Rakhi Festival Sweet Sales Decline: ରାକ୍ଷୀ ପୂର୍ଣ୍ଣିମାରେ ମିଠା ବେପାର ମାନ୍ଦା, ବ୍ୟବସାୟୀଙ୍କ ଚିନ୍ତା ବଢ଼ିଲା

Aug 27, 2026 - 20:39
Rakhi Festival Sweet Sales Decline: ରାକ୍ଷୀ ପୂର୍ଣ୍ଣିମାରେ ମିଠା ବେପାର ମାନ୍ଦା, ବ୍ୟବସାୟୀଙ୍କ ଚିନ୍ତା ବଢ଼ିଲା

ରାକ୍ଷୀ ପୂର୍ଣ୍ଣିମାରେ ମାନ୍ଦା ହେଲା ମିଠା ବେପାର। ଭେଜାଲ ପନିର ଓ ଛେନା ଉପରେ ଘନ ଘନ ରେଡ୍ ପରେ  ଆକାଶଛୁଆଁ ମିଠା ଦର। ତେଣୁ ଅନେକ, ଛେନା ମିଠା ଛାଡି ଡ୍ରାଏଫ୍ରୁଟ୍ ମୁହାଁ। ସେପଟେ ରାଜଧାନୀର ବିଭିନ୍ନ ସ୍ଥାନରେ ରାକ୍ଷୀପୂର୍ଣ୍ଣିମାରେ ବିଭିନ୍ନ ମିଠା ଦୋକାନରେ ହୋଇଛି ମାରାଥନ୍ ରେଡ଼। ମିଠାରେ ଛେନା ଅପମିଶ୍ରଣ ନେଇ ଯାଞ୍ଚ କରିଛି ସ୍ପେଶାଲ ଟିମ। ଖାଦ୍ୟ ସୁରକ୍ଷା ବିଭାଗର ଘନ ଘନ ରେଡ୍ ଓ ଅନେକ ସ୍ଥାନରୁ ଭେଜାଲ୍ ଛେନା ଧରା ପଡ଼ିବାପରେ ଛେନା ମିଠା ଉପରୁ ତୁଟି ଯାଇଛି ଖାଉଟିଙ୍କ ଭରସା। ପକେଟ୍ କୁ ବାଧୁ ପଛେ ଭଲ ମିଠା ଟିକେ ପାଇବା ପାଇଁ ରାଜଧାନୀର ଗ୍ରାହକ ଏବେ ବ୍ରାଣ୍ଡେଡ୍ ସ୍ବିଟ୍ ଷ୍ଟଲ୍ ମୁହାଁ। ଆଉ କିଛି ମିଠା ଆଡ଼େ ନ ଅନାଇ, ଏହାର ବିକଳ୍ପ ଭାବେ ଡ୍ରାଏ ଫ୍ରୁଟ୍ସ ପସନ୍ଦ କରୁଛନ୍ତି।  ଭାଇ ଓ ପରିବାର ଆଗରେ ଟଙ୍କା ନୁହଁ ସ୍ୱାସ୍ଥ୍ୟ ବଡ଼ ବୋଲି କହିଛନ୍ତି ଗ୍ରାହକ। ସେପଟେ ରେଡ୍ ପରେ ମିଠା କାରବାର ପ୍ରାୟ ୧୦ ପ୍ରତିଶତ କମିଥିବା କହିଛନ୍ତି ବ୍ୟବସାୟୀ। 

ଗୋଟିଏ ପଟେ ଅପମିଶ୍ରିତ ଛେନା, ଅନ୍ୟପଟେ ଗ୍ରାହକଙ୍କ ଅବିଶ୍ବାସ। ଏଭଳି ସ୍ଥିତିରେବାଧ୍ୟ ହୋଇ କିଛି ମିଠା ଦୋକାନୀ ନିଜେ କ୍ଷୀରରୁ ଛେନା ମାରି ମିଠା ପ୍ରସ୍ତୁତ କରୁଛନ୍ତି। ତେବେ ମିଠା ବ୍ୟବସାୟୀଙ୍କୁ ବାଧୁଛି ଚିନି ଦର। ରେଟ୍ ପାଖାପାଖି ଡବଲ୍ ହେବା ପରେ କେମିତି କଣ ବେପାର ଚଳାଇବେ ସେହି ଚିନ୍ତା ଘାରିଛି। ଆଉ କିଛି ସ୍ଥାନରେ ବ୍ୟବସାୟୀ ମିଠା ସାଇଜ୍ ଛୋଟ କରି କାମ ଚଳାଉଛନ୍ତି। 

ସେପଟେ ବିଏମ୍ସି ଫୁଡ୍ ସେଫ୍ଟି ଟିମ୍ ପକ୍ଷରୁ ଭୁବନେଶ୍ବରରେ ଯେଉଁ ମାରାଥନ୍ ରେଡ୍ ଚାଲିଛି, ସେହି କ୍ରମରେ ଆଜି ଜାଗମରା ରୋଡ୍ ଓ ସୂର୍ଯ୍ୟ ନଗରରେ ଥିବା କିଛି ମିଠା ଦୋକାନ ଉପରେ  ଚଢ଼ାଉ କରାଯାଇଛି। କେଉଁଠି ଅପମିଶ୍ରିତ ଛେନା ଜବତ ହୋଇଥିଲା ତ ଆଉ କେଉଁଠି ଅସ୍ବାସ୍ଥ୍ୟକର ପରିବେଶରେ ମିଠା ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳିଥିଲା। ଦୋକାନୀଙ୍କୁ ଫାଇନ୍ ପକାଇବା ସହ ଅପମିଶ୍ରିତ ଛେନା ନଷ୍ଟ କରିଛନ୍ତି ଅଧିକାରୀ। ତେଣେ ଅଲ୍ ଓଡ଼ିଶା ଗୋପାଳ ସମାଜ ଆଜି ସାମ୍ନାକୁ ଆସି ଯେଉଁମାନେ ପାଉଡର୍ ରୁ ଛେନା ପ୍ରସ୍ତୁତ କରି ଗୋପାଳକଙ୍କୁ ବଦନାମ କରୁଛନ୍ତି ସେମାନଙ୍କ ବିରୋଧରେ ଆକ୍ସନ ନିଆଯାଉ ବୋଲି ଦାବି କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।