03 SEPTEMBER 2026

Welcome!

Unlock your personalized experience.
Sign Up

The Kalahandia buffalo: ବିଲୁପ୍ତ ଅବସ୍ଥାରେ କଳାହାଣ୍ଡିଆ ମଇଁଷି: ମିଳିଛି ଜାତୀୟ ସ୍ବୀକୃତି, ସଂରକ୍ଷଣ ପାଇଁ ଉଦ୍ୟମ ନାହିଁ

Aug 23, 2026 - 05:16
The Kalahandia buffalo: ବିଲୁପ୍ତ ଅବସ୍ଥାରେ କଳାହାଣ୍ଡିଆ ମଇଁଷି: ମିଳିଛି ଜାତୀୟ ସ୍ବୀକୃତି, ସଂରକ୍ଷଣ ପାଇଁ ଉଦ୍ୟମ ନାହିଁ

ଭବାନୀପାଟଣା (ଦେବେନ୍ଦ୍ର କୁମାର ବିଶି): ଦେଶର ଏକ ସ୍ବତନ୍ତ୍ର ଡାଏରି ବ୍ରାଣ୍ଡ ଭାବେ ଆଇସିଏଆର୍‌ ସ୍ବତନ୍ତ୍ର ପ୍ରଜାତିର କଳାହାଣ୍ଡିଆ ମଇଁଷିକୁ ମାନ୍ୟତା ଦେଇଛି। ବର୍ତ୍ତମାନ ଏହା ବିଲୁପ୍ତ ହେବାକୁ ବସିଛି। ଏହି ପ୍ରଜାତିର ବ୍ରିଡ୍‌କୁ ନେଇ ଅନ୍ୟ ଅଞ୍ଚଳରେ ଏହାର ପ୍ରସାର ପାଇଁ ବିଭିନ୍ନ ସମୟରେ ଉଦ୍ୟମ ହେଉଥିବାବେଳେ ସରକାରୀ ନାଲିଫିତା ତଳେ ଏହାର ଭବିଷ୍ୟତ ପଡ଼ିରହିଛି। 

Education: ‘ଏନ୍‌ପିସିଆଇଏଲ୍’ରେ ଓଡ଼ିଶାର ଯୁବ ବୈଜ୍ଞାନିକ ଚର୍ଚ୍ଚିତଙ୍କ ଯୋଗଦାନ

ତଥ୍ୟ ଅନୁସାରେ, ଆଇସିଏଆର୍‌ ଓ ଏନ୍‌ବିଏଜିଆର୍‌ରେ କଳାହାଣ୍ଡି ମଇଁଷି, ଚିଲିକା ମଇଁଷି ଏବଂ କୋରାପୁଟର ମଣ୍ଡା ମଇଁଷିକୁ ଜାତୀୟ ସ୍ବୀକୃତି ମିଳିଛି। ଚିଲିକା ମଇଁଷି ଚିଲିକା ଓ ବାଲୁଗାଁ ଅଞ୍ଚଳରେ ଦେଖା ଯାଉଥିବାବେଳେ କଳାହାଣ୍ଡି ମଇଁଷି କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାରେ ଦେଖିବାକୁ ମିଳିଥାଏ। ସେହିଭଳି ମଣ୍ଡା ମଇଁଷି କୋରାପୁଟ ଅଞ୍ଚଳରେ ଦେଖିବାକୁ ମିଳନ୍ତି। ଏହି ୩ ପ୍ରଜାତିର ମଇଁଷି ଜାତୀୟସ୍ତରରେ ମାନ୍ୟତା ପାଇଥିଲେ ହେଁ ଏହାର ସଂରକ୍ଷଣ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୨୦୧୧ ମସିହା ପ୍ରାଣୀ ଜନଗଣନା ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲାରେ ୧୧୦୩୩ଟି ମଇଁଷି ଅଛନ୍ତି। କଳାହାଣ୍ଡି ମଇଁଷିର ଏହି ପ୍ରଜାତି ଚାଷକାମ, କ୍ଷୀର ଉତ୍ପାଦନ, ଭାରବାହୀ କାମରେ ନିୟୋଜିତ ହୋଇଥାନ୍ତି। ଏମାନେ ରିଭରାଇନ୍‌ ପ୍ରଜାତିର ମଇଁଷି ଭାବେ ଜଣାଶୁଣା। ଏହାର ଶିଙ୍ଗ ଲମ୍ବ ୫୦ ସେମି ପର୍ଯ୍ୟନ୍ତ ରହୁଥିବାବେଳେ ଦେଖିବାକୁ ଏମାନେ କଳା ଧୂସର ବର୍ଣ୍ଣର। ଆଇସିଆର୍‌ ପକ୍ଷରୁ ୨୮୦ଟି ମଇଁଷିକୁ ନେଇ ଏକ କ୍ଷେତ୍ର ଅଧ୍ୟୟନ ହୋଇଥିଲା। ଅଣ୍ଡିରା ମଇଁଷିର ହାରାହାରି ଉଚ୍ଚତା ୧୨୧.୬୧ ସେମି ଓ ମାଈର ହାରାହାରି ଉଚ୍ଚତା ୧୧୮.୫୩ ସେମି। ଏମାନେ ଦୈନିକ ହାରାହାରି ୨.୯୨ ଲିଟର କ୍ଷୀର ଦେଇଥାନ୍ତି।

