Unprotected temple: ଅସୁରକ୍ଷିତ ମନ୍ଦିର, ଅସହାୟ ଦେବତା
"ରାଜାରାମ ଶତପଥି ଏହି ଲେଖା ପ୍ରସ୍ତୁତ ହେବା ବେଳକୁ ରାଜ୍ୟରେ ଏକାଧିକ ସ୍ଥାନରୁ ମନ୍ଦିର ଲୁଟ୍ ଘଟଣା ପହଞ୍ଚିବାରେ ଲାଗିଛି।
ବଲାଙ୍ଗୀର ଜିଲ୍ଲାର ସିନ୍ଧେକେଲାରେ ଦୁର୍ବୃତ୍ତମାନେ ମନ୍ଦିରରେ ପଶି ସୁନା, ରୁପା ଗହଣା, ମୁକୁଟ ଓ ଦାନ ପାତ୍ର ଭାଙ୍ଗି ଯାହା ଥିଲା ସବୁ ନେଇଯାଇଛନ୍ତି।
ଗଲାବେଳେ କ"ଣ ଭାବିଲେ କେଜାଣି, ଦାନ ବାକ୍ସରେ ନିଆଁ ଲଗାଇ ଚାଲିଗଲେ।
ନିଆଳି ନିକଟରେ ଥିବା ସିଦ୍ଧ ମହାବୀର ମନ୍ଦିରରେ ଚୋରମାନେ କଳାକନା ବୁଲେଇ ଦେଇଛନ୍ତି।
ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରରେ ଥିବା ଦକ୍ଷିଣ କାଳୀ ମନ୍ଦିରର ସମାନ ଅବସ୍ଥା, ଦାନ ପାତ୍ର ଖାଲି କରିବା ସହିତ ଆଉ ଯାହା ଆଖିରେ ପଡ଼ିଲା ସବୁ ପୋଛିଛନ୍ତି।
Advertisment AI: ଏଆଇ+ର ନେକ୍ସଟ୍ କ୍ବାଣ୍ଟମ୍ ଓଏସ୍ ରାଜ୍ୟ ତଥା ଦେଶରେ ମନ୍ଦିର ଲୁଟ୍ କିଛି ମାମୁଲି ଘଟଣା ନୁହେଁ।
ଶହ ଶହ ବର୍ଷ ଧରି ସୀମା ପାରି ହୋଇ ବିଦେଶୀ ଆକ୍ରମଣକାରୀମାନେ ଆମ ମନ୍ଦିର ସବୁକୁ ଲଗାତାର ଲୁଣ୍ଠନ କରିଛନ୍ତି।
ଅଷ୍ଟମରୁ ଅଷ୍ଟାଦଶ ଶତାବ୍ଦୀ ମଧ୍ୟରେ ଜଗନ୍ନାଥ ମନ୍ଦିର ଉପରେ ଲଗାତାର ୧୮ ଥର ଆକ୍ରମଣ ହୋଇଥିଲା।
ପୂର୍ବ ଭାରତରେ ଏହା ବୋଧହୁଏ ମନ୍ଦିର ଲୁଣ୍ଠନର ପ୍ରମୁଖ ଉଦାହରଣ।
ସୁନା ରୁପା ଲୁଟିବା ଥିଲା ପ୍ରତି ଆକ୍ରମଣକାରୀଙ୍କ ଏକମାତ୍ର ଲକ୍ଷ୍ୟ।
ସେମାନେ ଆମ ଧନ ସମ୍ପତ୍ତି ଦେଖି ଅବାକ୍ ହେଉଥିଲେ।
