Protest: ଦିଲ୍ଲୀରେ ଆନ୍ଦୋଳନ ଜାରି; ୫୭ ମେଟ୍ରୋ ଷ୍ଟେସନ୍ ବନ୍ଦ, ୭୫ ଟ୍ରେନ୍ ବାତିଲ
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀରେ କକ୍ରୋଚ୍ ଜନତା ପାର୍ଟି (ସିଜେପି)ର ଆନ୍ଦୋଳନ ଜାରି ରହିଛି। ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାର ଏବଂ ଏସ୍ଆଇଆର ବିରୋଧରେ ସିଜପେିର ପ୍ରଦର୍ଶନକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଦିଆଯାଇଛି। ଏହାରି ମଧ୍ୟରେ ୫୭ଟି ମେଟ୍ରୋ ଷ୍ଟେସନର ପ୍ରବେଶ ଏବଂ ପ୍ରସ୍ଥାନ ପଥକୁ ବନ୍ଦ କରିଦିଆଯାଇଛି।
ସେହିପରି ୭୫ଟି ଟ୍ରେନ୍କୁ ବାତିଲ କରାଯାଇଛି। ଅନେକ ରାସ୍ତାରେ ବେରିକେଡ ବ୍ୟବସ୍ଥା ଥିବା ବେଳେ ଯାତାୟତର ସୁପରିଚାଳନା ପାଇଁ ବ୍ୟାପକ ଟ୍ରାଫିକ ପୁଲିସ ମୁତୟନ କରାଯାଇଛି। ପୁଲିସ ସମ୍ବେଦନଶୀଳ ଅଞ୍ଚଳରେ ୩୦୦ରୁ ଅଧିକ ସିସିଟିଭି କ୍ୟାମେରା ଖଞ୍ଜିଛି। ୨୦ଟି ଜୋନ୍ ଉପରେ ସ୍ବତନ୍ତ୍ର ନଜର ରଖିଛି। ଅନେକ ସ୍କୁଲରେ ଅନ୍ଲାଇନ୍ ପାଠପଢ଼ା ହୋଇଛି। କିଛି ସ୍କୁଲର ପରୀକ୍ଷା ମଧ୍ୟ ବାତିଲ କରିଦିଆଯାଇଛି। ପ୍ରଦର୍ଶନ ସମୟରେ ଯେପରି କୌଣସି ଅଭାବନୀୟ ଘଟଣା ନଘଟିବ, ସେଥି ପ୍ରତି ପୁଲିସ ସତର୍କତା ଅବଲମ୍ବନ କରିଛି।
କ’ଣ କହିଥିଲେ ସୁପ୍ରିମକୋର୍ଟ
ଆଜି ହେବାକୁ ଥିବା କକ୍ରୋଚ୍ ଜନତା ପାର୍ଟି (ସିଜେପି)ର ଆନ୍ଦୋଳନ ପୂର୍ବରୁ ରାଜଧାନୀରେ ଲାଗୁ ହୋଇଥିବା ଅଭାବନୀୟ କଟକଣାକୁ ନେଇ ଆଜି ସୁପ୍ରିମ୍କୋର୍ଟ ସରକାରଙ୍କୁ ପ୍ରଶ୍ନ କରିବା ସହ ଏହା ଗ୍ରହଣୀୟ ନୁହେଁ ବୋଲି ଶୁକ୍ରବାର କହିଛନ୍ତି। ସାଧାରଣ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଦିଲ୍ଲୀ ମେଟ୍ରୋ ଏବଂ ଟ୍ରେନ ଚଳାଚଳ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇପାରିବ ନାହିଁ ବୋଲି ଶୁକ୍ରବାର ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି। ଗୋଟିଏ ମାଛି ମାରିବା ପାଇଁ ଆପଣ ହାତୁଡ଼ି ବ୍ୟବହାର କରିପାରିବେ ନାହିଁ ବୋଲି ଅଦାଲତ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ସହରର ସବୁ ପ୍ରାନ୍ତରୁ ଲୋକେ ଯାତ୍ରା କରୁଥିବାରୁ ସବୁ କିଛି ବନ୍ଦ କରାଯାଇପାରିବ ନାହିଁ ବୋଲି ଦର୍ଶାଇ କୋର୍ଟ ଏହି କଟକଣା ଉପରେ ପୁନର୍ବିଚାର କରିବାକୁ କହିଛନ୍ତି।
ସୁପ୍ରିମକୋର୍ଟଙ୍କ ଗୁରୁତ୍ବାରୋପ
ସାଧାରଣ ଜନତାଙ୍କର ସରକାରୀ ସେବା ପାଇବାର ଅଧିକାର ରହିଛି ବୋଲି ସୁପ୍ରିମକୋର୍ଟ ଗୁରୁତ୍ୱାରୋପ କରିଛନ୍ତି। ଯୁବକଙ୍କ ଠାରୁ ଆରମ୍ଭ କରି ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତେ ଏଥିରେ ଯାତ୍ରା କରନ୍ତି ଏବଂ ଯାତ୍ରୀମାନଙ୍କର ମୌଳିକ ସୁବିଧା ପାଇବାର ଅଧିକାର ଅଛି ବୋଲି କୋର୍ଟ କେନ୍ଦ୍ର ସରକାରଙ୍କ ଓକିଲଙ୍କୁ ଜଣାଇଛନ୍ତି। ଏହାସହ ବନ୍ଦ ଥିବା ମେଟ୍ରୋ ଷ୍ଟେସନ ସଂଖ୍ୟା ହ୍ରାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କଟକଣା ଲଗାଇବା ଏବଂ ସମ୍ପୂର୍ଣ୍ଣ ବନ୍ଦ କରିବା ମଧ୍ୟରେ ଫରକ ରହିଛି ବୋଲି ଅଦାଲତ କହିଛନ୍ତି। ସିପିଆଇଏମ୍ ସାଧାରଣ ସମ୍ପାଦକ ଏମ୍ଏ ବେବିଙ୍କ ଦ୍ୱାରା ଦାୟର ହୋଇଥିବା ଆବେଦନ ଉପରେ ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ତଥା ସାଂସଦ କପିଲ ସିବଲ କୋର୍ଟଙ୍କୁ କହିଥିଲେ ଯେ ସବୁ ଟ୍ରେନ ବାତିଲ ହେବା ସହ ମେଟ୍ରୋ ଷ୍ଟେସନ ବନ୍ଦ ରହିଛି, ଯାହାଦ୍ୱାରା କେହି କୁଆଡ଼େ ଯାଇପାରୁ ନାହାନ୍ତି।
Supreme Court: ସିଜେପି ଆନ୍ଦୋଳନ ପାଇଁ ଦିଲ୍ଲୀ ମେଟ୍ରୋ ସମ୍ପୂର୍ଣ୍ଣ ବନ୍ଦକୁ ପ୍ରତ୍ୟାଖ୍ୟାନ କଲେ ସୁପ୍ରିମକୋର୍ଟ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।