Suman Suspicious Death: ‘୯ ବର୍ଷ ସହିଲି, ଏବେ ଆଉ ନୁହେଁ’… ୩ ପୃଷ୍ଠାର ସୁଇସାଇଡ୍ ନୋଟ୍ ଛାଡିଗଲେ ସୁମନ

Aug 12, 2026 - 13:54
Suman Suspicious Death: ‘୯ ବର୍ଷ ସହିଲି, ଏବେ ଆଉ ନୁହେଁ’… ୩ ପୃଷ୍ଠାର ସୁଇସାଇଡ୍ ନୋଟ୍ ଛାଡିଗଲେ ସୁମନ

ଦୀର୍ଘ ୯ ବର୍ଷର ବୈବାହିକ ଜୀବନରେ ନିର୍ଯାତନାର ଅଭିଯୋଗ। ଶେଷରେ ୩ ପୃଷ୍ଠାର ଏକ ସୁଇସାଇଡ୍ ନୋଟ୍‌ରେ ନିଜ ଯନ୍ତ୍ରଣାର କାହାଣୀ ଲେଖି ଚାଲିଗଲେ ୨୯ ବର୍ଷୀୟା ବିବାହିତା ସୁମନ। ଉତ୍ତରପ୍ରଦେଶର କାନପୁର ବିଧନୁ ଥାନା ଅଞ୍ଚଳର ଏହି ଘଟଣାକୁ ନେଇ ଏବେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ତେବେ ଝିଅ ଆତ୍ମହତ୍ୟା କରିନାହାନ୍ତି, ତାଙ୍କୁ ହତ୍ୟା କରାଯାଇ ଫାଶୀରେ ଝୁଲାଇ ଦିଆଯାଇଥିବା ଅଭିଯୋଗ କରିଛନ୍ତି ବାପଘର ଲୋକେ।

ସୁମନଙ୍କ ବାପା ନବାବ ସିଂହଙ୍କ ଅଭିଯୋଗ ଅନୁସାରେ, ପ୍ରାୟ ୯ ବର୍ଷ ପୂର୍ବେ ବିଧନୁ ଅଞ୍ଚଳର ଇନ୍ଦ୍ରଜିତଙ୍କ ସହ ସୁମନଙ୍କ ବିବାହ ହୋଇଥିଲା। ଦୁହେଁଙ୍କ ଦୁଇଟି ସନ୍ତାନ ଅଛନ୍ତି। ବିବାହ ପରେ ପ୍ଲଟ୍ କିଣିବା ପାଇଁ ୧୦ ଲକ୍ଷ ଟଙ୍କା ଦାବି କରାଯାଉଥିବା ଏବଂ ଦାବି ପୂରଣ ନହେବାରୁ ଝିଅଙ୍କୁ ମାରପିଟ୍ କରାଯାଉଥିବା ବାପା ଅଭିଯୋଗ କରିଛନ୍ତି।

ମାରପିଟ୍ ଅଭିଯୋଗ ପରେ ପୁଣି ଶାଶୂଘରକୁ ଫେରିଥିଲେ

ପରିବାରର ଦାବି ଅନୁସାରେ, ମେ ୧୯ରେ ମଧ୍ୟ ସୁମନଙ୍କ ସହ ମାରପିଟ୍ ହୋଇଥିଲା। ଏହାପରେ ବାପଘର ଲୋକେ ସୁମନ ଓ ତାଙ୍କ ଦୁଇ ପିଲାଙ୍କୁ ନିଜ ସହ ନେଇଯାଇଥିଲେ। ପରେ ସ୍ୱାମୀଙ୍କ ଆଶ୍ୱାସନ ପରେ ଜୁଲାଇ ୨୮ରେ ସୁମନ ପୁଣି ଶାଶୂଘରକୁ ଫେରିଥିଲେ। ସୋମବାର ପଡ଼ୋଶୀଙ୍କ ଫୋନ୍‌ରୁ ସେମାନେ ସୁମନଙ୍କ ମୃତ୍ୟୁ ଖବର ପାଇଥିଲେ। 

ପୋଷାକ ଚିରା ଥିବାରୁ ହତ୍ୟା ସନ୍ଦେହ

ଘଟଣାସ୍ଥଳରେ ସୁମନଙ୍କ ପୋଷାକ ଚିରା ଥିବା ଦେଖି ପରିବାର ହତ୍ୟା ସନ୍ଦେହ ପ୍ରକାଶ କରିଛନ୍ତି। ହତ୍ୟା ପରେ ମୃତଦେହକୁ ଫାଶୀରେ ଝୁଲାଇ ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ସୁଇସାଇଡ୍ ନୋଟ୍‌ରେ ପିଲାଙ୍କ ଭବିଷ୍ୟତ ଚିନ୍ତା

ନୋଟ୍‌ରେ ସୁମନ ନିଜ ଟଙ୍କା, ଚେନ୍, ହାର, ଚୁଡି ଓ ମଙ୍ଗଳସୂତ୍ର ଭଳି ସାମଗ୍ରୀର ଉଲ୍ଲେଖ ଅଛି। ନିଜ ପିଲାମାନଙ୍କ ଭବିଷ୍ୟତ ନେଇ ଚିନ୍ତା ପ୍ରକାଶ କରି ସେମାନଙ୍କ ଟଙ୍କା ଓ ସାମଗ୍ରୀ ପିଲାଙ୍କୁ ଫେରାଇ ଦେବାକୁ ଅନୁରୋଧ କରିଛନ୍ତି।

ନୋଟ୍‌ର ଶେଷ ଭାଗରେ ପ୍ରାୟ ୯ ବର୍ଷ ଧରି ସବୁକିଛି ସହି ଆସୁଥିବା, କିନ୍ତୁ ଏବେ ଆଉ ସହିପାରୁନଥିବା କଥା ଲେଖାଥିବା ଦାବି କରାଯାଇଛି।

ଏବେ ପୋଲିସ ତଦନ୍ତ ଉପରେ ନଜର

ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତଦେହକୁ ପୋଷ୍ଟମର୍ଟମ୍ ପାଇଁ ପଠାଇଛି। 

ତେବେ ସୁମନଙ୍କ ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟା ଏହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ସୁଇସାଇଡ୍ ନୋଟ୍, ଘଟଣାସ୍ଥଳର ପରିସ୍ଥିତି ଓ ପୋଷ୍ଟମର୍ଟମ୍ ରିପୋର୍ଟ ଆଧାରରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।