ନାଦିର ଶାହା ଦିଲ୍ଲୀ ଆକ୍ରମଣ ପରେ ମୋଗଲ କୋଷାଗାର, ମନ୍ଦିର ଓ ସାଧାରଣ ଲୋକଙ୍କୁ ଲୁଣ୍ଠନ କରି ପ୍ରାୟ ୧୦୦୦ ହାତୀ, ୪୦୦୦ ଓଟ, ୧୨୦୦୦ ଘୋଡ଼ା ଏବଂ କ୍ରୀତଦାସ ଭାବରେ ବନ୍ଦୀ କରିଥିବା ହଜାର ହଜାର ସ୍ଥାନୀୟ ଲୋକଙ୍କ ପିଠିରେ ବିପୁଳ ସମ୍ପତ୍ତି ନିଜ ଦେଶ ଇରାନକୁ ବୋହି ନେଇଥିଲେ।
ଲୁଟ ସମ୍ପତ୍ତି ମଧ୍ୟରେ ଥିଲା ମୟୁର ସିଂହାସନ ଏବଂ କୋହିନୂର ହୀରା, ଯାହା ପରେ ଇଂରେଜମାନେ ହସ୍ତଗତ କରିଥିଲେ।
ନାଦିର ଆକ୍ରମଣର ୭୦୦ ବର୍ଷ ପୂର୍ବରୁ ଘଜନିର ମହମ୍ମଦ ଏକାଧିକ ବାର ଭାରତ ଆକ୍ରମଣ କରି ଅପର୍ଯ୍ୟାପ୍ତ ସୁନା, ରୁପା ଓ ଅନ୍ୟାନ୍ୟ ଦୁର୍ଲଭ ବସ୍ତୁ ଲୁଟିଥିଲେ।
ସେ ଜାଣିଥିଲେ ଭାରତରେ ଲୋକମାନେ ଈଶ୍ୱରଙ୍କୁ ସୁନା, ରୁପାର ମୁକୁଟ, ଗହଣା, ମୁଦ୍ରା ଦାନ କରନ୍ତି, ଯାହା ମନ୍ଦିରରେ ଗଚ୍ଛିତ ହୋଇ ରହେ।
ସେ ସୋମନାଥ ବ୍ୟତୀତ ମଥୁରା, ଥାନେସ୍ୱର, କନୌଜ ସମେତ ଉତ୍ତର ଭାରତରେ ଆହୁରି ଅନେକ ମନ୍ଦିର ଲୁଟିଥିଲେ।
ସେ ସମୟରେ ଯାତାୟାତ ସୁବିଧା ଘୋର ବେଦନାଦାୟକ ଥିଲା।
ଘଜନିର ମହମ୍ମଦ ମଧ୍ୟ ଲୁଟ୍ ଜିନିଷ ନେବା ପାଇଁ ହଜାର ସଂଖ୍ୟାରେ ହାତୀ, ଘୋଡ଼ା, ଓଟ, ଖଚର ଓ କ୍ରୀତଦାସ ରୂପେ ହଜାର ହଜାର ଭାରତୀୟଙ୍କୁ ନିୟୋଜିତ କରିଥିଲେ।
ସେ ପାହିଟିଏ ପର୍ଯ୍ୟନ୍ତ ଛାଡ଼ ନ ଥିଲେ, ମନ୍ଦିର କାନ୍ଥରେ ଖଚିତ ହୀରା ଓ ଅନ୍ୟ ଆକର୍ଷଣୀୟ ପଥର, କାରୁକାର୍ଯ୍ୟ ରାମ୍ପି ନେଇଯାଇଥିଲେ।
ପାହାଡ଼, ଜଙ୍ଗଲ, ମରୁଭୂମି ଭଳି ଅଗମ୍ୟ ରାସ୍ତାରେ ସୁବିଧାରେ ନେବା ଲାଗି ସୁନା ରୁପାର ଚାଦର ଓ ବଡ଼ ବଡ଼ ମୂର୍ତ୍ତିସବୁକୁ ତରଳେଇ ଇଟା କରିଥିଲେ।
ସେତେବେଳେ, ଭାରତୀୟମାନେ କେତେ ସ୍ୱଚ୍ଛଳ ଥିଲେ, ତାହା ଏଥିରୁ ଜଣାଯାଏ।
ନାଦିର ଶାହା ଯାହା ନେଇଥିଲେ ସେଥିରେ ଇରାନରେ ୩ ବର୍ଷ ପର୍ଯ୍ୟନ୍ତ ଲୋକଙ୍କ ଉପରୁ ଟିକସ ଛାଡ଼ କରିଥିଲେ।
