State-level Shantilata Jayanti: ରାଜ୍ୟସ୍ତରୀୟ ଶାନ୍ତିଲତା ଜୟନ୍ତୀ: ଭଜି ଭଜି ତୋ ନାମ ଚକାନୟନ..
"ଭୁବନେଶ୍ବର: ଭଜି ଭଜି ତୋ ନାମ ଚକାନୟନ, ମୋର ଯାଉ ଜୀବନ..., ମୁଁ ଯେ ଦେଉଳ ବେଢ଼ାର ଦୀପ ଲୋ..., ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ...
ତୁ ମୋର ଗଳାର ମାଳି...
ଭଳି ଲୋକପ୍ରିୟ ଭଜନ ଆଜି ରବୀନ୍ଦ୍ର ମଣ୍ଡପରେ ଶ୍ରୋତାମାନଙ୍କୁ ଭକ୍ତିରସରେ ଭିଜାଇ ଦେଇଥିଲା।
ଓଡ଼ିଆ ଭଜନ/ଜଣାଣ ଇତିହାସର ଏକ ସ୍ବର୍ଣ୍ଣିମ ଯୁଗର ଏହି ଚିରସବୁଜ ଗୀତଗୁଡ଼ିକ ଆଜି ଝିପିଝିପି ବର୍ଷଣମୁଖର ସନ୍ଧ୍ୟାକୁ ଭାବମୟ କରିଦେଇଥିଲା।
ଅବସର ଥିଲା ରାଜ୍ୟସ୍ତରୀୟ ଶାନ୍ତିଲତା ଜୟନ୍ତୀ ଉତ୍ସବ।
ସ୍ତମ୍ଭକାର ପ୍ରଦୋଷ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥିମାନେ ଶାନ୍ତିଲତାଙ୍କୁ ଓଡ଼ିଆ ଭକ୍ତିସଂଗୀତର ଅମଳିନ ପୂଜାରିଣୀ ବୋଲି ଅଭିହିତ କରିଥିଲେ।
ଭକ୍ତିସଂଗୀତ ପାଇଁ ସ୍ବତନ୍ତ୍ର କଣ୍ଠର ଅଧିକାରିଣୀ ଶାନ୍ତିଲତା ଓଡ଼ିଶାର ଘରେଘରେ ପରିଚିତ ଥିଲେ।Advertisment ଆକାଶବାଣୀ ଓ ଦୂରଦର୍ଶନରେ ତାଙ୍କ ପରିବେଷିତ ଭକ୍ତି ସଂଗୀତ ଆଜି ବି ଶ୍ରୋତାଙ୍କ ହୃଦୟକୁ ଛୁଇଁଯାଏ ବୋଲି ଅତିଥିମାନେ କହିଥିଲେ।
କାର୍ଯ୍ୟକ୍ରମର ମୁଖ୍ୟବକ୍ତା ବିଜେପି ନେତା ଜଗନ୍ନାଥ ପ୍ରଧାନ ସ୍ମୃତିଚାରଣ କରି ଶାନ୍ତିଲତାଙ୍କୁ ଓଡ଼ିଆ ଭକ୍ତିସଂଗୀତ ଜଗତର ଅମୂଲ୍ୟ ରତ୍ନ ଭାବେ ଅଭିହିତ କରିଥିଲେ।
ଓଡ଼ିଆ ଭାଷା ପ୍ରତିଷ୍ଠାନ ନିର୍ଦ୍ଦେଶକ ସ୍ମିତା ମହାନ୍ତି, ଶାନ୍ତିଲତାଙ୍କ ଓଡ଼ିଶୀ ସଂଗୀତ ସାଧନା ସମ୍ପର୍କରେ କହିଥିଲେ।
ନିଖୁଣ ଭକ୍ତ ଟ୍ରଷ୍ଟର ଅଧ୍ୟକ୍ଷ ବ୍ରଜକିଶୋର ଦାଶ କାର୍ଯ୍ୟକ୍ରମର ବିବରଣୀ ଉପସ୍ଥାପନ କରିଥିଲେ।
ରବୀନ୍ଦ୍ର ମଣ୍ଡପ ପରିସରରେ ଶାନ୍ତିଲତାଙ୍କର ଏକ ପ୍ରତିମୂର୍ତ୍ତି ପ୍ରତିଷ୍ଠା ନିମନ୍ତେ ଆଲୋଚନା କରାଯାଇଥିଲା।
ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର, କଣ୍ଠଶିଳ୍ପୀ ଗୀତା ଦାସ, ଅନସୂୟା ନାଥ, ବିଜୟ କୁମାର ଜେନା, ପ୍ରଶାନ୍ତ ପାଢ଼ୀ, ମହାପ୍ରସାଦ କର, ରବୀନ୍ଦ୍ର ମହାପାତ୍ର, ଋତୁପନ୍ନା ମହାନ୍ତି, ହରପ୍ରିୟା ସ୍ୱାଇଁ, ମହେନ୍ଦ୍ର କୁମାର ଆଚାର୍ଯ୍ୟ, ଛନ୍ଦା ମିଶ୍ର, ସାଇସ୍ମିତା ନିଗମ, ଦେବୀପ୍ରଭା ସ୍ବାଇଁ, ଅନୁଜା ତାରିଣୀ ମିଶ୍ର ପ୍ରମୁଖ ଶାନ୍ତିଲତାଙ୍କ ଭଜନ ପରିବେଷଣ କରିଥିଲେ।
ଏହି ଅବସରରେ କଣ୍ଠଶିଳ୍ପୀ ବିଜୟ କୁମାର ଜେନାଙ୍କୁ "ଶାନ୍ତିଲତା ସ୍ମୃତି ସମ୍ମାନ" ପ୍ରଦାନ କରାଯାଇଥିଲା।
ଶାନ୍ତିଲତା ବାରିକ ଛୋଟରାୟ କଲ୍ଚରାଲ ଟ୍ରଷ୍ଟର କର୍ମକର୍ତ୍ତା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଶ୍ରୀନିବାସ ଘଟୁଆରୀ ମଞ୍ଚ ସଞ୍ଚାଳନ କରିଥିଲେ ଏବଂ ବସନ୍ତ କୁମାର ଛୋଟରାୟ ଧନ୍ୟବାଦ ଦେଇଥିଲେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।