Three Decades Later: ବିଚିତ୍ର ରାଜନୀତି! ଏକା ଦିଗରେ ଗତି କରୁଛି ମମତା-ନବୀନଙ୍କ ରାଜନୈତିକ ଯାତ୍ରା
ରାଜନୀତି ସତରେ ବଡ଼ ବିଚିତ୍ର । ଏହା ଗତି ତା’ ଠାରୁ ଆହୁରି ଆଶ୍ଚର୍ଯ୍ୟଜନକ । ଏହା କେତେବେଳେ ଯେ କେଉଁ ଗତି ନେବ ତାହା ଆକଳନ କରିବା କଷ୍ଟ । ଯାହା ରାଜନୀତି ବିଜ୍ଞାନରେ କୁହାଯାଏ ଯେ ‘ପଲିଟିକ୍ସ ମେକ୍ସ ଷ୍ଟ୍ରେଞ୍ଜ ବେଡ୍ ଫେଲୋଜ’ ବା ଆଜି ଯିଏ ଆପଣଙ୍କର ଶତ୍ରୁ କାଲି ସିଏ ଆପଣଙ୍କ ମିତ୍ର, ତାହା ଅନେକ ସମୟରେ ଭାରତର ରାଜନୀତିରେ ଦେଖାଯାଇଛି । ଏବେ ଅର୍ଥାତ୍ ଚଳିତ ବର୍ଷ ଏହାର ସଦ୍ୟତମ ସଂସ୍କରଣ ଆମ ରାଜ୍ୟ ଓଡ଼ିଶା ଓ ପଡୋଶୀ ପଶ୍ଚିମବଙ୍ଗରେ ଦେଖାଯାଉଛି ।
ଚଳିତ ବର୍ଷ ମେ’ ମାସରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ରାଜ୍ୟବାସୀ ବିଜୁ ଜନତା ଦଳର ଏକ ପରିବର୍ତ୍ତିତ ରୂପ ଦେଖିଲେ । ଏହି ଦଳ କଂଗ୍ରେସ ବିରୋଧୀ ଆନ୍ଦୋନଳରୁ ୧୯୯୭ ମସିହାରେ ଜନ୍ମ ନେଇଥିଲା । ଏହା ଭିତରେ ଦଳ କଂଗ୍ରେସ୍ ସହିତ ଅନେକ ନିର୍ବାଚନରେ ସିଧାସଳଖ ଲଢ଼େଇ କରିଛି । କିନ୍ତୁ ରାଜ୍ୟସଭା ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ସମର୍ଥନ ଘୋଷଣା କରିଥିବା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ତାଙ୍କୁ କୌଣସି ପ୍ରକାର ଜିତାଇବା ପାଇଁ କଂଗ୍ରେସ୍ ସହିତ ବୁଝାମଣା କଲେ । ଯଦିଓ ଏହି ନିର୍ବାଚନେ ଦତ୍ତେଶ୍ୱର ପରାଜିତ ହେଲେ, ଏଠାରେ ବିଜେଡ଼ି ଓ କଂଗ୍ରେସ ମଧ୍ୟରେ ଦୀର୍ଘ ୨୯ ବର୍ଷ ପରେ ଏକ ବୁଝାମଣା ହେଲା ବୋଲି କୁହାଯାଇପାରେ ।
ବିଜେପିକୁ ଆଗାମୀ ଦିନରେ ପରାଜିତ କରିବା ପାଇଁ ନବୀନ କଂଗ୍ରେସ୍ ସହିତ ବୁଝାମଣା କରିବାର ଏକ ବଡ଼ ସମ୍ଭାବନା ରହିଛି । ବିଜେଡ଼ିର ଏବେ ବି ୪୦ ଦଶମିକ ୨୨ ପ୍ରତିଶତ ଭୋଟ୍ ରହିଛି । ସେହିପରି କଂଗ୍ରେସ୍ର ୧୩ଦଶମିକ ୨୬ ପ୍ରତିଶତ ରହିଛି । ଏହି ଦୁଇ ଦଳର ବିଜେପିର ୪୦ଦଶମିକ ୦୭ ପ୍ରତିଶତ ଠାରୁ ବେଶ୍ ଅଧିକ ।
