୫,୩୦୧, ଖୋର୍ଦ୍ଧାରେ ୧୪,୨୩୬ ଓ କଟକରେ ୧୩,୩୪୩ଟି ସ୍ଥାପନ ହୋଇଛି। ମୋଟ ୪୧୦ ମେଗାୱାଟ୍ପିକ୍ କ୍ଷମତା ସହ ଓଡ଼ିଶା ଏବେ ଘରେ ଘରେ ସ୍ୱଚ୍ଛ ଶକ୍ତି ପହଞ୍ଚାଇବାର ନୂଆ ମଡେଲ୍ ଭାବେ ଉଭା ହେଉଛି। ଏଥିରେ ଚାରି ଡିସକମ୍ ମିଶି ୧ ଲକ୍ଷ ୭୩ ହଜାର ୪୧୩ଟି ସୋଲାର ସ୍ଥାପନାରେ ସହଯୋଗ କରିଛନ୍ତି। ‘ମୋ ଛାତ, ମୋ ସଞ୍ଚୟ’, ‘ସୋଲାର ରଥ’ ଓ ‘ସୋଲାର ଦିଦି’ ଭଳି ପଦକ୍ଷେପ ମଧ୍ୟ ଲୋକଙ୍କୁ ସୋଲାର ଆପଣାଇବାରେ ସହାୟକ ହେଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।