03 SEPTEMBER 2026

Welcome!

Unlock your personalized experience.
Sign Up

Supreme Court: ନ୍ୟାୟିକ ଅଧିକାରୀ ସରକାରୀ କର୍ମଚାରୀ ନୁହନ୍ତି, ସେମାନଙ୍କ ଅବସର ବୟସ ଅଲଗା ହୋଇପାରେ: ସୁପ୍ରିମ୍‌କୋର୍ଟ

Aug 06, 2026 - 23:16
Supreme Court: ନ୍ୟାୟିକ ଅଧିକାରୀ ସରକାରୀ କର୍ମଚାରୀ ନୁହନ୍ତି, ସେମାନଙ୍କ ଅବସର ବୟସ ଅଲଗା ହୋଇପାରେ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ : ନ୍ୟାୟିକ ଅଧିକାରୀମାନେ ସାଧାରଣ ସରକାରୀ କର୍ମଚାରୀ ନୁହନ୍ତି ଏବଂ ସେମାନଙ୍କ ଅବସର ବୟସ ସରକାରୀ କର୍ମଚାରୀଙ୍କଠାରୁ ଭିନ୍ନ ହୋଇପାରେ ବୋଲି ସୁପ୍ରିମ୍‌କୋର୍ଟ ସ୍ପଷ୍ଟ କରିଛନ୍ତି । ଜିଲ୍ଲା ଓ ତଳ ଅଦାଲତର ନ୍ୟାୟିକ ଅଧିକାରୀଙ୍କ ଅବସର ବୟସ ବୃଦ୍ଧି ସମ୍ପର୍କିତ ମାମଲାର ଶୁଣାଣି ବେଳେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗ୍‌ଚୀ ଓ ଭି. ମୋହନାଙ୍କ ଖଣ୍ଡପୀଠ ଏହି ମନ୍ତବ୍ୟ ଦେଇଛନ୍ତି ।

‘ଅଲ୍‌ ଇଣ୍ଡିଆ ଜଜେସ୍‌ ଆସୋସିଏସନ୍‌‘ ମାମଲାର ଶୁଣାଣି ସମୟରେ କେତେକ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ, ନ୍ୟାୟିକ ଅଧିକାରୀଙ୍କ ଅବସର ବୟସ ବଢ଼ାଇଲେ ଅନ୍ୟ ସରକାରୀ କର୍ମଚାରୀମାନେ ମଧ୍ୟ ସମାନ ଦାବି କରିପାରନ୍ତି । ଏହାର ଉତ୍ତରରେ ଖଣ୍ଡପୀଠ କହିଥିଲେ, ନ୍ୟାୟିକ ଅଧିକାରୀମାନେ ସରକାରୀ କର୍ମଚାରୀ ନୁହନ୍ତି । ସେମାନେ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ସ୍ୱତନ୍ତ୍ର ନ୍ୟାୟପାଳିକାର ଅଂଶ ଏବଂ ସେମାନଙ୍କୁ ଅନ୍ୟ କର୍ମଚାରୀଙ୍କ ସହ ସମାନ ଶ୍ରେଣୀରେ ରଖାଯାଇପାରିବ ନାହିଁ ।

'Kya Bolti Public' Campaign: ‘କ୍ୟା ବୋଲତି ପବ୍ଲିକ୍‌‘ ଅଭିଯାନ ଆରମ୍ଭ କରିବ ସିଜେପି, ନିର୍ବାଚନ ନୁହେଁ ଜନଚାପ ସୃଷ୍ଟି ଉପରେ ଗୁରୁତ୍ୱ

ଶୁଣାଣି ବେଳେ ସୁପ୍ରିମ୍‌କୋର୍ଟ ଏହା ମଧ୍ୟ କହିଥିଲେ ଯେ, ନ୍ୟାୟପାଳିକାର ସ୍ୱାଧୀନତା ଭାରତୀୟ ସମ୍ବିଧାନର ମୌଳିକ ଢାଞ୍ଚାର ଏକ ଅଂଶ । ତେଣୁ ନ୍ୟାୟିକ ଅଧିକାରୀଙ୍କ ସେବା ସର୍ତ୍ତ ନିର୍ଦ୍ଧାରଣ ସମୟରେ ସେମାନଙ୍କର ସ୍ୱତନ୍ତ୍ର ସାମ୍ବିଧାନିକ ସ୍ଥିତିକୁ ବିଚାରକୁ ନେବା ଆବଶ୍ୟକ । ଏହି ମାମଲାରେ ସୁପ୍ରିମ୍‌କୋର୍ଟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିଜ ନିଜ ହାଇକୋର୍ଟ ସହ ପରାମର୍ଶ କରି ଜିଲ୍ଲା ଓ ତଳ ଅଦାଲତର ନ୍ୟାୟିକ ଅଧିକାରୀଙ୍କ ଅବସର ବୟସ ବୃଦ୍ଧି ପ୍ରସଙ୍ଗରେ ନିଷ୍ପତ୍ତି ନେବାକୁ କହିଛନ୍ତି ।

ସର୍ବୋଚ୍ଚ ଅଦାଲତ ରାଜ୍ୟଗୁଡ଼ିକୁ ସେପ୍ଟେମ୍ବର ୨ ସୁଦ୍ଧା ନିଜ ନିଷ୍ପତ୍ତି ଜଣାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ଦେଶର ଅଧିକାଂଶ ରାଜ୍ୟରେ ଜିଲ୍ଲା ଓ ତଳ ଅଦାଲତର ନ୍ୟାୟିକ ଅଧିକାରୀମାନେ ୬୦ ବର୍ଷ ବୟସରେ ଅବସର ଗ୍ରହଣ କରୁଛନ୍ତି । ଏହି ବୟସକୁ ୬୧ କିମ୍ବା ୬୨ ବର୍ଷକୁ ବୃଦ୍ଧି କରିବା ଦାବିକୁ ନେଇ ସୁପ୍ରିମ୍‌କୋର୍ଟରେ ଶୁଣାଣି ଚାଲିଛି । ଅଦାଲତ କହିଛନ୍ତି, ଅଭିଜ୍ଞ ନ୍ୟାୟିକ ଅଧିକାରୀଙ୍କ ସେବାକୁ ଅଧିକ ସମୟ ପର୍ଯ୍ୟନ୍ତ ବ୍ୟବହାର କରିପାରିଲେ ବିଚାର ବ୍ୟବସ୍ଥାର କାର୍ଯ୍ୟଦକ୍ଷତା ଓ ମାମଲାର ଶୀଘ୍ର ସମାଧାନରେ ଏହା ସହାୟକ ହୋଇପାରିବ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।