ଏନ୍‌ଡିଡିବିର ତଥ୍ୟ ମୁତାବକ ପ୍ରତି ଲାକ୍ଟେସନ୍‌ରେ କ୍ଷୀର ଉତ୍ପାଦନ ପ୍ରାୟ ୬୮୦ରୁ ୯୧୨ ଲିଟର, ଲାକ୍ଟେସନ୍‌ ଅବଧି ୨୭୬ରୁ ୨୮୦ ଦିନ ଏବଂ ଚର୍ବି ୭.୮ରୁ ୮.୨ ପ୍ରତିଶତ ରହିଥାଏ। ଏହି ପ୍ରଜାତିର ମଇଁଷି ପାଳନ କମ୍‌ ଖର୍ଚ୍ଚରେ ହେବା ସାଙ୍ଗକୁ ଉଭୟ ଗରମ ଓ ଶୁଷ୍କ ପରିସ୍ଥିତିରେ ସେମାନଙ୍କର ସହନୀୟ କ୍ଷମତା ରହିଥାଏ। ବି‌ଶେଷ କରି ଓଡ଼ିଶାର ଗ୍ରାମୀଣ ଓ ପାହାଡ଼ିଆ ଅଞ୍ଚଳର ଚାଷୀଙ୍କ ପାଇଁ ଏହା ‌ଉପଯୁକ୍ତ। ସାଇଟୋଜେନେଟିକ୍‌ ଗବେଷଣାରେ କଳାହାଣ୍ଡି ମଇଁଷିକୁ ରିଭରାଇନ୍‌ ମଇଁଷି ଭବେ ଚିହ୍ନଟ କରାଯାଇଥିବାବେଳେ ଏହାର ୫୦ଟି କ୍ରୋମୋଜମ୍‌ ରହିଛି। ଜିଲ୍ଲାରେ ଚାରଣ ଭୂମି ହ୍ରାସ ପାଇ ଚାଲିଥିବାବେଳେ ଏହି ପ୍ରଜାତିର ମଇଁଷି କ୍ରମଶଃ ବିଲୁପ୍ତ ହେବାକୁ ବସିଲେଣି। ଓଏଲ୍‌ଆର୍‌ଡିଏସ୍‌ କଳାହାଣ୍ଡି ମଇଁଷି ପ୍ରଜାତିକୁ ସ୍ବୀକୃତି ଦେବା ସହ ଏହାର ବ୍ରିଡ୍‌କୁ ବିଭିନ୍ନ ସ୍ଥାନରେ ବିକଶିତ କରିବା ପାଇଁ ପରାମର୍ଶ ଦେଇଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଳରେ ଏକ ପ୍ରଜନନ କେନ୍ଦ୍ର ସ୍ଥାପନ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଏ ପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇପାରିନାହିଁ।

Land patta distribution: ‘ଆମ ଗାଁ ଆମ ତହସିଲ କାର୍ଯ୍ୟକ୍ରମ’ରେ ୬୫ଜଣଙ୍କୁ ଜମିପଟ୍ଟା ବଣ୍ଟନ

ସେହିଭଳି ରାଜ୍ୟ ବାହାରେ ମଧ୍ୟ ଏହାର ବ୍ରିଡିଂ କେନ୍ଦ୍ର ସ୍ଥାପନ ପାଇଁ ଉଦ୍ୟମ କରା ନଗଲେ କଳାହାଣ୍ଡିଆ ମଇଁଷି ପ୍ରଜାତି ଲୋପ ପାଇବା ଆଶଙ୍କା ଦେଖାଦେଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଓଡ଼ିଶା ଏବଂ ଓଡ଼ିଶା ବାହାରେ ଏହି ପ୍ରଜାତିର ମଇଁଷି ପ୍ରଜନନ କେନ୍ଦ୍ର ସ୍ଥାପନ କରି ଅଧିକ ଗବେଷଣା ଏବଂ ଚାଷୀଙ୍କୁ ମାର୍ଗଦର୍ଶନ କରିପାରିଲେ ଏହି ପ୍ରଜାତିର ସଂରକ୍ଷଣ ହୋଇପାରିବ ବୋଲି ପ୍ରାଣୀ ବିଶେଷଜ୍ଞମାନେ ମତ ଦେଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।