ଯାହା ଜଣାପଡ଼ୁଛି, ଆଗାମୀ ଦିନରେ ନବୀନ କଂଗ୍ରେସ ସହିତ ମେଣ୍ଟ କରି ନିର୍ବାଚନ ଲଢିପାରନ୍ତି । ଅର୍ଥାତ୍ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ନେତ୍ରୀ ମମତା ବାନାର୍ଜୀଙ୍କ ଭଳି ନବୀନ ଏବେ ଶତ୍ରୁ ସହିତ ମିତ୍ରତା ବନ୍ଧନରେ ବାନ୍ଧି ହୋଇ ପରମ ରାଜନୈତିକ ଶତ୍ରୁ ବିଜେପିକୁ ରାଜ୍ୟରେ ଚେକ୍ମେଟ୍ ଦେବା ପ୍ରୟାସରେ ଅଛନ୍ତି । ସମୟ କହିବ, - ଆଗାମୀ ଦିନରେ ମମତା ଓ ନବୀନଙ୍କ ଗୋଟି ଚାଳନା କେତେ ସଫଳ ହେବ ।
ଏବେ ଆସିବା ମମତାଙ୍କ ରାଜନୈତିକ କ୍ୟାରିୟର ପରିବର୍ତ୍ତିତ ମୋଡ଼ ଆଲୋଚନାକୁ । ଭାରତୀୟ ରାଜନୀତିରେ ଏହି ଅଗ୍ନିବର୍ଷୀ ନେତ୍ରୀଙ୍କ ଯାତ୍ରା ଯେତିକି ସଂଘର୍ଷପୂର୍ଣ୍ଣ, ସେତିକି ରୋଚକପୂର୍ଣ୍ଣ । ତାଙ୍କର ରାଜନୈତିକ କ୍ୟାରିୟର ଅନେକ ଉତ୍ଥାନପତନରେ ଭରା । ଯେଉଁ କଂଗ୍ରେସରୁ ତାଙ୍କର ରାଜନୈତିକ ଜୀବନର ବଡ଼ ଅଧ୍ୟାୟ ଆରମ୍ଭ ହୋଇଥିଲା, ସେହି ଦଳ ବିରୋଧରେ ବିଦ୍ରୋହ କରି ସେ ୧୯୯୮ରେ ତୃଣମୂଳ କଂଗ୍ରେସ ଗଢ଼ିଥିଲେ। ଦୀର୍ଘ ୨୮ ବର୍ଷ ପରେ ସେ ଏବେ ପୁଣି ରାଜନୀତିର ଘଟଣାଚକ୍ରରେ ସେହି ଦଳ ଆଡ଼କୁ ଢଳୁଥିବା ଦେଖାଯାଉଛି ।
ମମତାଙ୍କ ସକ୍ରିୟ ରାଜନୀତିର ଆରମ୍ଭ କଂଗ୍ରେସର ଛାତ୍ର ସଂଗଠନ ମାଧ୍ୟମରେ। କଲେଜ ଜୀବନରେ ସେ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ ଓ ମାର୍କସ୍ବାଦୀ କମ୍ୟୁନିଷ୍ଟ ପାର୍ଟି ଭଳି ବାମପନ୍ଥୀ ଶକ୍ତିଙ୍କ ବିରୋଧରେ ଲଢ଼ିଥିଲେ। ୧୯୮୪ରେ ଯାଦବପୁର ଲୋକସଭା ଆସନରୁ ସିପିଆଇ(ଏମ୍)ର ବରିଷ୍ଠ ନେତା ସୋମନାଥ ଚାଟାର୍ଜୀଙ୍କୁ ପରାସ୍ତ କରି ସେ ଜାତୀୟ ରାଜନୀତିରେ ନିଜର ପରିଚୟ ସୃଷ୍ଟି କରିଥିଲେ।
ଏହାପରେ କିନ୍ତୁ ପଶ୍ଚିମବଙ୍ଗ କଂଗ୍ରେସରେ ବାମ ମୋର୍ଚ୍ଚା ବିରୋଧୀ ଲଢ଼େଇକୁ ନେଇ ମମତାଙ୍କ ସହ କେନ୍ଦ୍ରୀୟ ନେତୃତ୍ୱର ମତଭେଦ ବଢ଼ିଥିଲା। ରାଜ୍ୟରେ ସିପିଆଇ(ଏମ୍)କୁ ଚେକ୍ ଦେବା ପାଇଁ କଂଗ୍ରେସ ନେତୃତ୍ୱ ପର୍ଯ୍ୟାପ୍ତ କଠୋର ନୀତି ଗ୍ରହଣ କରୁନଥିବା ନେଇ ମମତା ଅସନ୍ତୁଷ୍ଟ ଥିଲେ। ଦଳୀୟ ସଂଗଠନ ନିର୍ବାଚନକୁ ନେଇ ୧୯୯୭ରେ ବିବାଦ ଚରମ ସୀମାରେ ପହଞ୍ଚିଥିଲା।
