Red Alert Issued for Three Districts: ଲଗାଣ ବର୍ଷାରେ ବେହାଲ ଦକ୍ଷିଣ ଓଡ଼ିଶା, ବଢ଼ୁଛି ନଦୀର ଜଳସ୍ତର

Sep 24, 2026 - 20:39
Red Alert Issued for Three Districts: ଲଗାଣ ବର୍ଷାରେ ବେହାଲ ଦକ୍ଷିଣ ଓଡ଼ିଶା, ବଢ଼ୁଛି ନଦୀର ଜଳସ୍ତର

ଉଡ଼େଇଲା, ବୁଡ଼େଇଲା, ଭାଙ୍ଗିଲା, ଉଜାଡ଼ିଲା। ଦକ୍ଷିଣ ଓଡ଼ିଶାରେ ଛାଡ଼ିଗଲା ବ୍ୟାପକ କ୍ଷୟକ୍ଷତିର ଛାପ। ବଙ୍ଗୋପସାଗରର ଗଭୀର ଅବପାତ ବୁଧବାର ରାତିରେ ଲ୍ୟାଣ୍ଡ୍ ଫଲ୍ କରିବା ଭିତରେ ଦେଖାଇଛି ଭୀଷଣ କୋପ। ମାଲକାନଗିରି ଜିଲ୍ଲାରେ ଗଲା ଦୁଇ ଦିନ ବର୍ଷା ପରେ ଏବେ ବିଭିନ୍ନ ଅଞ୍ଚଳରେ ଜଳ ପ୍ରଳୟ ସ୍ଥିତି। ୩୨୬ ନମ୍ବର ଜାତୀୟ ରାଜପଥର କାଙ୍କରକୋଣ୍ଡା ପୋଲ ଉପରେ ପ୍ରାୟ ୩ ଫୁଟର ପାଣି। ସେପଟେ କାଲିମେଳା-ପଡ଼ିଆ ରାସ୍ତାର କନ୍ୟାଶ୍ରମ ପୋଲ ବୁଡ଼ି ପାଣି ଚାଲୁଛି। ଫଳରେ ୩୨୬ ନମ୍ବର ଜାତୀୟ ରାଜପଥରେ ଯାତାୟାତ ସଂପୂର୍ଣ୍ଣ ବନ୍ଦ। ସେହିଭଳି ଚିତ୍ରକୋଣ୍ଡା ବ୍ଳକ୍ ରାଲେଗାଡ଼ା ପଞ୍ଚାୟତର ସ୍ବାଭିମାନ ଅଞ୍ଚଳରେ ଥିବା ପୁରୁଣା ଟେକ୍ ପଦରକୁ ରାସ୍ତାରେ ଏକ ବ୍ରିଜ୍ ଭାଙ୍ଗିଯିବା ସହ ପୋଲ ଉପରେ ପ୍ରବାହିତ ହେଉଛି ବର୍ଷା ଜଳ। ଫଳରେ ରାଲେଗାଡ଼ା ପଞ୍ଚାୟତ ଅଧୀନରେ ଥିବା କିଛି ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଛନ୍ତି। ପାଙ୍ଗାମ ଓ ପଟେରୁ ସମେତ ବିଭିନ୍ନ ପୋଲ ନିକଟରେ ଜଳସ୍ତର ନିକଟତର ହେଉଥିବାରୁ ଆଜି ବର୍ଷା ଲାଗି ରହିଲେ ଆଗକୁ ଅନେକ ଅଞ୍ଚଳ ଜଳବନ୍ଦୀ ହେବାର ଆଶଙ୍କା ବଢିଛି।

