Rayagada Success Story: ୬୮ ବର୍ଷରେ ସଫଳ ଛେଳି ଚାଷୀ; ୩୦୦ ଛେଳିରୁ ବର୍ଷକୁ ଲକ୍ଷାଧିକ ଆୟ

Oct 02, 2026 - 18:27
Rayagada Success Story: ୬୮ ବର୍ଷରେ ସଫଳ ଛେଳି ଚାଷୀ; ୩୦୦ ଛେଳିରୁ ବର୍ଷକୁ ଲକ୍ଷାଧିକ ଆୟ

ଛେଳି… ଆଉ ଛେଳି। ଯେଉଁଆଡ଼େ ଚାହିଁବେ, ସେଇଠି ଛେଳି। ସବୁଜ ବନାନୀ ମଝିରେ ପ୍ରାୟ ୩୦୦ ଛେଳିଙ୍କୁ ନେଇ ଗଢ଼ିଉଠିଛି ଏକ ସଫଳ ଫାର୍ମ। ଏହାର ମାଲିକ ହେଲେ ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ କୁଟ୍ରାଗଡ଼ ଗାଁର ୬୮ ବର୍ଷୀୟ ଶ୍ରୀପତି ଗଣ୍ଡନାୟକ। କେବେ ମାତ୍ର କିଛି ଛେଳିରୁ ଆରମ୍ଭ ହୋଇଥିବା ତାଙ୍କ ଉଦ୍ୟମ ଆଜି ଏକ ସଫଳ ଛେଳିପାଳନ ବ୍ୟବସାୟରେ ପରିଣତ ହୋଇଛି। ସମସ୍ତ ଖର୍ଚ୍ଚ ବାଦ୍ ଦେଲେ ବର୍ଷକୁ ପ୍ରାୟ ୫ରୁ ୭ ଲକ୍ଷ ଟଙ୍କା ଲାଭ ମିଳୁଥିବା କହିଛନ୍ତି ଶ୍ରୀପତି।

ଗଛ ଓ ପୋଟଳ ଚାଷରୁ ଛେଳିପାଳନ

ଶ୍ରୀପତି ପ୍ରଥମେ ଗଛ ଲଗାଇବା ସହ ପୋଟଳ ଚାଷ ଆରମ୍ଭ କରିଥିଲେ। ପରେ ପ୍ରାୟ ୫୦ ଏକର ଜମିର ଦେଖାଶୁଣା କରିବା ସହ ମାତ୍ର କିଛି ଛେଳି ପାଳିଥିଲେ। ଧୀରେ ଧୀରେ ସେହି ଛେଳିପାଳନ ହିଁ ତାଙ୍କ ପାଇଁ ଆୟର ବଡ଼ ମାଧ୍ୟମ ପାଲଟିଲା। ବର୍ତ୍ତମାନ ତାଙ୍କ ଫାର୍ମରେ ‘ବ୍ଲାକ୍ ବେଙ୍ଗଲ୍’, ‘ବର୍ବରୀ’ ସହ ବିଭିନ୍ନ କ୍ରସ୍ ବ୍ରିଡ୍‌ର ପ୍ରାୟ ୩୦୦ ଛେଳି ରହିଛନ୍ତି।

ବର୍ଷକରେ ୨୫ କିଲୋ ହେଉଛି କ୍ରସ୍ ବ୍ରିଡ୍ ଛେଳି

ସାଧାରଣ ଦେଶୀ ଛେଳିର ଓଜନ ପ୍ରାୟ ୧୫ରୁ ୧୭ କିଲୋ ମଧ୍ୟରେ ରହୁଥିବା ବେଳେ, ଶ୍ରୀପତିଙ୍କ ଫାର୍ମର କ୍ରସ୍ ବ୍ରିଡ୍ ଛେଳି ବର୍ଷକରେ ପ୍ରାୟ ୨୫ କିଲୋ ଓଜନର ହେଉଛନ୍ତି। ଏହି କାରଣରୁ ବଜାରରେ ଭଲ ଦାମ ମିଳିବା ସହ ଲାଭ ମଧ୍ୟ ବଢ଼ୁଛି। ଛେଳିଙ୍କ ଖାଦ୍ୟ ପାଇଁ ନେପିୟର ଘାସ ଓ ମଲବେରୀ ଚାଷ କରିଛନ୍ତି ଶ୍ରୀପତି। ଘାସ କାଟିବା ପାଇଁ ସିଙ୍ଗଲ୍ ଫେଜ୍ ମେସିନ୍ ମଧ୍ୟ ବ୍ୟବହାର କରୁଛନ୍ତି। ଏହା ସହ ନିୟମିତ ଔଷଧ, ଟିକାକରଣ ଓ ଅନ୍ୟାନ୍ୟ ଯତ୍ନ ନିଆଯାଉଛି।

୭ ଜଣଙ୍କୁ ଦେଇଛନ୍ତି ନିୟମିତ କାମ

କେବଳ ଛେଳିପାଳନ ନୁହେଁ, ବାଉଁଶ ଓ ଶାଗୁଆନ ଚାଷରୁ ମଧ୍ୟ ଶ୍ରୀପତି ଆୟ କରୁଛନ୍ତି। ତାଙ୍କ ଫାର୍ମ ଓ ଚାଷ କାମରେ ବର୍ତ୍ତମାନ ୭ ଜଣ ଶ୍ରମିକ ନିୟମିତ ଭାବେ କାମ କରୁଛନ୍ତି। ବୟସ ୬୮ ହେଲେ ମଧ୍ୟ ଶ୍ରୀପତିଙ୍କ ଉତ୍ସାହ କମିନାହିଁ। ଯୋଜନାବଦ୍ଧ ଚାଷ, ବୈଜ୍ଞାନିକ ଛେଳିପାଳନ ଓ ନିୟମିତ ଯତ୍ନ ମାଧ୍ୟମରେ ସେ ନିଜ ପାଇଁ ରୋଜଗାର ସୃଷ୍ଟି କରିବା ସହ ଅନ୍ୟମାନଙ୍କୁ ମଧ୍ୟ କାମ ଦେଇଛନ୍ତି।

ଗାଁରେ ରହି ନିଜ ଉଦ୍ୟମରେ କିପରି ଲକ୍ଷାଧିକ ଟଙ୍କାର ରୋଜଗାର କରାଯାଇପାରେ, ଶ୍ରୀପତିଙ୍କ ସଫଳତା ତାହାର ଏକ ଉଦାହରଣ ପାଲଟିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।