Supreme Court: ଗିରଫ ଓ ଅଟକ ମଧ୍ୟରେ କୃତ୍ରିମ ପାର୍ଥକ୍ୟ ସମ୍ବିଧାନ ବିରୋଧୀ : ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ: କୌଣସି ବ୍ୟକ୍ତିଙ୍କୁ ପୁଲିସ ଅଟକ ରଖିବା ଓ ଔପଚାରିକ ଭାବେ ଗିରଫ କରିବା ମଧ୍ୟରେ କୃତ୍ରିମ ପାର୍ଥକ୍ୟ ଦେଖାଇବା ସାମ୍ବିଧାନିକ ଦୃଷ୍ଟିରୁ ଅଗ୍ରହଣୀୟ।
ଜଣେ ବ୍ୟକ୍ତିଙ୍କ ସ୍ୱାଧୀନତା ଉପରେ କଟକଣା ଲାଗିବା କ୍ଷଣି ତାଙ୍କୁ ନିକଟତମ ମାଜିଷ୍ଟ୍ରେଟ୍ଙ୍କ ନିକଟରେ ହାଜର କରିବା ପାଇଁ ୨୪ ଘଣ୍ଟାର ସମୟସୀମା ଆରମ୍ଭ ହେବ।
ପୁଲିସ କେବେ ଔପଚାରିକ ଭାବେ ଗିରଫ ଦର୍ଶାଇଲା, ତାହା ଏ କ୍ଷେତ୍ରରେ ଗୁରୁତ୍ୱ ରଖିବ ନାହିଁ ବୋଲି ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି ସୁପ୍ରିମ୍କୋର୍ଟ ।
ଏଥି ସହ ଅଦାଲତ କହିଛନ୍ତି ଯେ, ଅଟକ ସମୟଠାରୁ ୨୪ ଘଣ୍ଟା ଭିତରେ ଅଭିଯୁକ୍ତକୁ ନିକଟସ୍ଥ ମାଜିଷ୍ଟ୍ରେଟ୍ଙ୍କ ନିକଟରେ ହାଜର କରାଯାଇ ନ ଥିଲେ, ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ ହେବ।
Advertisment ଜଷ୍ଟିସ୍ ଉଜ୍ଜ୍ୱଳ ଭୂୟାଁ ଓ ଜଷ୍ଟିସ୍ ଅତୁଲ ଏସ୍ ଚନ୍ଦୁରକରଙ୍କ ଖଣ୍ଡପୀଠ କହିଛନ୍ତି, ସମ୍ବିଧାନର ଧାରା ୨୨(୨) ଅନୁଯାୟୀ ଅଟକ ରଖାଯାଇଥିବା ବ୍ୟକ୍ତିଙ୍କୁ ୨୪ ଘଣ୍ଟା ମଧ୍ୟରେ ମାଜିଷ୍ଟ୍ରେଟ୍ଙ୍କ ନିକଟରେ ହାଜର କରିବା ବାଧ୍ୟତାମୂଳକ।
ଏହି ସମୟ ଗଣନାରେ କେବଳ ଅଟକ ସ୍ଥାନରୁ ମାଜିଷ୍ଟ୍ରେଟ୍ଙ୍କ ଅଦାଲତ ପର୍ଯ୍ୟନ୍ତ ଯାତ୍ରା ପାଇଁ ଆବଶ୍ୟକ ସମୟକୁ ବାଦ୍ ଦିଆଯାଇପାରିବ।
ତଦନ୍ତ, ପଚରାଉଚରା, ତଲାସି କିମ୍ବା ଜବତ ପାଇଁ ଲାଗିଥିବା ସମୟକୁ ବାଦ୍ ଦେବାର ବ୍ୟବସ୍ଥା ନାହିଁ।
ଔପଚାରିକ ଗିରଫ ପୂର୍ବରୁ ଜଣେ ବ୍ୟକ୍ତିଙ୍କ ସ୍ୱାଧୀନତାକୁ ସାମୟିକ ଭାବେ ହରଣ କରାଯାଇପାରିବ ବୋଲି ଯୁକ୍ତି ଦର୍ଶାଇବା ସମ୍ପୂର୍ଣ୍ଣ ଅସାମ୍ବିଧାନିକ।
