Protest: ବାରିକେଡ୍ ଉପରକୁ ଚଢ଼ିଗଲେ ରାହୁଲ ଗାନ୍ଧୀ, ଅଭିଷେକ ବାନାର୍ଜୀ
"ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର(ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ସଂସଦ ମାର୍ଗରୁ ନିର୍ବାଚନ କମିସନ ମୁଖ୍ୟ କାର୍ଯ୍ୟାଳୟ ଅଭିମୁଖେ ବାହାରିଥିବା "ଇଣ୍ଡିଆ" ମେଣ୍ଟର ପ୍ରତିବାଦ ପଦଯାତ୍ରା ସମୟରେ ମଙ୍ଗଳବାର ରାଜଧାନୀରେ ହାଇଡ୍ରାମା ଦେଖିବାକୁ ମିଳିଛି।
କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ଦୀପେନ୍ଦ୍ର ହୁଦା ପୁଲିସ ଅବରୋଧ ଏଡ଼ାଇ ସିଧାସଳଖ ଆକାଶବାଣୀ ଭବନ ପରିସର ମଧ୍ୟରେ ପ୍ରବେଶ କରିଛନ୍ତି।
ସୁରକ୍ଷା କର୍ମୀମାନେ ନୀତି ଆୟୋଗ କାର୍ଯ୍ୟାଳୟ ନିକଟରେ ସାଂସଦମାନଙ୍କୁ ଅଟକାଇବା ପରେ ସେମାନେ ରାସ୍ତା ଉପରେ ଧାରଣାରେ ବସି ରହିଥିଲେ।
ଏହି ସମୟରେ ରାହୁଲ ଗାନ୍ଧୀ ଏବଂ ଟିଏମ୍ସି ନେତା ଅଭିଷେକ ବାନାର୍ଜୀ ପୁଲିସ ବାରିକେଡ୍ ଉପରକୁ ଚଢ଼ିଯାଇଥିଲେ।Advertisment ପ୍ରତିବାଦ ସମୟରେ ପୁଲିସ ପ୍ରିୟଙ୍କା ଗାନ୍ଧୀଙ୍କୁ ଅଟକ ରଖି ଏକ ବସ୍ରେ ନିଆଯାଉଥିବା ବେଳେ ସେ ତୁରନ୍ତ ବସରୁ ଓହ୍ଲାଇ ନିଜ ଭାଇଙ୍କ ସହ ଆକାଶବାଣୀ ଭବନର ରିସେପ୍ସନ ଗେଟ୍ ଦେଇ ଭିତରକୁ ପଶିଯାଇଥିଲେ ଏବଂ ଏକ ଗଛ ମୂଳେ ବସି ରହିଥିଲେ।
ଅପରପକ୍ଷରେ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ତୃଣମୂଳ କଂଗ୍ରେସ ନେତା ଡେରେକ୍ ଓ"ବ୍ରାଏନ୍, ଅଭିଷେକ ବାନାର୍ଜୀ ଏବଂ ଅନ୍ୟାନ୍ୟ ପ୍ରମୁଖ ବିରୋଧୀ ନେତାମାନଙ୍କୁ ପୁଲିସ ଅଟକ ରଖି ଏକ ବସ୍ରେ ଅନ୍ୟତ୍ର ନେଇଥିଲା।
ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଡିସିପି ସଚିନ ଶର୍ମା ଏକ ବିଶାଳ ପୁଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ପ୍ରଦର୍ଶନକାରୀଙ୍କୁ ହଟାଇବାକୁ ଚେଷ୍ଟା କରିଥିଲେ।
ଇଣ୍ଡି ମେଣ୍ଟର କିଛି ସାଂସଦ ଜ୍ଞାନେଶ କୁମାରଙ୍କ କଟ୍-ଆଉଟ୍ ଧରି "ଭୋଟ୍ ଚୋର, ଗାଦି ଛାଡ଼" ଭଳି ସ୍ଲୋଗାନ ଦେଇଥିଲେ।
Rahul Gandhi: ଜ୍ଞାନେଶ କୁମାର ଫର୍ମ୬ ବେଆଇନ ଭାବେ ବଦଳାଇଛନ୍ତି: ରାହୁଲ ଗାନ୍ଧୀ ରାହୁଲ ଗାନ୍ଧୀ ସୋସିଆଲ ମିଡିଆ ପ୍ଲାଟଫର୍ମ "ଏକ୍ସ"ରେ ଏକ ପୋଷ୍ଟ କରି ଲେଖିଛନ୍ତି, "ଜ୍ଞାନେଶ ତୁମର କାମ ଶେଷ, ଏବେ ଇସ୍ତଫା ଦେବାର ସମୟ ଆସିଛି।" କଂଗ୍ରେସ ସାଂସଦ ଇମ୍ରାନ ମସୁଦ ଏବଂ ସିପିଆଇ ସାଂସଦ ପି.
ସନ୍ଦୋଶ କୁମାର ଅଭିଯୋଗ କରିଛନ୍ତି ଯେ, ସିଇସି ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ଇସାରାରେ ସମ୍ବିଧାନ ସହ ବିଶ୍ୱାସଘାତକତା କରିଛନ୍ତି।
ସେମାନେ ନିର୍ବାଚନ କମିସନଙ୍କୁ "ଚିଟିଂ ଇଲେକ୍ସନ କମିସନର" ବୋଲି ଆଖ୍ୟା ଦେଇଛନ୍ତି।
ଶିବସେନା (ୟୁବିଟି) ସାଂସଦ ସଂଜୟ ରାଉତ ମଧ୍ୟ ସାଂସଦମାନଙ୍କୁ ଅଟକାଇବା ପାଇଁ ବିଏସ୍ଏଫ୍ ଏବଂ ସିଆଇଏସ୍ଏଫ୍ ଭଳି ବାହିନୀ ମୁତୟନ କରାଯିବା ଉପରେ କଡ଼ା ପ୍ରଶ୍ନ ଉଠାଇଛନ୍ତି।
ନିର୍ବାଚନ କମିସନ ବିରୋଧରେ ବିରୋଧୀ ଦଳଗୁଡ଼ିକ ଆଗାମୀ ଦିନରେ ନିଜର ଆନ୍ଦୋଳନକୁ ଆହୁରି ଉଗ୍ର କରିବେ ବୋଲି ଆଜି ସ୍ପଷ୍ଟ ସଙ୍କେତ ଦେଇଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।