03 SEPTEMBER 2026

Welcome!

Unlock your personalized experience.
Sign Up

Police: ଅପବାଦରୁ ମୁକୁଳି ପାରୁନି ବୌଦ୍ଧ ପୁଲିସ: ଗଞ୍ଜେଇ ଡିଲ୍‌ର ଅଡିଓ ଭାଇରାଲ୍‌

Aug 23, 2026 - 03:08
Police: ଅପବାଦରୁ ମୁକୁଳି ପାରୁନି ବୌଦ୍ଧ ପୁଲିସ: ଗଞ୍ଜେଇ ଡିଲ୍‌ର ଅଡିଓ ଭାଇରାଲ୍‌

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ବେଆଇନ ଗଞ୍ଜେଇ କାରବାରକୁ ନେଇ ଏକ ଅଡିଓ କ୍ଲିପ୍ ଭାଇରଲ୍‌ ହେବା ପରେ ପୁଲିସ ବିଭାଗରେ ଆଲୋଡ଼ନ ସୃଷ୍ଟି ହୋଇଛି। ପୁଲିସ ପାଟ୍ରୋଲିଂ ବେଳେ ଧରାପଡ଼ିଥିବା ଗଞ୍ଜେଇ ଗାଡ଼ି, ଟଙ୍କା କାରବାର ଏବଂ ବିଭାଗୀୟ ଅଧିକାରୀଙ୍କ ସଂପୃକ୍ତିକୁ ନେଇ ଭାଇରଲ୍‌ ଅଡିଓରେ ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି। ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲା ଜଗନ୍ନାଥ ରୋଡ୍‌ର ହରଭଙ୍ଗା ବ୍ଲକର ହାଟଗାଁ ନିକଟରେ ପୁଲିସ ପେଟ୍ରୋଲିଂ କରୁଥିଲା। ଗୋଟିଏ ଗାଡ଼ି ସହ ପ୍ରାୟ ୧ କ୍ବିଣ୍ଟାଲ ୨୦ କିଲୋଗ୍ରାମ ଗଞ୍ଜେଇ ଏବଂ ୨ ଜଣ ବ୍ୟକ୍ତି ଧରାପଡ଼ିଥିଲେ। ଭାଇରଲ୍‌ ହୋଇଥିବା ଅଡିଓରେ ପ୍ରାୟ ୪ ଜଣ ବ୍ୟକ୍ତି କଥା ହେଉଥିବାବେଳେ ଗଞ୍ଜେଇ କେଉଁ ଅଫିସର ଦେଇଛନ୍ତି ଏବଂ ‘ସାହେବ’ କେତେ ଟଙ୍କା ନେବେ, ସେ ନେଇ ଆଲୋଚନା ଚାଲିଛି। ଅଡିଓରେ ୪ ଲକ୍ଷ ଟଙ୍କାର କାରବାର, ଟେପ୍ ମରା ପ୍ୟାକିଂ ଗଞ୍ଜେଇ ଏବଂ ୪ ଦିନ ତଳେ ଗଞ୍ଜେଇ ଛାଡ଼ିବା ପ୍ରସଙ୍ଗରେ ବାରମ୍ବାର ‘ସାର୍’ ଓ ‘ସାହେବ’ଙ୍କ ନାଁ ନିଆଯାଉଛି। 

Ganja Seized ମାଲକାନଗିରିରୁ ୩୦୮ କିଲୋ ଗଞ୍ଜେଇ ଜବତ, ରାଜସ୍ଥାନର ୨ ଚାଲାଣକାରୀ ଗିରଫ

ଏହି କଥାବାର୍ତ୍ତା ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ହୋଇଥିବା ଅନୁମାନ କରାଯାଉଛି। ପୂର୍ବରୁ ମଧ୍ୟ ବୌଦ୍ଧ ପୁଲିସର ଗଞ୍ଜେଇ ମାଫିଆଙ୍କ ସହ ଲିଙ୍କ୍‌କୁ ନେଇ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଥିଲା। କିଛିଦିନ ତଳେ ଗଞ୍ଜେଇ ମାଫିଆଙ୍କ ସହ ସମ୍ପୃକ୍ତି ଅଭିଯୋଗରେ ପୂର୍ବତନ ମନମୁଣ୍ଡା ଥାନା ଅଧିକାରୀ ତଥା ଇନ୍ସପେକ୍ଟରଙ୍କୁ ଡିଜିପି ନିଲମ୍ବିତ କରିଥିଲେ। ଏବେ ପୁଣି ଏକ ନୂଆ ଅଡିଓ ଭାଇରଲ୍‌ ହେବା ପରେ ବିଭାଗୀୟ ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଅଡିଓର ସତ୍ୟାସତ୍ୟ ପୁଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ପ୍ରକୃତରେ ଏହି ଅଡିଓ ରେକର୍ଡ କାହାର ଓ କଥା ହେଉଥିବା ବ୍ୟକ୍ତିମାନେ କିଏ? ପାଟ୍ରୋଲିଂ ଗାଡ଼ିରେ ଥିବା ପୁଲିସ କର୍ମଚାରୀଙ୍କୁ ଚିହ୍ନଟ କରି ପଚରାଉଚରା କଲେ ହିଁ ପ୍ରକୃତ ଘଟଣାର ପର୍ଦାଫାସ ହୋଇପାରିବ। ଘଟଣାର ନିରପେକ୍ଷ ତଦନ୍ତ କରି ଅଡିଓରେ ଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି। ସେପଟେ ଅଡିଓ ଭାଇରଲ୍‌କୁ ନେଇ ବୌଦ୍ଧ ଏସ୍‌ପି କୁଲଦୀପ ମିନା ଅବଗତ ଥିବା କହିଛନ୍ତି। ଅନ୍ୟପଟେ ଯଦି ଗଞ୍ଜେଇ ଲିଙ୍କ୍‌ରେ କୌଣସି ପୁଲିସ କର୍ମଚାରୀଙ୍କ ଲିଙ୍କ୍‌ ଆସିଲେ କ’ଣ ପଦକ୍ଷେପ ନିଆଯିବ ପ୍ରଶ୍ନର ଉତ୍ତର ରଖି ସେ କହିଛନ୍ତି ଯେ, ଯଦି ସେଭଳି କିଛି ଅଭିଯୋଗ ସାମ୍ନାକୁ ଆସେ, ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Ganja seized: ଜଙ୍ଗଲରୁ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।