Supreme Court To Examine NTA Systems: NEET ପେପର ଲିକ୍ ରୋକିବାକୁ NTA ସଂସ୍କାର, ଅଫିସ୍ ଯିବେ ସୁପ୍ରିମକୋର୍ଟ ଜଜ୍
ବାରମ୍ବାର NEET ପ୍ରଶ୍ନପତ୍ର ଲିକ୍ ଭଳି ଘଟଣାକୁ ରୋକିବା ପାଇଁ ପରୀକ୍ଷା ବ୍ୟବସ୍ଥାକୁ ଅନୁଷ୍ଠାନିକ ଭାବେ ଅଧିକ ସୁଦୃଢ଼ କରିବାର ଆବଶ୍ୟକତା ରହିଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏଥିସହ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA)ର ନୂଆ ଅପଗ୍ରେଡ୍ ସୁବିଧା ଓ ବ୍ୟବସ୍ଥା ଯାଞ୍ଚ କରିବା ପାଇଁ ବେଞ୍ଚର ବିଚାରପତିମାନେ ନିଜେ NTA କାର୍ଯ୍ୟାଳୟ ପରିଦର୍ଶନ କରିବେ ବୋଲି କହିଛନ୍ତି।
ଜଷ୍ଟିସ ପିଏସ୍ ନରସିଂହ କହିଛନ୍ତି ଯେ ସେ ଏବଂ ଜଷ୍ଟିସ୍ ଅରାଧେ ଦିଲ୍ଲୀର ମିଣ୍ଟୋ ରୋଡ୍ସ୍ଥିତ NTA କାର୍ଯ୍ୟାଳୟକୁ ଯାଇ ସେଠାକାର ନୂଆ ବ୍ୟବସ୍ଥା ଯାଞ୍ଚ କରିବାକୁ ଚାହୁଁଛନ୍ତି। ବ୍ୟବସ୍ଥା ପ୍ରକୃତରେ କାର୍ଯ୍ୟକ୍ଷମ କି ନାହିଁ, ସେଠାରେ କେତେ କର୍ମଚାରୀ ଅଛନ୍ତି ଏବଂ ଅନ୍ୟାନ୍ୟ ଆବଶ୍ୟକ ବ୍ୟବସ୍ଥା କିପରି ରହିଛି, ତାହା ଯାଞ୍ଚ କରାଯିବ ବୋଲି ସେ କହିଛନ୍ତି।
କେନ୍ଦ୍ର ସରକାରଙ୍କ ପକ୍ଷରୁ ମାମଲାରେ ଉପସ୍ଥିତ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ବେଞ୍ଚ କହିଛନ୍ତି ଯେ NEET ପରୀକ୍ଷା ବ୍ୟବସ୍ଥାରେ ବାରମ୍ବାର ପ୍ରଶ୍ନପତ୍ର ଲିକ୍ ଭଳି ଘଟଣା ରୋକିବା ପାଇଁ NTAର ସାଂଗଠନିକ ବ୍ୟବସ୍ଥାକୁ ମଜବୁତ କରିବା ଅତ୍ୟନ୍ତ ଜରୁରୀ।
ବେଞ୍ଚ କହିଛନ୍ତି, କେବଳ ତୁରନ୍ତ କିମ୍ବା ସାମୟିକ ପଦକ୍ଷେପ ନେଲେ ହେବ ନାହିଁ। ସମଗ୍ର ବ୍ୟବସ୍ଥାର ସ୍ଥାୟୀତ୍ୱ ହିଁ ମୁଖ୍ୟ। ଏଥିପାଇଁ ସ୍ଥାୟୀ ବ୍ୟବସ୍ଥା, ସ୍ଥାୟୀ କର୍ମଚାରୀ ଏବଂ ସ୍ଥାୟୀ ବିଭାଗ ବା ଭର୍ଟିକାଲ୍ ରହିବା ଆବଶ୍ୟକ। ଡେପୁଟେସନ୍ରେ ନିଯୁକ୍ତି ଯଥାସମ୍ଭବ କମ୍ ରହିବା ଦରକାର, ତେବେ ହିଁ ଏକ ସ୍ଥାୟୀ ଢାଞ୍ଚା ଗଠନ ହୋଇପାରିବ।
ଶୁଣାଣି ଆରମ୍ଭରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ ଯେ NEET ବ୍ୟବସ୍ଥାରେ ସାଂଗଠନିକ ସଂସ୍କାର ପାଇଁ ନନ୍ଦନ ନିଲେକାନିଙ୍କ ନେତୃତ୍ୱରେ ଗଠିତ ଉଚ୍ଚସ୍ତରୀୟ କମିଟି ବ୍ୟାପକ ଆଲୋଚନା କରିଛି। ଏହି କମିଟି ଚଳିତ ମାସ ଶେଷ ସୁଦ୍ଧା ଏହାର ପ୍ରଥମ ଅନ୍ତରୀଣ ରିପୋର୍ଟ ଦାଖଲ କରିପାରେ।
ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଯେ ବିଭିନ୍ନ ଲୋକଙ୍କଠାରୁ ମିଳିଥିବା ପରାମର୍ଶଗୁଡ଼ିକୁ ନିଲେକାନି କମିଟି ସମ୍ମୁଖରେ ରଖାଯାଇଛି। ଏହା ସହିତ ପୂର୍ବତନ ISRO ଅଧ୍ୟକ୍ଷ କେ. ରାଧାକୃଷ୍ଣନଙ୍କ ନେତୃତ୍ୱରେ ଗଠିତ ପୂର୍ବ କମିଟିର ସଦସ୍ୟମାନଙ୍କ ସହ ମଧ୍ୟ ନିଲେକାନି କମିଟି ଆଲୋଚନା କରିଛି।
ନିଲେତାନି କମିଟିକୁ ସହାୟତା କରୁଥିବା କର୍ମଚାରୀ ଓ ପ୍ରଶିକ୍ଷଣ ବିଭାଗ (DoPT)ର ଯୁଗ୍ମ ସଚିବଙ୍କୁ ଏପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବିସ୍ତୃତ ଆଫିଡେଭିଟ୍ ଦାଖଲ କରିବାକୁ ବେଞ୍ଚ ନିର୍ଦ୍ଦେଶ ଦେଇଛନ୍ତି।
୨୦୨୪ NEET-UG ପ୍ରଶ୍ନପତ୍ର ଲିକ୍ ଘଟଣା ପରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ୭ ଜଣିଆ ରାଧାକୃଷ୍ଣନ କମିଟି ଗଠନ କରାଯାଇଥିଲା। ପରୀକ୍ଷା ପରିଚାଳନାରେ ସଂସ୍କାର ଆଣିବା, ଡାଟା ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ଏବଂ NTAର ଢାଞ୍ଚା ଓ କାର୍ଯ୍ୟପ୍ରଣାଳୀର ସମୀକ୍ଷା କରିବା ଏହି କମିଟିର ପ୍ରମୁଖ ଦାୟିତ୍ୱ ଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।