ସେହିଭଳି ତୈମୁରଲଙ୍ଗ ଭାରତ ଲୁଟ୍ ପରେ ଅନେକ ବର୍ଷ ପର୍ଯ୍ୟନ୍ତ ତାଙ୍କ ରାଜ୍ୟରେ ଟିକସ ଛାଡ଼ କରିବା ସହିତ ତାଙ୍କ ରାଜଧାନୀ ଉଜବେକିସ୍ତାନର ବିଶ୍ୱସ୍ତରୀୟ ନବୀକରଣ କରିଥିଲେ।
ଆକ୍ରମଣକାରୀମାନେ ଧନ ସମ୍ପତ୍ତି ବୋହି ନେବା ସହ ଶହ ଶହ ସଂଖ୍ୟାରେ କାଠ, ପଥର କାରିଗର, ଅଟ୍ଟାଳିକା ମିସ୍ତ୍ରି, ଛୁଞ୍ଚି ମୂନ କାମରେ ଦକ୍ଷତା ଥିବା ଶିଳ୍ପୀମାନଙ୍କୁ ବନ୍ଦୀ କରି ନିଜ ଦେଶକୁ ନେଇଥିଲେ।
ଏତେ ବର୍ଷ ପରେ ମଧ୍ୟ ଉଜବେକିସ୍ତାନର ଶୋଭା ଦେଖି ଦର୍ଶକମାନେ ଏ ସବୁ ଭାରତରୁ ଲୁଣ୍ଠିତ ଧନ ଓ ଭାରତୀୟ କାରିଗରଙ୍କ ଯାଦୁକରୀ ପ୍ରତିଭାର ନିଦର୍ଶନ ବୋଲି ସ୍ୱୀକାର କରନ୍ତି।
ଭାରତର ସବୁଠାରୁ ଅଧିକ କ୍ଷତି ହୁଏ ପ୍ରାୟ ୨୦୦ ବର୍ଷର ଇଂରେଜ ଶାସନ କାଳରେ।
ଇଂରେଜମାନଙ୍କ ଲୁଟ୍ ପ୍ରଣାଳୀ ଥିଲା ସମ୍ପୂର୍ଣ୍ଣ ନିଆରା।
ହିସାବ ଅନୁଯାୟୀ ମୋଟ ଲୁଟ୍ର ମୂଲ୍ୟ ୪୫ ନିୟୁତ ଆମେରିକୀୟ ଡଲାରରୁ ଅଧିକ।
ବିଭିନ୍ନ ଜନବିରୋଧୀ ପ୍ରଶାସନିକ ନିଷ୍ପତ୍ତି ଜରିଆରେ ସେମାନେ ଭାରତକୁ ଗରିବ ଓ ରପ୍ତାନିରୁ ଆମଦାନି-ନିର୍ଭରଶୀଳ ରାଷ୍ଟ୍ରରେ ପରିଣତ କରି ଦେଇଥିଲେ।
ସେମାନେ ମଧ୍ୟ ଅପର୍ଯ୍ୟାପ୍ତ ଦୁର୍ଲଭ ମୂର୍ତ୍ତି ଓ କଳାକୃତି ନିଜ ଦେଶକୁ ବୋହି ନେଇଥିଲେ।
କେବଳ ଲଣ୍ଡନ ସଂଗ୍ରହାଳୟରେ ବର୍ତ୍ତମାନ ୫୦,୦୦୦ରୁ ୫୩,୦୦୦ ପୁରାତନ ମୂର୍ତ୍ତି, ତୈଳ ଚିତ୍ର ଓ ଅନ୍ୟାନ୍ୟ ପୁରାତନ କଳାକୃତି ଅଛି।
ବ୍ରିଟେନର ଅନ୍ୟାନ୍ୟ ସଂଗ୍ରହାଳୟରେ ମଧ୍ୟ ଭାରତରୁ ଚାଲାଣ ଶହ ଶହ ଅମୂଲ୍ୟ ବସ୍ତୁ ଅଛି, ଯହିଁରୁ ମାତ୍ର କେତୋଟି ପ୍ରଦର୍ଶିତ ହେଉଛି, ବାକି ସବୁ ସଂଗ୍ରହାଳୟର ଅଭିଲେଖାଗାରରେ, ସାଧାରଣ ଲୋକଙ୍କ ଦୃଷ୍ଟି ଆଢୁଆଳରେ ରଖାଯାଇଛି।