ଶେଷରେ ୧ ଜାନୁଆରୀ ୧୯୯୮ରେ ମମତା କଂଗ୍ରେସ ଛାଡ଼ି ତୃଣମୂଳ କଂଗ୍ରେସ ଗଠନ କଲେ। ତାଙ୍କର ମୁଖ୍ୟ ରାଜନୈତିକ ଲକ୍ଷ୍ୟ ଥିଲା ବଙ୍ଗରେ ବାମ ଶାସନକୁ ଚ୍ୟାଲେଞ୍ଜ କରିବା। ଜାତୀୟ ସ୍ତରରେ ସେ କିଛି ସମୟ ପାଇଁ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରୀକ ମେଣ୍ଟ ବା ଏନ୍ଡ଼ିଏ ସହ ମଧ୍ୟ ରହିଥିଲେ ଏବଂ କେନ୍ଦ୍ରରେ ରେଳମନ୍ତ୍ରୀ ହୋଇଥିଲେ।
୨୦୦୪ରେ ତୃଣମୂଳ ଓ ବିଜେପି ମିଳିତ ଭାବେ ଲୋକସଭା ନିର୍ବାଚନ ଲଢ଼ିଥିଲେ। ପରବର୍ତ୍ତ ସମୟରେ ସିଙ୍ଗୁର ଓ ନନ୍ଦିଗ୍ରାମ ଆନ୍ଦୋଳନ ମମତାଙ୍କୁ ବଙ୍ଗରେ ବାମ ବିରୋଧୀ ରାଜନୀତିର କେନ୍ଦ୍ରୀୟ ଚରିତ୍ରରେ ପରିଣତ କଲା। ୨୦୦୯ରେ ସେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାରରେ ଯୋଗ ଦେଲେ। ଦୁଇ ବର୍ଷ ପରେ ୨୦୧୧ରେ କଂଗ୍ରେସ ସହ ମିଶି ତୃଣମୂଳ ୩୪ ବର୍ଷର ବାମ ଶାସନର ଅନ୍ତ ଘଟାଇଲା ଏବଂ ମମତା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହେଲେ।
କିନ୍ତୁ ଏହି ସମ୍ପର୍କ ଦୀର୍ଘସ୍ଥାୟୀ ହୋଇନଥିଲା। ୨୦୧୨ରେ ବିଦେଶୀ ପୁଜିଂ ନିବେଶ, ଡିଜେଲ ଦର ବୃଦ୍ଧି ଓ ଏଲ୍ପିଜି ସିଲିଣ୍ଡର ଭଳି ପ୍ରସଙ୍ଗକୁ ନେଇ ମମତା ୟୁପିଏ ସରକାରରୁ ତୃଣମୂଳକୁ ପ୍ରତ୍ୟାହାର କରିନେଲେ। ଏହା ପରେ ପଶ୍ଚିମବଙ୍ଗରେ କଂଗ୍ରେସ ଓ ତୃଣମୂଳର ସମ୍ପର୍କ ଅଧିକ ତିକ୍ତ ହୋଇଥିଲା। ୨୦୧୬ରେ କଂଗ୍ରେସ ବାମଦଳ ସହ ମେଣ୍ଟ କରି ମମତାଙ୍କ ବିରୋଧରେ ନିର୍ବାଚନ ଲଢ଼ିଥିଲା। ୨୦୨୧ରେ ମଧ୍ୟ କଂଗ୍ରେସ ଓ ବାମଦଳ ମିଶି ନିର୍ବାଚନ ଲଢ଼ିଥିଲେ। ୨୦୧୯ରେ ବିଜେପି ବଙ୍ଗରେ ୧୮ଟି ଲୋକସଭା ଆସନ ଜିତିବା ପରେ ରାଜନୈତିକ ସମୀକରଣ ଆହୁରି ବଦଳିଗଲା।
୨୦୨୧ରେ ମମତା ପୁଣି କ୍ଷମତାକୁ ଫେରିଲେ, କିନ୍ତୁ ବିଜେପି ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହେଲା। ଏହି ପରିପ୍ରେକ୍ଷୀରେ ଜାତୀୟ ରାଜନୀତିର ଆବଶ୍ୟକତା ତୃଣମୂଳ ଓ କଂଗ୍ରେସକୁ ପୁଣି ନିକଟକୁ ଆଣିଲା। ୨୦୨୪ ଲୋକସଭା ନିର୍ବାଚନରେ ଉଭୟ ଦଳ ଇଣ୍ଡିଆ ମେଣ୍ଟର ସଦସ୍ୟ ଥିଲେ ମଧ୍ୟ ପଶ୍ଚିମବଙ୍ଗରେ ଆସନ ବୁଝାମଣା ହୋଇପାରିଲା ନାହିଁ। ତୃଣମୂଳ ଏକାକୀ ଲଢ଼ିଲା। ରାଜ୍ୟରେ ମେଣ୍ଟ ନହେବାର ପଛରେ ଦୁଇ ଦଳର ରାଜ୍ୟସ୍ତରୀୟ ନେତୃତ୍ୱ ମଧ୍ୟରେ ଗଭୀର ଅବିଶ୍ୱାସ ଏକ ମୁଖ୍ୟ କାରଣ ଥିଲା।