ଏପଟେ ଗଭୀର ଅବପାତ ପ୍ରଭାବରେ ଲଗାଣ ବର୍ଷା ପାଇଁ ବେହାଲ ହୋଇଛି କୋରାପୁଟ ଜିଲ୍ଲାର ସ୍ଥିତି। ନାରାୟଣପାଟଣାରେ ଝଞ୍ଜାବତୀ ନଦୀରେ ହଠାତ ବନ୍ୟା ସ୍ଥିତି ଦେଖାଦେଇଛି। ନନ୍ଦପୁର ବ୍ଲକରେ ପ୍ରବାହିତ ପାତାଳୀ ନଦୀର ତଳ କଣ୍ଡାପାଲି ନିକଟ ରେଳ ସେତୁ ଉପରେ ୫ ଫୁଟ ଉଚ୍ଚରେ ପାଣି ଚାଲିଛି। ଜିଲ୍ଲାରେ ଭୀଷଣ ବର୍ଷା ଓ ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ଦେଖି ପଞ୍ଚାୟତରାଜ ମନ୍ତ୍ରୀ ରବି ନାୟକ ଆଗୁଆ ପହଞ୍ଚି ସ୍ଥିତି ମୁକାବିଲା ନେଇ ସମୀକ୍ଷା କରିଛନ୍ତି।... ଏପଟେ ରାୟଗଡ଼ାରେ ରାତି ତମାମ ଅବିଶ୍ରାନ୍ତ ବର୍ଷା ପରେ ବଢି ଯାଇଛି ଝଞ୍ଜାବତୀ ନଦୀର ଜଳସ୍ତର। ଗୁଣପୁରରେ ବଂଶଧାରା ନଦୀର ପାଣି ଉଚ୍ଛୁଳିବା ସହ ବିପଦସଙ୍କେତ ତଳେ ରହିଛି। ବର୍ଷା ଓ ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ଦେଖି ଜିଲ୍ଲାର ସମସ୍ତ ବିଡିଓ ଓ ତହସିଲଦାରଙ୍କୁ ସଜାଗ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଏପଟେ ଗଜପତି ଜିଲ୍ଲାରେ ବି ନାକେଦମ କରିଛି ଲଗାଣ ବର୍ଷା। ମୋହନା ବ୍ଲକ ଗରଡମା ପୋଲ ଉପରେ ପ୍ରାୟ ଅଢ଼େଇ ଫୁଟ ଉଚ୍ଚର ପାଣି ଚାଲିବା ପରେ ଚନ୍ଦ୍ରପୁର ବ୍ଲକକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି l ଜିଲ୍ଲାରେ ସ୍ଥିତି ଅନୁଧ୍ୟାନ ପାଇଁ ଉପସ୍ଥିତ ଅଛନ୍ତି ମତ୍ସ୍ୟ ଓ ପ୍ରାଣୀ ସଂପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲକି। ଏପଟେ କେନ୍ଦୁଝର ଜିଲ୍ଲା ତେଲକୋଇ ୨ ଦିନର ଲଗାଣ ବର୍ଷା ପରେ ସମାକୋଇ ନଦୀର ପଙ୍ଗା ପୋଲ ଉପରେ ଚାଲିଛି ୪ ଫୁଟ ଉଚ୍ଚର ପାଣି। ଏଥିପାଇଁ ତେଲକୋଇ-ହରିଚନ୍ଦନପୁର ଓ ଘଟଗାଁ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। 

ଏସବୁ ଭିତରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ରାଜ୍ୟରେ ଗଭୀର ଅବପାତ ଜନତି ବର୍ଷା ଓ ପବନର ଯୋଗୁଁ ଘଟିଥିବା କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି। ଆଜି ସୁଦ୍ଧା କୋରାପୁଟ, ଗଜପତି, ମାଲକାନଗିରି, ଗଞ୍ଜାମ, ନବରଙ୍ଗପୁର, ରାୟଗଡ଼ା ଆଦି ୬ଟି ଜିଲ୍ଲାର ୩୭ଟି ବ୍ଲକ ପ୍ରଭାବିତ ହୋଇଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ। ୬ଟି ଜିଲ୍ଲାର ୧୨୭ ପଞ୍ଚାୟତର ୨୭୩ ଗାଁ କ୍ଷତିଗ୍ରସ୍ତ ହୋଇଛି। ସେହିଭଳି ୫ଟି ସହରାଞ୍ଚଳର ୨୦ ୱାର୍ଡ ମଧ୍ୟ ପ୍ରଭାବିତ ହୋଇଛି। ୮ ହଜାର ୮୨ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ୫ଟି ଜିଲ୍ଲାରେ ତୁରନ୍ତ କ୍ଷୟକ୍ଷତି ଆକଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ।

ଏପଟେ ଉତ୍ତର ଆନ୍ଧ୍ରପ୍ରଦେଶର କଳିଙ୍ଗପଟନମରେ ବୁଧବାର ରାତିରେ ସ୍ଥଳଭାଗ ଛୁଇଁବା ପରେ ଗଭୀର ଅବପାତ ଏବେ ଘଣ୍ଟା ପ୍ରତି ୭ କିଲୋମିଟର ବେଗରେ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଏ ୩ଟି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ବଲଙ୍ଗୀର ସମେତ ଆଉ ୭ଟି ଜିଲ୍ଲାକୁ ଅତି ପ୍ରବଳ ବର୍ଷା ନେଇ ଅରଞ୍ଜ୍ ୱାର୍ଣ୍ଣିଂ ଜାରି ହୋଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।