ମନ୍ଦିର ଭାରତର ସାଂସ୍କୃତିକ ଆତ୍ମା।
ଏହାର ସୁରକ୍ଷା ଏକ ଜାତୀୟ କର୍ତ୍ତବ୍ୟ।
ତା" ନ ହୋଇଥିଲେ ୫୦୦ ବର୍ଷ କାଳ ଅଯୋଧ୍ୟାରେ ରାମ ମନ୍ଦିରର ପୁନଃପ୍ରତିଷ୍ଠା ପାଇଁ ଦେଶର ସାଧାରଣ ଜନତା ସେମାନଙ୍କ ଦାବିକୁ ଉଜ୍ଜୀବିତ ରଖି ନଥାନ୍ତେ।
ଶେଷରେ ସଫଳତା ତ ମିଳିଲା, କିନ୍ତୁ ବିଡ଼ମ୍ବନା ଯେ ଯେଉଁମାନଙ୍କ ଉପରେ ଭରସା କରି ଭବ୍ୟ ରାମ ମନ୍ଦିରର ପରିଚାଳନା ଦାୟିତ୍ୱ ନ୍ୟସ୍ତ କରାଗଲା, ସେହିମାନଙ୍କ ମଧ୍ୟରୁ କିଛି ନଷ୍ଟ ଚରିତ୍ର ମନ୍ଦିର ଦାନରୁ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ୍ କଲେ।
ଏହି ଘଟଣା ନିଃସନ୍ଦେହରେ ଦେଶର ମନ୍ଦିରଗୁଡ଼ିକରେ ସଞ୍ଚିତ ଧନ, ଅଳଙ୍କାର ଓ ପୁରାତନ ସମ୍ପଦର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛି।
କାରଣ, ମନ୍ଦିର ଭାରତର ହଜାର ହଜାର ବର୍ଷର ଇତିହାସ, ସ୍ଥାପତ୍ୟ, ଭାସ୍କର୍ଯ୍ୟ, ଲୋକପରମ୍ପରା ଓ ସାମାଜିକ ସଂସ୍କୃତିର ଭଣ୍ଡାର।
ଏଠାରେ ଥିବା ବିଗ୍ରହ, ଶିଳାଲେଖ ଅବା ପ୍ରାଚୀନ ଅଳଙ୍କାର କେବଳ ଏକ ବସ୍ତୁ ନୁହେଁ; ଏହା ଏକ ଯୁଗର କଳା, ବିଶ୍ୱାସ ଓ ଜୀବନଶୈଳୀର ନିଦର୍ଶନ।
ତେଣୁ ମନ୍ଦିରରୁ ଚୋରିକୁ କେବଳ ଆର୍ଥିକ ଅପରାଧ ଭାବେ ଦେଖିଲେ ଏହାର ଗଭୀରତାକୁ ବୁଝିବା ସମ୍ଭବ ହେବ ନାହିଁ।
ମନ୍ଦିରରୁ ଚୋରି ଅବଶ୍ୟ ଗୁରୁତର ଅପରାଧ, କିନ୍ତୁ ଶତାବ୍ଦୀ ପୁରୁଣା ବିଗ୍ରହ ଚୋରି ଯେ ଆମ ଅମୂଲ୍ୟ ସାଂସ୍କୃତିକ ସମ୍ପତ୍ତିର ଅପୂରଣୀୟ କ୍ଷତି, ତାହା ଭୁଲିଯିବାର ନୁହେଁ।
ତଦନ୍ତରୁ ଜଣାପଡ଼ିଛି ଭାରତରୁ ପ୍ରାଚୀନ କଳାକୃତିର ଚୋରାଚାଲାଣ ପଛରେ ଏକ ସଂଗଠିତ ଆନ୍ତର୍ଜାତିକ ନେଟୱାର୍କ କାର୍ଯ୍ୟ କରୁଛି।