ଅଭିଯୁକ୍ତକୁ ହାଜର କରାଇବା ପାଇଁ ୨୪ ଘଣ୍ଟାର ସମୟସୀମା ଔପଚାରିକ ଗିରଫରୁ ନୁହେଁ ତ୍ରିପୁରାରେ ନିଶାଦ୍ରବ୍ୟ ନିୟନ୍ତ୍ରଣ ଆଇନ (ଏନ୍ଡିପିଏସ୍) ଅନୁଯାୟୀ ରୁଜୁ ଏକ ମାମଲାରେ ଚାରିଜଣ ଅଭିଯୁକ୍ତଙ୍କ ଆବେଦନର ଶୁଣାଣି କରି ଖଣ୍ଡପୀଠ ଏହି ରାୟ ଦେଇଛନ୍ତି।
ସେମାନଙ୍କଠାରୁ ୧୧.୦୩ କିଲୋଗ୍ରାମ୍ ୟାବା ବଟିକା ଜବତ ହୋଇଥିଲା।
୨୦୨୫ ସେପ୍ଟେମ୍ବର ୨୯ ତାରିଖ ଅପରାହ୍ଣ ୨ଟାରେ ତଲାସି ଓ ଜବତ ପ୍ରକ୍ରିୟା ସମୟରେ ପୁଲିସ ସେମାନଙ୍କୁ ଅଟକ ରଖିଥିଲା।
କିନ୍ତୁ ପରଦିନ ସକାଳ ୧୧ଟାରେ ଔପଚାରିକ ଭାବେ ଗିରଫ ଦର୍ଶାଇଥିଲା।
ଫଳରେ ଅଟକ ରଖିବାର ୨୪ ଘଣ୍ଟା ମଧ୍ୟରେ ସେମାନଙ୍କୁ ମାଜିଷ୍ଟ୍ରେଟ୍ଙ୍କ ନିକଟରେ ହାଜର କରାଯାଇ ନଥିଲା।
ଖଣ୍ଡପୀଠ କହିଛନ୍ତି, ଏହାଦ୍ୱାରା ଅଭିଯୁକ୍ତଙ୍କ ସାମ୍ବିଧାନିକ ଅଧିକାର କ୍ଷୁଣ୍ଣ ହୋଇଛି।
ଏଥିପାଇଁ ସେମାନଙ୍କୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେବା ସହ ତ୍ରିପୁରା ହାଇକୋର୍ଟଙ୍କ ପୂର୍ବ ରାୟକୁ ଖାରଜ କରିଛନ୍ତି।
ଏହି ରାୟରେ ସୁପ୍ରିମ୍କୋର୍ଟ ଓଡ଼ିଶା ହାଇକୋର୍ଟଙ୍କ ଆର୍ଯ୍ୟମାନ ପଟ୍ଟନାୟକ ମାମଲା (୨୦୨୫), କେରଳ ହାଇକୋର୍ଟଙ୍କ ଅରୁଣ କେ ଟମାସ୍ ମାମଲା (୨୦୨୬) ଏବଂ ମାଡ୍ରାସ ହାଇକୋର୍ଟଙ୍କ କନ୍ନନ ମାମଲା (୨୦୨୫)ରେ ଦିଆଯାଇଥିବା ମତକୁ ମଧ୍ୟ ଭୁଲ୍ ବୋଲି ଦର୍ଶାଇଛନ୍ତି।
ଅଟକ ସମୟକୁ ଗିରଫ ପରବର୍ତ୍ତୀ ୨୪ ଘଣ୍ଟାର ସମୟସୀମାରୁ ବାଦ୍ ଦେବାର କୌଣସି ଆଇନଗତ ଆଧାର ନାହିଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି।
ଏଥିସହ ମାଜିଷ୍ଟ୍ରେଟ୍ମାନେ ଅଭିଯୁକ୍ତଙ୍କୁ ହାଜର କରାଯିବା ସମୟରେ ପ୍ରକୃତ ଅଟକ ତାରିଖ ଓ ସମୟ ଲିପିବଦ୍ଧ କରିବା ସହ ଅଟକ ଅବଧି ଯୁକ୍ତିସଙ୍ଗତ ଥିଲା କି ନାହିଁ, ତାହା ମଧ୍ୟ ଯାଞ୍ଚ କରିବାକୁ କହିଛନ୍ତି।
ଅନ୍ୟଥା ଅଭିଯୁକ୍ତଙ୍କୁ ଜାମିନ୍ କିମ୍ବା ମୁକ୍ତି ଦେବା ଦିଗରେ ପଦକ୍ଷେପ ନେବାକୁ ପଡ଼ିବ।
ୟୁରୋପରେ ୧୨ ବିମାନକୁ ଧମକ; ଆକାଶରେ ଅଟକିଗଲା ଯାତ୍ରୀଙ୍କ ଶ୍ବାସକ୍ରିୟା!
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।