Supreme Court Seeks Response On MDR: UPI ପେମେଣ୍ଟରେ MDR ଲାଗୁ ନେଇ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ, କେନ୍ଦ୍ରକୁ ନୋଟିସ୍
UPI ପେମେଣ୍ଟରେ Merchant Discount Rate (MDR) ଲାଗୁ କରିବା ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି। ତେବେ MDR ଲାଗୁ ଉପରେ ରୋକ୍ ଲଗାଇବାକୁ କୋର୍ଟ ମନା କରିଛନ୍ତି। ଏହା ଉପରେ ରହିତାଦେଶ ଦେବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି ।
₹୨,୦୦୦ରୁ ଅଧିକ ମୂଲ୍ୟର UPI person-to-merchant କାରବାର ଉପରେ MDR ଲାଗୁ କରିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଆଇନଜୀବୀ ଅଞ୍ଜନ ଦତ୍ତା ଏକ ଜନସ୍ୱାର୍ଥ ମାମଲା ଦାଖଲ କରିଥିଲେ। ତାଙ୍କ ସହ ଆଇନଜୀବୀ ଆଶୁତୋଷ ଦୁବେ ମଧ୍ୟ ମାମଲାରେ ସାମିଲ୍ ହୋଇଥିଲେ।
ମୁଖ୍ୟ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି, ଏହା ଆଇନଗତ ପ୍ରସଙ୍ଗ ଅପେକ୍ଷା ଅଧିକ ଏକ ବୈଷୟିକ ପ୍ରସଙ୍ଗ। ତେଣୁ କେନ୍ଦ୍ର ସରକାର ଏକ ସଂକ୍ଷିପ୍ତ ଆଫିଡେଭିଟ୍ ମାଧ୍ୟମରେ ତଥ୍ୟ ଉପସ୍ଥାପନ କରନ୍ତୁ।
ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସେପ୍ଟେମ୍ବର ୧୪ରେ ଜାରି ନୋଟିଫିକେସନକୁ ଏହି ଆବେଦନରେ ଚ୍ୟାଲେଞ୍ଜ କରାଯାଇଛି। ପ୍ରସ୍ତାବିତ ବ୍ୟବସ୍ଥା ଅନୁସାରେ, ₹୨,୦୦୦ରୁ ଅଧିକ ମୂଲ୍ୟର ମର୍ଚ୍ଚାଣ୍ଟ UPI ପେମେଣ୍ଟ ଉପରେ ୦.୪ ପ୍ରତିଶତ MDR ଲାଗୁ କରାଯିବ। ₹୭୫,୦୦୦ରୁ ଅଧିକ କାରବାର ପାଇଁ ଏହି ଚାର୍ଜ ସର୍ବାଧିକ ₹୩୦୦ ପର୍ଯ୍ୟନ୍ତ ସୀମିତ ରହିବ।
କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ, ଏହି ନିଷ୍ପତ୍ତି person-to-person UPI ଟ୍ରାନ୍ସଫର ଉପରେ ପ୍ରଭାବ ପକାଇବ ନାହିଁ। ଅର୍ଥାତ୍ ରାଶି ଯେତେ ହେଉନା କାହିଁକି, P2P UPI ଟ୍ରାନ୍ସଫର ପୂର୍ବଭଳି ମାଗଣା ରହିବ।
ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
କେନ୍ଦ୍ର ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଏନ୍. ଭେଙ୍କଟରମଣ କହିଛନ୍ତି ଯେ, ଏହି ନିଷ୍ପତ୍ତି ଅକ୍ଟୋବର ୧୫ରୁ ଲାଗୁ ହେବାକୁ ଥିବାରୁ ବର୍ତ୍ତମାନ ଏହା କାର୍ଯ୍ୟକାରୀ ହୋଇନାହିଁ। ସେ କହିଛନ୍ତି, UPI ପେମେଣ୍ଟ ଗେଟୱେ ବ୍ୟବହାର କରୁଥିବା ୯୬ ପ୍ରତିଶତ ଲୋକ ଏହି ବ୍ୟବସ୍ଥାରୁ ବାଦ ପଡ଼ିଛନ୍ତି। ଅବଶିଷ୍ଟ ୪ ପ୍ରତିଶତଙ୍କ ମଧ୍ୟରେ ମଧ୍ୟ ଅତ୍ୟାବଶ୍ୟକ ସେବା ପାଇଁ ଚାର୍ଜର ସୀମା ନିର୍ଦ୍ଧାରିତ ରହିଛି।
ମୁଖ୍ୟ ବିଚାରପତିଙ୍କ ସହ ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଏବଂ ଜଷ୍ଟିସ୍ ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଏହି ଚାର୍ଜ ଲାଗୁ କରିବାର ଆଇନଗତ ଆଧାର କ’ଣ, ସେଥିପାଇଁ କୋର୍ଟ ଜାଣିବାକୁ ଚାହୁଁଛନ୍ତି।
ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି, “ଏହି ଚାର୍ଜ ଲାଗୁ କରିବାର କାର୍ଯ୍ୟନିର୍ବାହୀ କ୍ଷମତା କ’ଣ? ଯଦି ଏହା ଏକ ଫି’ ଅଟେ, ତେବେ କାର୍ଯ୍ୟନିର୍ବାହୀ ଆଦେଶ ମାଧ୍ୟମରେ ଏହା ଲାଗୁ ହୋଇପାରିବ ନାହିଁ। ଯଦି ଏହା ଫି’ ନୁହେଁ, ତେବେ ଏହା କ’ଣ?”
ଏହାର ଉତ୍ତରରେ ASG କହିଛନ୍ତି, ଏଥିରୁ ଗୋଟିଏ ଟଙ୍କା ମଧ୍ୟ ସରକାରଙ୍କ ପାଖକୁ ଯିବ ନାହିଁ। ଏହା ବ୍ୟାଙ୍କ ଏବଂ ସେବା ପ୍ରଦାନକାରୀଙ୍କ ମଧ୍ୟରେ ଏକ settlement fee, ଯାହାକୁ National Payments Corporation of India ସୁବିଧା ପ୍ରଦାନ କରିଥାଏ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।