ଏବେ ୨୦୨୬ର ନନ୍ଦିଗ୍ରାମ ଉପନିର୍ବାଚନ ନୂଆ ଅଧ୍ୟାୟ ଖୋଲିଛି। ତୃଣମୂଳ ପ୍ରାର୍ଥୀ ନିର୍ବାଚନରୁ ଓହରିଯିବା ପରେ ମମତା କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ ଘୋଷଣା କରିଛନ୍ତି ଏବଂ ଏହାକୁ ଇଣ୍ଡିଆ ମେଣ୍ଟ ମଜବୁତ କରିବାର ଏକ ପଦକ୍ଷେପ ବୋଲି କହିଛନ୍ତି। ରେଜିନଗର ଉପନିର୍ବାଚନ ସମ୍ପର୍କରେ ପରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।
ମମତାଙ୍କ ଏହି ପରିବର୍ତ୍ତନର ରାଜନୈତିକ ତାତ୍ପର୍ଯ୍ୟ କେବଳ ଗୋଟିଏ ଉପନିର୍ବାଚନରେ ସୀମିତ ନୁହେଁ। ମମତା ଯେଉଁ କଂଗ୍ରେସକୁ ଦୁଇ ଦଶନ୍ଧିରୁ ଅଧିକ ସମୟ ପୂର୍ବେ ଛାଡ଼ିଥିଲେ, ଆଜି ସେହି ଦଳକୁ ସମର୍ଥନ ଦେବାର ଆବଶ୍ୟକତା ଅନୁଭବ କରୁଛନ୍ତି। ଏହାକୁ ଭାରତୀୟ ରାଜନୀତିରେ ମେଣ୍ଟ ରାଜନୀତିର ପରିବର୍ତ୍ତନଶୀଳ ସ୍ୱରୂପର ଏକ ଉଦାହରଣ ଭାବେ ଦେଖାଯାଇପାରେ।
ମମତାଙ୍କ ରାଜନୈତିକ ଯାତ୍ରାର ବର୍ତ୍ତମାନର ଏହି ପର୍ଯ୍ୟାୟ ଆଉ ଏକ ପ୍ରଶ୍ନ ଉଠାଉଛି—ବ୍ୟକ୍ତିଗତ ଓ ଦଳୀୟ ରାଜନୈତିକ ଶତ୍ରୁତା ଠାରୁ ବଡ଼ ହୋଇପାରେ କି ସମୟର ରାଜନୈତିକ ଆବଶ୍ୟକତା? ୧୯୯୮ରେ କଂଗ୍ରେସରୁ ବିଚ୍ଛେଦ ଯେଉଁ ରାଜନୈତିକ ପ୍ରକଳ୍ପର ଆରମ୍ଭ କରିଥିଲା, ପ୍ରାୟ ତିନି ଦଶନ୍ଧି ପରେ ସେହି ଯାତ୍ରା ପୁଣି କଂଗ୍ରେସର ଦ୍ୱାରଦେଶରେ ଆସି ଠିଆ ହୋଇଛି। ତେବେ ଏହା ସ୍ଥାୟୀ ରାଜନୈତିକ ପୁନର୍ମିଳନର ସଙ୍କେତ କି, ନା ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଏକ କୌଶଳଗତ ସମନ୍ୱୟ—ତାହା ସମୟ ହିଁ ସ୍ପଷ୍ଟ କରିବ।
ସମୟ କହିବ, ଆଗାମୀ ଦିନରେ ମମତା ଓ ନବୀନଙ୍କ ଗୋଟି ଚାଳନା କେତେ ସଫଳ ହେବ ।
ବି.ଦ୍ର. - ଏହା ଲେଖକଙ୍କ ନିଜସ୍ୱ ମତ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।