ଆନ୍ତର୍ଜାତିକ ବଜାରରେ ପ୍ରାଚୀନ ବିଗ୍ରହର ଯଥେଷ୍ଟ ଚାହିଦା ଥିବାରୁ ଏହି ଅପରାଧୀ ଚକ୍ର ସକ୍ରିୟ ରହିଛି।
ଭାରତୀୟ କଳା ଭାସ୍କର୍ଯ୍ୟର ବିଷାଦଗ୍ରସ୍ତ ଐତିହାସିକ ପୃଷ୍ଠଭୂମିରେ ଅପହୃତ ବିଗ୍ରହ ଓ ଅନ୍ୟାନ୍ୟ କଳାକୃତିର ବିଦେଶରୁ ପ୍ରତ୍ୟାବର୍ତ୍ତନ ପର୍ବ ସାଧାରଣରେ ଆମ ଐତିହ୍ୟର ପୁନଃସଂସ୍ଥାନର ଆଶା ସଂଚାର କରିଛି।
ସ୍ୱାଧୀନତାର ଦୀର୍ଘ କାଳ ପର୍ଯ୍ୟନ୍ତ ସରକାରୀ ସ୍ତରରେ ଏ ସମ୍ପର୍କରେ ଆଖିଦୃଶିଆ ଉଦ୍ୟମ ଅଭାବରୁ ସ୍ୱଳ୍ପ କେତୋଟି ବିଗ୍ରହ ମିଳିବା ବ୍ୟତୀତ ଆଉ ଅଧିକ ସଫଳତା ମିଳି ନଥିଲା।
ଗତ କିଛି ବର୍ଷରେ କେନ୍ଦ୍ର ସରକାରଙ୍କ କୂଟନୈତିକ ଉଦ୍ୟମ ଓ ବିଦେଶୀ ଦେଶମାନଙ୍କ ସହଯୋଗ ଫଳରେ ପ୍ରାୟ ୬୫୦ରୁ ଅଧିକ ପୁରାତନ ନିଦର୍ଶନ ଦେଶକୁ ଫେରିଲାଣି।
ସେଥି ମଧ୍ୟରୁ ଆମେରିକାରୁ ସବୁଠାରୁ ଅଧିକ ୫୦୦ରୁ ଅଧିକ ପ୍ରାଚୀନ କଳାକୃତି ମିଳିଛି।
ଅନ୍ୟ ଦେଶମାନଙ୍କ ମଧ୍ୟରେ ଇଂଲାଣ୍ଡ, ଅଷ୍ଟ୍ରେଲିଆ ଓ ନେଦରଲ୍ୟାଣ୍ଡ୍ସ ଅନ୍ତର୍ଭୁକ୍ତ। "ୟୁନେସ୍କୋ" ମତରେ ସାଂସ୍କୃତିକ ଲୁଟ୍ ମାନବତାର କ୍ଷତି।
୨୦୨୪ରେ ଆମେରିକାରୁ ୨୯୭ଟି ପ୍ରାଚୀନ ନିଦର୍ଶନ ଭାରତକୁ ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ କେବଳ କୂଟନୈତିକ ସଫଳତା ବୋଲି ବିଚାର ନ କରି ଭାରତୀୟ ସଭ୍ୟତାର ପୁନଃସଂଯୋଗ ଭାବେ ଦେଖିଥିଲେ।
ପ୍ରାଚୀନ କଳାକୃତିର ପ୍ରତ୍ୟାବର୍ତ୍ତନ ଭାରତୀୟ ଐତିହ୍ୟ ଓ ଇତିହାସର ସୁରକ୍ଷା ପ୍ରତି ଆମର ପ୍ରତିବଦ୍ଧତାର ପ୍ରତୀକ।
କିନ୍ତୁ ପ୍ରଶ୍ନ ହେଉଛି- ଯେଉଁ ଐତିହ୍ୟକୁ ବିଦେଶରୁ ଫେରାଇ ଆଣିବା ପାଇଁ ଏତେ ପ୍ରୟାସ କରାଯାଉଛି, ତାହା ଦେଶ ଭିତରେ ସୁରକ୍ଷିତ କି?
