Ruhullah Slams NC Leadership: ଓମାର ଅବଦୁଲ୍ଲାଙ୍କୁ ବଡ଼ ଝଟକା, ନ୍ୟାସନାଲ କନଫରେନ୍ସ ଛାଡ଼ିଲେ ସାଂସଦ
ଜମ୍ମୁ-କାଶ୍ମୀର ରାଜନୀତିରେ ବଡ଼ ହଲଚଲ।
ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ନେତୃତ୍ୱାଧୀନ ନ୍ୟାସନାଲ କନଫରେନ୍ସ (NC)କୁ ଶକ୍ତ ଝଟକା ଦେଇଛନ୍ତି ଶ୍ରୀନଗରର ସାଂସଦ ଆଗା ସୟଦ ରୁହୁଲ୍ଲା ମେହଦୀ।
ଦୀର୍ଘ ୨୪ ବର୍ଷର ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ଟାଣି ସେ ଦଳ ଛାଡ଼ିବା ସହ ସାଂସଦ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି।
ଦଳ ଲୋକଙ୍କ ଭାବନା ଓ ଜନମତ ସହ ବିଶ୍ୱାସଘାତକତା କରିଥିବା ସେ ଅଭିଯୋଗ କରିଛନ୍ତି।
Advertisment ବୁଡଗାମରେ ନିଜ ପିତା ଆଗା ସୟଦ ମେହଦୀଙ୍କ ୨୬ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଆୟୋଜିତ ଏକ ସଭାରେ ଭାବବିହ୍ୱଳ ହୋଇ ସେ ଏହି ଘୋଷଣା କରିଥିଲେ।
ଏହା ସହ ଦଳୀୟ ନେତୃତ୍ୱଙ୍କୁ ଚାରି ପୃଷ୍ଠାର ଏକ ଚିଠି ଲେଖି ନିଜ ଅସନ୍ତୋଷ ଜଣାଇଛନ୍ତି।
୨୦୨୪ ନିର୍ବାଚନ ପରେ ବଦଳିଗଲା ଦଳର ଆଭିମୁଖ୍ୟ!
ରୁହୁଲ୍ଲାଙ୍କ ଅଭିଯୋଗ ଅନୁସାରେ, ୨୦୨୪ ବିଧାନସଭା ନିର୍ବାଚନରେ ଲୋକେ ନ୍ୟାସନାଲ କନଫରେନ୍ସକୁ ବଡ଼ ଜନମତ ଦେଇଥିଲେ।
ଲୋକଙ୍କ ଆକ୍ରୋଶ, ଭାବନା ଓ ଅଧିକାର ଫେରିପାଇବାର ଆଶାକୁ ନେଇ ଦଳ ନିର୍ବାଚନ ଲଢ଼ିଥିଲା।
କିନ୍ତୁ ନିର୍ବାଚନ ଶେଷ ହେବା ପରେ ଦଳ ନିଜ ଆଭିମୁଖ୍ୟ ବଦଳାଇଦେଲା ବୋଲି ସେ ଚିଠିରେ ଲେଖିଛନ୍ତି।
Advertisment ୨୦୧୯ରେ ଧାରା ୩୭୦ ଓ ୩୫-ଏ ଉଚ୍ଛେଦକୁ କାଶ୍ମୀରବାସୀଙ୍କ ଅଧିକାର ଉପରେ ଆକ୍ରମଣ ବୋଲି କହିଛନ୍ତି ରୁହୁଲ୍ଲା।
ଏହା ପରେ ଅଧିକାର ପୁନରୁଦ୍ଧାର ପାଇଁ ରାଜନୈତିକ ସଂଘର୍ଷର ଆବଶ୍ୟକତା ଥିଲା।
ନ୍ୟାସନାଲ କନଫରେନ୍ସ ଏହି ଲଢ଼େଇର ନେତୃତ୍ୱ ନେବ ବୋଲି ସେ ଆଶା ରଖିଥିଲେ।
ହେଲେ ଦଳ ସେହି ଦାୟିତ୍ୱରୁ ଓହରିଯାଇଥିବା ସେ ଅଭିଯୋଗ କରିଛନ୍ତି।
ନୂଆ ରାଜନୈତିକ ସଂଗଠନ ଗଢ଼ିବେ?
ସଂରକ୍ଷଣ ବ୍ୟବସ୍ଥାର ସମୀକ୍ଷା, ରାଜନୈତିକ ବନ୍ଦୀଙ୍କ ପ୍ରସଙ୍ଗ ଏବଂ ଧାରା ୩୭୦ ପୁନରୁଦ୍ଧାର ଭଳି ପ୍ରସଙ୍ଗରେ ଦଳର ନିଷ୍କ୍ରିୟତାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଆଗକୁ ନିଜ ଲୋକଙ୍କ ସେବା ପାଇଁ ନୀତି ଓ ଆଦର୍ଶ ସହ ସାଲିସ ନକରିବାକୁ ମଧ୍ୟ ସେ ପ୍ରତିଜ୍ଞା କରିଛନ୍ତି।
ତେବେ ରୁହୁଲ୍ଲା ତୁରନ୍ତ ଅନ୍ୟ କୌଣସି ରାଜନୈତିକ ଦଳରେ ଯୋଗଦେବାର ଯୋଜନା ରଖିନାହାନ୍ତି ବୋଲି ତାଙ୍କ ନିକଟତମ ସୂତ୍ରରୁ ଜଣାପଡ଼ିଛି।
ବରଂ ଯୁବପିଢ଼ିଙ୍କୁ ନେଇ ଏକ ନୂଆ ସାମୂହିକ ମଞ୍ଚ ଗଢ଼ିବାକୁ ସେ ଚିନ୍ତା କରୁଥିବା କୁହାଯାଉଛି।
ଏଥିସହ ଓମାର ଅବଦୁଲ୍ଲା ସରକାରକୁ ଅସ୍ଥିର କରିବା ତାଙ୍କ ଉଦ୍ଦେଶ୍ୟ ନୁହେଁ ବୋଲି ମଧ୍ୟ ସ୍ପଷ୍ଟ କରିଥିବା ସୂତ୍ର କହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।