Nabarangpur: ଓସ୍ବାସ ଫାଇଲ୍ ପ୍ରକ୍ରିୟାକରଣରେ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରାଜ୍ୟରେ ପ୍ରଥମ ଓଡ଼ିଶା ପ୍ରାଚୀନ ବିଗ୍ରହ ଓ କଳାକୃତିର ଭଣ୍ଡାର।
କୋଣାର୍କ, ପୁରୀ ଓ ଭୁବନେଶ୍ୱରର ମନ୍ଦିର ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ ବିଶ୍ୱପ୍ରସିଦ୍ଧ।
ଅତୀତରେ ଓଡ଼ିଶାର ବିଭିନ୍ନ ମନ୍ଦିରରୁ ବିଗ୍ରହ ଚୋରି ଘଟଣା ସାମନାକୁ ଆସିଛି।
ଅନେକ ଛୋଟ ମନ୍ଦିରରେ ଆଧୁନିକ ସୁରକ୍ଷା ବ୍ୟବସ୍ଥା ନାହିଁ।
ବିଗ୍ରହ ଚୋରି ଘଟଣାରେ ଓଡ଼ିଶା ଦେଶର ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ସବୁଠାରୁ ଆଗରେ।
ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ ରିପୋର୍ଟ ଅନୁଯାୟୀ ୨୦୨୪ ମସିହାରେ ଭାରତରେ ୪୬୫ଟି ବିଗ୍ରହ ଚୋରି ଘଟଣା ମଧ୍ୟରୁ ଓଡ଼ିଶାରେ ସବୁଠାରୁ ଅଧିକ ୧୫୧ଟି ଘଟଣା ରେକର୍ଡ କରାଯାଇଛି।
ଓଡ଼ିଶା ମନ୍ଦିରମାଳିନୀ ଏବଂ ପ୍ରାଚୀନ କାରୁକାର୍ଯ୍ୟରେ ପରିପୂର୍ଣ୍ଣ ହୋଇଥିବାରୁ ଏଠାରେ ମଧ୍ୟଯୁଗୀୟ ଅନେକ ଅଷ୍ଟଧାତୁ, ପଥର, କଂସା ଓ ପିତ୍ତଳ ମୂର୍ତ୍ତି ଗ୍ରାମାଞ୍ଚଳର ମନ୍ଦିରମାନଙ୍କରେ ପୂଜା ପାଉଛନ୍ତି।
ଅନେକ ମୂର୍ତ୍ତି ସପ୍ତମରୁ ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ।
ଛୋଟ ବଡ଼ ମିଶି ଓଡ଼ିଶାରେ ୬୦,୦୦୦ରୁ ଅଧିକ ମନ୍ଦିର ଅଛି।
ସେ ସବୁ ଆମ ପ୍ରାଚୀନ କଳାର ଉତ୍କର୍ଷ ପ୍ରତିପାଦନ କରେ।
ତେବେ ପର୍ଯ୍ୟାପ୍ତ ସୁରକ୍ଷା ଅଭାବରୁ ଚୋରମାନେ ଅନାୟାସରେ ଲୁଟ୍ କରିବାରେ ସଫଳ ହେଉଛନ୍ତି।
ଅନେକ ଚୋରି ଘଟଣାରେ ସ୍ଥାନୀୟ ଲୋକେ ପୁଲିସରେ ଅଭିଯୋଗ ମଧ୍ୟ କରନ୍ତି ନାହିଁ।
ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ଓଡ଼ିଶା ପାଇଁ ମନ୍ଦିର ଲୁଟ୍ କେବଳ ସୁରକ୍ଷାର ପ୍ରଶ୍ନ ନୁହେଁ, ଏହା ଆମ କ୍ଷୟିଷ୍ଣୁ ସାଂସ୍କୃତିକ ଅବବୋଧର ପ୍ରଶ୍ନ।
ପ୍ରାଚୀନ ମୂର୍ତ୍ତିଟିଏ ହଜିଗଲେ, କେବଳ ଗୋଟିଏ ବସ୍ତୁ ନୁହେଁ, ବରଂ ଐତିହ୍ୟ ରୂପେ ଏକ ଅମୂଲ୍ୟ ଅଧ୍ୟାୟ ଚିରଦିନ ପାଇଁ ହଜିଯାଏ।
ତେଣୁ ମନ୍ଦିର ସମ୍ପଦର ସୁରକ୍ଷା ପାଇଁ ଡିଜିଟାଲ ତାଲିକା ପ୍ରସ୍ତୁତି ଏବଂ ବିସ୍ତୃତ ବିବରଣୀ ସହ ଆବଶ୍ୟକ ଏକ ଅସାଧାରଣ ସମନ୍ୱିତ ବଳିଷ୍ଠ ଯୋଜନା। (ମତାମତ ଲେଖକଙ୍କ ନିଜସ୍ବ)ମୋ: ୯୮୫୩୨୫୨୬୨୬"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।